Odiapua.com

ବିନା ନୋଟିସ୍‌ରେ ଭୂମିହୀନ ୨୦ ଦଳିତ ପରିବାରର ବାସଘର ଓ ଦୋକାନ ଉଚ୍ଛେଦ ଅଭିଯୋଗ, ଗଛମୂଳେ ମୁଣ୍ଡ ଗୁଂଜିଥିବା ପରିବାର ଲୋକେ ନ୍ୟାୟ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ

ଭଦ୍ରକ, ୬ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) -ବିନା ନୋଟିସ୍‌ରେ ଚାନ୍ଦବାଲି ତହସିଲଦାର ଆରଡି ପଂଚାୟତର ୧୩ ନଂ ୱାର୍ଡର ୨୦ ଟି ପରିବାର ଆରଡି ମନ୍ଦିର ନିକଟରେ ପ୍ରାୟ ୪୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରହିଆସିଥିବା ବାସଗୃହ ଓ ଦୋକାନ ଘରକୁ ଉଚ୍ଛେଦ କରିବା ନେଇ ଆଜି ସେମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏବଂ ସେମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରାନଗଲେ ଗଛମୂଳେ ମୁଣ୍ଡ ଗୁଂଜି ଆସୁଥିବା ଏହି ପରିବାର ଲୋକେ ବାଧ୍ୟହୋଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ପରିବାର ମଧ୍ୟରେ କେଶବ ଜେନା, କାର୍ତ୍ତିକ ଜେନା, ଚିନ୍ତାମଣି ଜେନା, ଉମାକାନ୍ତ ଜେନା, ରାଜେଶ ଜେନା, କିଶୋର ଜେନା, ପ୍ରଭାତ ଜେନାଙ୍କ ଭଳି ବହୁ ଅଭିଯୋଗକାରୀ ଜିଲାପାଳଙ୍କୁ ଦେଇଥିବା ଅଭିଯୋଗ ପତ୍ର ମୂଳେ ଆରଡି ପଂଚାୟତର ୧୩ ନଂ ୱାର୍ଡର ସେମାନେ ଭୂମିହୀନ, ଗରିବ ଓ ଦଳିତ ସଂପ୍ରଦାୟର ଅଧିବାସୀ ଅଟନ୍ତି । ଆରଡିର ଖାତା ନଂ ୫୮୯, ପ୍ଲଟ୍ ନଂ ୨୦୨୭ (ଯାହାକି ବସ୍ତିଯୋଗ୍ୟ ଅଂଚଳ) ସେଠାରେ ସେମାନେ ନିଜର କଷ୍ଟଲବ୍ଧ ଅର୍ଥକୁ ପୈତୃକ ଅମଳରୁ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ୱ ହେବ ବାସଘର ତିଆରି କରି ପରିବାର ସହ ରହିଆସୁଛନ୍ତି । ଏବଂ ଦୋକାନ ଘର ତିଆରି କରି ପରିବାରକୁ ଭରଣପୋଷଣ କରୁଛନ୍ତି । କିନ୍ତୁ ସେମାନେ ଅସହାୟ ଦଳିତ ସଂପ୍ରଦାୟର ହୋଇଥିବାରୁ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ବିନା ନୋଟିସ୍‌ରେ ଗତ ୧ ତାରିଖ ଦିନ ସେମାନଙ୍କର ବାସଘର ଓ ଦୋକାନକୁ ଭାଙ୍ଗିଦେଇଛନ୍ତି ।

ଯାହାଫଳରେ ୫ ଦିନ ଧରି ସେମାନେ ପିଲାଛୁଆ, ମହିଳା ଓ ବଢିଲା ଝିଅମାନଙ୍କୁ ଧରି ଖୋଲା ଆକାଶର ରାସ୍ତାକଡରେ ଜୀବନ ବିତାଉଛନ୍ତି । ଏବଂ ସେମାନଙ୍କର ଭାତହାଣ୍ଡି ଦୋକାନ ଘର ଭଙ୍ଗାଯାଇଥିବାରୁ ଜୀବିକା ଉଜୁଡିଯିବାରୁ ଭୋକ ଓପାସରେ କାଳ କାଟୁଛନ୍ତି । ସବୁଠାରୁ କ୍ଷୋଭର ବିଷୟ ଉକ୍ତ ସ୍ଥାନରେ ଉଚ୍ଚଜାତି ଓ ରାଜନୈତିକ ଆଧିପତ୍ୟ ଥିବା ଲୋକମାନଙ୍କର ଘର ଓ ଦୋକାନ ପୂର୍ବପରି ଅକ୍ଷୁର୍ଣ୍ଣ ରହିଥିବାବେଳେ ଚାନ୍ଦବାଲି ତହସିଲଦାରଙ୍କ ଅନ୍ୟାୟ କାର୍ଯ୍ୟ ସେମାନଙ୍କୁ ଲୁହ ଲହୁରେ ଓପାସରେ ରଖିବା ପାଇଁ ବାଧ୍ୟ କରିଛି । ଯାହା ସେମାନଙ୍କର ମାନବାଧିକାରକୁ କ୍ଷୁର୍ଣ୍ଣ କରିଛି । ଏଣୁ ତହସିଲଦାର ଶ୍ରୀ ସୂତାର କ୍ଷମତାରେ ଅନ୍ଧ ହୋଇ ଯେଭଳି ସେମାନଙ୍କର ହଜାର ହଜାର ଟଙ୍କାର ସଂପତ୍ତିର କ୍ଷତି ସାଧନ କରିଛନ୍ତି । ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ କରି ସେମାନଙ୍କୁ ଉଚିତ୍ କ୍ଷତିପୂରଣ ଓ ସହାୟତା ପ୍ରଦାନ ପୂର୍ବକ ଉଜୁଡିଯାଇଥିବା ଘର ଓ ଦୋକାନକୁ ପୁନଃ ଥଇଥାନ, ସଂପୃକ୍ତ ତହସିଲଦାରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କ ଠାରୁ କ୍ଷତିପୂରଣ ଆଦାୟ ନକଲେ ସେମାନେ ବାଧ୍ୟହୋଇ ତାଙ୍କ କାର୍ଯ୍ୟାଳୟ ନିକଟରେ ଅନଶନରେ ବସିବେ ବୋଲି ଚେତାବନୀ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।