Odiapua.com

ବିନା ନୋଟିସ୍‌ରେ ଉଚ୍ଛେଦକୁ ନେଇ ଦୁଇ ଦଳିତ ପରିବାର ପକ୍ଷରୁ ଧାରଣା

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିନା ନୋଟିସ୍‌ରେ ଉଚ୍ଛେଦ କରାଯାଇଥିବା ଦୁଇଟି ଦଳିତ ପରିବାରର ଥଇଥାନ ଦାବି କରି ଆଜି ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣାରେ ବସିଛନ୍ତି । ପରେ ଜିଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ଭଦ୍ରକ ଜିଲା ଚାନ୍ଦବାଲି ତହସିଲ ଅଂଚଳ ଦୋସିଙ୍ଗା ମୌଜା ପ୍ରଦ୍ୟୁତନଗର ଅଂଚଳର ବାସିନ୍ଦା ଏହି ଦୁଇଟି ଦଳିତ ପରିବାରଙ୍କ ଅଭିଯୋଗ ହେଲା ସ୍ୱାଧୀନତାର ବହୁ ପୂର୍ବରୁ ଦୁଇଟି ଭୂମିହୀନ ପରିବାରକୁ ସରକାରଙ୍କ ପକ୍ଷରୁ ୩ଟି ଇନ୍ଦିରା ଆବାସ ଘର ମିଳିଥିଲା । ସେହି ଘରେ ସେମାନେ ରହୁଥିଲେ । ଗତ ତା ୨୬.୬.୨୩ ରିଖରେ ବିନା ନୋଟିସ୍‌ରେ ଚାନ୍ଦବାଲି ତହସିଲଦାର ଓ ଆରଆଇ ଧାମରା ଘରକୁ ଭାଙ୍ଗି ସଂପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି । ବଳପୂର୍ବକ ପୁଲିସ୍ ଲଗାଇ ଉଚ୍ଛେଦ କରାଯାଇଥିଲା । ଉଚ୍ଛେଦ କରିବାର ଉଦ୍ଦେଶ୍ୟର କାରଣ ସାଧାରଣରେ ପ୍ରକାଶ କରାଯାଇନଥିବାବେଳେ ଗୋଚର କିସମ ଜମି ଉପରେ କୌଣସି ସରକାରୀ କାର୍ଯ୍ୟ ହୋଇନପାରିବାର ନିୟମ ଥିବାବେଳେ କେଉଁ ଉଦ୍ଦେଶ୍ୟରେ ତରବରିଆ ଭାବେ ଉଚ୍ଛେଦ କରାଗଲା, ଏହାର କାରଣ ସ୍ପଷ୍ଟ ହୋଇନାହିଁ । ଆର.ଆଇ. ଓ ତହସିଲଦାରଙ୍କୁ ଦଳିତ ପରିବାର ପକ୍ଷରୁ ସମୟ ମାଗିବା ପରେ ମଧ୍ୟ ସମୟ ନଦେଇ ଘରକୁ ଭାଙ୍ଗି ଆସବାବ ପତ୍ରକୁ ନଷ୍ଟ କରିଦେଇଛନ୍ତି । ଏବେ ବର୍ଷାଦିନେ ପରିବାରର ବୟସ୍କ, ବୃଦ୍ଧାଙ୍କ ଠାରୁ ଆରମ୍ଭ କରି ପ୍ରାୟ ୧୬ ଜଣ ସଦସ୍ୟ ପଲିଥିନ ଟାଙ୍ଗି ବର୍ଷା ଝଡରେ କାଳାତିପାତ କରିବାକୁ ପଡୁଛି । ଅନ୍ୟତ୍ର ରହିବା ପାଇଁ ଆଶ୍ରୟ ନାହିଁ । ସରକାର ଭୂମିହୀନ ପରିବାରକୁ ଘରଡିହ ପଟ୍ଟା ଓ ଘର ଦେବାରେ ଗୁରୁତ୍ୱ ଦେଉଥିବାବେଳେ ଆମର ଜୀବନ ଜୀବିକା ପ୍ରତି ଏଭଳି ଅବିଚାର ଆମକୁ ଦୁର୍ଦ୍ଦଶାରେ ପହଞ୍ଚାଇଛି । ଏହି ଦୁଇଟି ପରିବାରକୁ ଘରଡିହ ପଟ୍ଟା ଓ ରହିବା ପାଇଁ ଘର ଯୋଗାଇଦେବା ନିମନ୍ତେ ଦଳିତ ପରିବାର ପକ୍ଷରୁ ଜିଲାପାଳଙ୍କ ନିକଟରେ ଦାବି କରାଯାଇଛି । ଦଳିତ ପରିବାରର ମୁଖ୍ୟ ଶୁଭେନ୍ଦୁ ଦଳେଇ, ପ୍ରଦୀପ କୁମାର ଦଳେଇ, ରାଜକୁମାର ଦଳେଇ, ସୁଶାନ୍ତ ଦଳାଇ ମମତା ଦଳାଇ, ପ୍ରମିଳା ଦଳାଇ, ରଂଜିତା ଦଳାଇ, ସଂଜୁ ଦଳାଇ ପ୍ରମୁଖ ଧାରଣାରେ ବସିଥିଲେ ।