Odiapua.com

ବିନା ଖର୍ଚ୍ଚରେ ଲାଭ ହିଁ ଲାଭ

ମଣିଷ ର ମାନସିକତାକୁ ଆକଳନ କରିବା ଜଟିଳ ବ୍ୟାପାର। କାହାର ମନ କେମିତି? କାହାର ଉଦେଶ୍ୟ କ’ଣ? ଜାଣିବା କଷ୍ଟକର କଥା। ବ୍ୟକ୍ତି ଚରିତ୍ରର ବିଭିନ୍ନ ଦିଗ ବିଷୟରେ ବିଶ୍ଲେଷଣ କଲେ ଜଣାପଡେ, ଅନେକ ମଣିଷ ସ୍ୱଭାବରେ ସ୍ୱାର୍ଥପର। କିଛି ଲୋକ ଅନ୍ୟକୁ ପ୍ରସନ୍ନ କରିବାପାଇଁ, ମିଛ ଓ ଅତ୍ୟଧିକ ପ୍ରଶଂସା କରି ନିଜର ସ୍ୱାର୍ଥ ସାଧନ କରିଥାନ୍ତି। ଅଧିକାଂଶ ଲୋକ ନିଜ ବିଷୟରେ ଅନ୍ୟମାନଙ୍କ ମୁହଁରୁ ପ୍ରଶଂସା ଶୁଣିବାକୁ ଭଲ ପାଇଥାନ୍ତି। ସେମାନେ ପର କଥାକୁ ବିଶ୍ୱାସ କରିଥାନ୍ତି ଯାହା ଫଳରେ ଚାଟୁକାର ମାନଙ୍କୁ ପ୍ରଶୟ ଦେଇଥାନ୍ତି। ଏହି ଚାଟୁକାରମାନେ, ଉଚ ପ୍ରଶଂସା ଓ କାନକୁ ଆରାମ ଦେଉଥିବା ପରି ବାକ୍ୟ କହି ଉପରିସ୍ଥ କର୍ମଚାରୀଙ୍କୁ ଖୁସି କରିଥାନ୍ତି। ସତ ମିଛ କହି ନିଜର ସ୍ୱାର୍ଥ ସାଧନ କରିବା ସହିତ ଅନ୍ୟ ସହକର୍ମୀଙ୍କ ବିରୁଦ୍ଧରେ ମନ ଗଢା କଥା କହି ନିଜର ସହକର୍ମୀଙ୍କୁ ଅସୁବିଧାରେ ପକାଇବାରେ ସଫଳ ମଧ୍ୟ ହୋଇଥାନ୍ତି। ଯାହା ଫଳରେ ଅଧିକାରୀ ଜଣକ ଭୁଲ୍ ଧାରଣାର ବଶବର୍ତ୍ତୀ ହୋଇ ଯୋଗ୍ୟ ଓ ଗୁଣୀ ବ୍ୟକ୍ତିଙ୍କୁ ସନ୍ଦେହଭରା ନଜରରେ ଦେଖିଥାନ୍ତି। ଆଜିକାଲି ବଜାରରେ ମୂଲ୍ୟଯୁକ୍ତ ଦ୍ରବ୍ୟ (value added product) ର ଚାହିଦା ଅଧିକ। ସେମିତି ଏମାନେ ମଧ୍ୟ ଛୋଟ କଥାରେ ଆଉ କିଛି କଥା ମିଶେଇ ଏମିତି କହିବେ ଯେ ଯେମିତି ଶୁଣିବାକୁ ଭଲ ଲାଗିବ ଆଉ ବିଶ୍ୱାସଯୋଗ୍ୟ ହେବ। ତେଲ ର ମୂଲ୍ୟ ସିନା ବଢୁଛି ହେଲେ ଏମାନେ ଯେଉଁ ପ୍ରକାର ତେଲ ବ୍ୟବହାର କରନ୍ତି ସେଥିରେ କିଛି ଖର୍ଚ୍ଚ କରିବାକୁ ପଡ଼େନି ବରଂ ତେଲ ମାରିବା ଦ୍ୱାରା ସବୁବେଳେ ସେମାନଙ୍କର ଲାଭ ହିଁ ଲାଭ। ପ୍ରତିଯୋଗିତାମୂଳକ ଦୁନିଆରେ ଏମାନେ ବି ପଛରେ ନାହାନ୍ତି, ଯଦି କୌଣସି ସଂସ୍ଥା ରେ ଏକ ରୁ ଅଧିକ ଚାଟୁକାର ଥାଅନ୍ତି, ତେବେ ସେମାନଙ୍କ ମଧ୍ୟରେ ବି ଅଘୋଷିତ ପ୍ରତିଯୋଗିତା ହେଇଥାଏ। ଯିଏ ବେଶି ମନ ଗଢା କାହାଣୀ ଆଉ ପ୍ରଶଂସା କହି ଉପରିସ୍ଥ ଅଧିକାରୀଙ୍କୁ ଖୁସି କରିପାରିଲା, ସେ ଅଧିକ ସୁବିଧା ସୁଯୋଗ ପାଇବଳୁ ଯୋଗ୍ୟ ହୋଇଥାଏ। ଚାଟୁକାର ମାନେ ନିଜର ସ୍ୱାର୍ଥ ସବୁ ହାସଲ କରି ସାରିବା ପରେ, ଯେଉଁ ବ୍ୟକ୍ତି ଙ୍କ ଠାରୁ ସୁବିଧା ସୁଯୋଗ ପାଇଥିବେ ତାଙ୍କୁ ବି ଭୁଲି ଯାଇଥାନ୍ତି। ଅନେକ ଚାଟୁକାରଙ୍କର ଯଦି ସ୍ୱାର୍ଥ ସାଧନ ନହୁଏ, ଏମାନେ ସୁଯୋଗ ଦେଖି ନିଜ କାର୍ଯ୍ୟାଳୟର ଉପରିସ୍ଥ ଅଧିକାରୀଙ୍କ ପଛରେ ଅସଭ୍ୟ ଭାଷାରେ ଗାଳି ବି କରିଥାନ୍ତି। ଏମାନେ କାହାର ନୁହନ୍ତି, ସ୍ୱାର୍ଥ ଯଉଠି ଏମାନେ ସେଇଠି।

ଯେଉଁ ବ୍ୟକ୍ତି ଅନ୍ୟ ଦ୍ୱାରା ପ୍ରଶଂସା ଶୁଣି ପ୍ରଭାବିତ ହୋଇଥାନ୍ତି, ସେମାନଙ୍କର ନିଜ ଉପରେ ବିଶ୍ୱାସ କମ୍ ଥାଏ। ଗୁଣୀ ଲୋକେ ମାନେ କେବେ ଅନ୍ୟର କଥାରେ ପ୍ରଭାବିତ ହୁଅନ୍ତି ନାହିଁ। ସେମାନେ ନିଜର କାର୍ଯ୍ୟ ଦକ୍ଷତାକୁ ଠିକ୍ ଭାବେ ବିଶ୍ଲେଷଣ ଓ ଆତ୍ମା ଚିନ୍ତନ କରିଥାନ୍ତି। ଥରେ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଏକୁଟିଆ ଥିବାର ଦେଖି ତାଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ କହିଲେ ସାର୍ ଆପଣ ଅନୁମତି ଦେଲେ, ଗୋଟିଏ କଥା କହନ୍ତି। ଅଧିକାରୀ ଜଣକ କହିଲେ କ’ଣ କହିବାକୁ ଚାହୁଁଛନ୍ତି ଆପଣ? କର୍ମଚାରୀ ଜଣକ କହିଲେ ଆପଣ ବହୁତ ଭଲ ଲୋକ, ଭଲ କାମ କରୁଛନ୍ତି, କାହାର କିଛି ବି ଅସୁବିଧା କରୁନାହାନ୍ତି, ଆପଣଙ୍କ ପାଖରୁ ବହୁତ କଥା ଶିଖିବାକୁ ମିଳୁଛି, ଆପଣ ସମସ୍ତଙ୍କୁ ସାହାଯ୍ୟ ବି କରୁଛନ୍ତି, ଆପଣଙ୍କ ଭଳି ଅଫିସର କେବେ ବି ଦେଖିନଥିଲି, ଆପଣ ନଥିଲେ ଆମେ କେବେ ଠାରୁ ଭାସି ଯାଆନ୍ତୁଣି। ଅଧିକାରୀ ଜଣକ କହିଲେ ମୋତେ ଆଉ ବେଶି ପ୍ରଶଂସା କରି ଉପରକୁ ନିଅନ୍ତୁନି। ମୁଁ କ’ଣ? ମୁଁ ଜାଣିଛି, ମୋର କାର୍ଯ୍ୟ ଦକ୍ଷତା ଉପରେ ମୋର ବିଶ୍ୱାସ ଅଛି, ମୁଁ କେତେ ଭଲ ମୁଁ ବି ଜାଣିଛି। ତେଣୁ ଆପଣ ନିଜ କାର୍ଯ୍ୟ ଠିକ୍ ରେ କରନ୍ତୁ ଆଉ ଯଦି ଭାବୁଛନ୍ତି ମୁଁ ଭଲ, ତାହେଲେ ମୋ ପରି ହେବାକୁ ଚେଷ୍ଟା କରନ୍ତୁ।

ଯଦି ଅଧିକାରୀ ଜଣକ ନିଜର ପ୍ରଶଂସା ଶୁଣି, ଭୁଲ ଆଉ ଠିକ୍ ବିଚାର କରିନଥାନ୍ତେ, ତେବେ ଲୋକଟି ନିଜର ଚାଟୁକାରିତା ବଳରେ ନିଜର ସ୍ୱାର୍ଥ ସାଧନ କରିବାରେ ସଫଳ ହୋଇପାରିଥାନ୍ତା। ଚାଟୁକାର ମାନେ ନିଜ ଆଡକୁ ଆକର୍ଷିତ କରିବାକୁ ଏମିତି କରିଥାନ୍ତି। ଏମାନେ ଭଲ କଥା କହିବେ, ଗୋଟାପଣ ନିଜର ନିଜର ଲାଗିବେ, ଏମିତି ସ୍ଵଭାଵ ପ୍ରଦର୍ଶନ କରିବେ, ଯିଏ ବି ତାଙ୍କ ସଂସ୍ପର୍ଶ ରେ ଆସିବ ସେ କହିବ ଏମିତିକା ଭଦ୍ରଲୋକ ଆଜିକା ଦୁନିଆରେ ମିଳିବା ଅସମ୍ଭବ। ଚାଟୁକାର ମାନଙ୍କୁ କେହି କେହି ତେଲିଆ ଓ ଯୋଗାଡ଼ିଆ ପରି ଶବ୍ଦ ରେ ସମ୍ବୋଧିତ କରିଥାନ୍ତି। କିନ୍ତୁ ଏମାନେ ସେ ସବୁ କଥାକୁ ଖାତିର କରିନଥାନ୍ତି। ଶିକ୍ଷା, ଦୀକ୍ଷା ଏବଂ ଦକ୍ଷତାରେ ପଛରେ ଥିଲେ ବି ସଫଳତା ପାଇବାରେ ଏମାନଙ୍କର କିଛି ଅସୁବିଧା ହୁଏନି। ନିଜ କଥା କହିବାର ଅଭୁତ କଳା କୌଶଳ ପ୍ରୟୋଗ କରି ଦ୍ରୁତ ଗତିରେ ଏମାନେ ଲକ୍ଷ ସ୍ଥଳରେ ପହଞ୍ଚିବାରେ ସମର୍ଥ ହୋଇଥାନ୍ତି।

ସାଧାରଣତଃ ଏମାନଙ୍କ ତେଲ ମାରିବାଟା ଚପଲ ରୁ ଆରମ୍ଭ ହୋଇ କୋଉଠି ସରିବ କେହି କହିପାରିବେନି। ଯେମିତିକି, ଆପଣଙ୍କ ଚପଲ ଟା ବହୁତ ଭଲ ହେଇଛି, କୋଉଠୁ କିଣିଛନ୍ତି ଆଜ୍ଞା? ଏମିତି ଚପଲ ମୁଁ କେବେ ଦେଖିନି। ଆପଣଙ୍କୁ ବହୁତ ଭଲ ମାନୁଛି, ଆପଣ ବି ବହୁତ ସୁନ୍ଦର ଦେଖାଯାଉଛନ୍ତି, ଆପଣ ସିନା କହୁଛନ୍ତି ଆପଣ ଙ୍କୁ ବେଶି ବୟସ କିନ୍ତୁ ଆପଣ ଯୁବକ ଲାଗୁଛନ୍ତି। ଏମିତି ତେଲ ମାରିବେ ଯେ ବିଲେଇକୁ ବାଘ କରିଦେବେକୁ ଏମାନଙ୍କୁ ବେଶି ସମୟ ଲାଗେନି। ଆଜିକାଲି କିଛି ଲାଭ ପାଇବାକୁ ହେଲେ କେତେ କ’ଣ ଖର୍ଚ କରିବାକୁ ପଡୁଛି। କିନ୍ତୁ ଏମାନେ ବିନା ଖର୍ଚରେ କେବଳ ନିଜର ବାକ୍ୟ ପ୍ରୟୋଗ କରି ସବୁବେଳେ ଲାଭରେ ଥାଆନ୍ତି। ଏମାନେ ବିଭିନ୍ନ ପଦପଦବୀରେ, ଅନୁଷ୍ଠାନରେ, ସବୁ ଜାଗାରେ ଆଉ ସବୁ ସ୍ତରରେ କିଛି କିଛି ଅଛନ୍ତି। ଏମାନଙ୍କ ଚରିତ୍ରଙ୍କୁ ଅନ୍ୟମାନେ ଭୟ ଏବଂ ଘୃଣା କରୁଥିଲେ ମଧ୍ୟ ଏମାନଙ୍କ କବଳରୁ ରକ୍ଷା ପାଇବାର କୌଣସି ଉପାୟ ନ ଥାଏ। କିନ୍ତୁ ଏମାନଙ୍କ କବଳରୁ କିଛି ମାତ୍ରାରେ ନିଜକୁ ରକ୍ଷା କରାଯାଇ ପରେ, ସେଥିପାଇଁ ପାଇଁ କିଛି ଟା ସତର୍କତା ଜରୁରୀ ଯଥା ଗୁରୁତ୍ୱପୂର୍ଣ ଓ ଗୋପନୟ କଥା ନକହିବା ଆଉ ଯେତିକି ଆବଶ୍ୟକ ସେତିକ କଥା ହେବା ଶ୍ରେୟସ୍କର।

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡା