Odiapua.com

ବିନା ଇଣ୍ଟରର୍ଭ୍ୟୁରେ ନିଯୁକ୍ତି ଦାବି ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଗଣଧାରଣା

ବାଲେଶ୍ୱର, ୧୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : କୋଭିଡ୍ ସମୟରେ ରୋଗୀଙ୍କୁ ଉତ୍ତମ ଚିକିତ୍ସା ସେବା ଦେଇ ଆସିଥିବା ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟମିତ କର୍ମଚାରୀ ଭାବେ ନିଯୁକ୍ତି ପ୍ରଦାନ ଦାବିରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। କୋଭିଡ୍ କାଳରେ ଜୀବନକୁ ପାଣି ଛଡ଼େଇ କୋଭିଡ୍ ଯୋଦ୍ଧା ଭାବେ ସେମାନେ କାର୍ଯ୍ୟ କରିଥିଲେ। ଲୋକଙ୍କ ସ୍ୱାବ ସଂଗ୍ରହଠାରୁ ପରୀକ୍ଷା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସେମାନେ ଶେଷ୍ଠ କାର୍ଯ୍ୟ ଦକ୍ଷତାର ପରିଚୟ ଦେଇ ଆସିଥିଲେ। ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ୬ ହଜାର ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିବା ବେଳେ ସେଇସବୁ ପଦବୀରେ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ ନିମନ୍ତେ ସେମାନେ ଦାବି କରୁଥିଲେ। ନତୁବା ଆଗାମୀ ଦିନରେ ଏହି ଧାରଣା ଆହୁରି ତୀବ୍ର ହେବ ବୋଲି ଧାରଣାରତ ସ୍ୱାସ୍ଥ୍ୟକର୍ମୀମାନେ ଚେତାବନୀ ଦେଇଥିଲେ। ସମ୍ପ୍ରତି ବାଲେଶ୍ୱର ସରକାରୀ ମେଡିକାଲ କଲେଜରେ ୫୩ ଜଣ ଓ ସିଡିଏମଓଙ୍କ କାର୍ଯ୍ୟାଳୟରେ ୧୮ ଜଣଙ୍କୁ ମିଶାଇ ମୋଟ କାର୍ଯ୍ୟରତଙ୍କ ସଂଖ୍ୟା ୭୧ ଥିବା ବେଳେ ଦୁଇ ସ୍ଥାନରେ ୩୬୮ ଗୋଟି ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଏଭଳି ସ୍ଥିତିରେ ପୂର୍ବରୁ କୋଭିଡ୍ କାଳରେ କାର୍ଯ୍ୟ କରିଥିବା ଅଭିଜ୍ଞତା ସମ୍ପନ ସ୍ୱାସ୍ଥ୍ୟକର୍ମୀଙ୍କୁ ତୁରନ୍ତ ନିଯୁକ୍ତି ଦେବା ପାଇଁ ସେମାନେ ଦାବି କରିଛନ୍ତି।ଏହି ଅବସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।