Odiapua.com

ବିନା ଅଧିକାରୀରେ ଚାଲିଛି ହରିଚନ୍ଦନପୁର ବ୍ଲକର ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଆଦିବାସୀଙ୍କୁ ଭଗବାନ ହିଁ ଭରଷା

ହରିଚନ୍ଦନପୁର,ତା ୧୩ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦ୍ର ଓ ରାଜ୍ୟସରକାର ଜନସାଧାରଣଙ୍କୁ ସମସ୍ତ ସୁବିଧା ଯୋଗାଇଦେବାକୁ ବ୍ଲକସ୍ତରରେ ବିଭିନ୍ନ ବିଭାଗର କାର୍ଯ୍ୟାଳୟ ଖୋଲିଛନ୍ତି । ହେଲେ କାର୍ଯ୍ୟାଳୟ ଗୁଡିକରେ ଅଧିକାରୀମାନଙ୍କର ଅବସର ଓ ଅନ୍ୟତ୍ର ବଦଳି ଫଳରେ ଅଧିକାରୀ ଭଳି ଗୁରୁତ ପୂର୍ଣ୍ଣ ପଦବୀ ଗୁଡିକ ଅନେକ ଦିନ ହେବ ଖାଲି ପଡିଛି । ଅନ୍ୟ ବ୍ଲକର ଅଧିକାରୀମାନଙ୍କୁ ଏହି ବ୍ଲକରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ସେମାନେ ନିୟମିତ ନଆସିବାରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ବହୁ ଦୁରଦୁରାନ୍ତରୁ ଆସୁଥିବା ଶହଶହ ଲୋକ ଅଧିକାରୀମାନଙ୍କୁ ନପାଇ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି । ଖାଲି ବ୍ଲକର ବିଡିଓ ନୁହଁନ୍ତି ରାଜସ୍ୱ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଜଳ ସେଚନ ପରି ଗୁରୁତପୂର୍ଣ୍ଣ ଅଧିକାରୀଙ୍କ ପଦବୀ ଖାଲି ପଡିଛି । ଆମେ କହୁଛୁ ରାଜ୍ୟର ଆୟତନ ଦୃଷ୍ଟିରେ ଦ୍ୱିତୀୟ ବୃହତମ ବ୍ଲକ ଭାବରେ ପରିଚିତ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ କଥା । ହରିଚନ୍ଦନପୁର ବ୍ଲକର ଅଧିକାରୀଙ୍କ ପଦବୀ ଚଳିତ ବର୍ଷ ଅପ୍ରେଲ ମାସରୁ ଖାଲି ପଡିଥିବା ବେଳେ ସହକାରୀ ଓ ନିର୍ବାହୀଯନ୍ତ୍ରୀ ସମେତ ସାମାଜିକ ସୁରକ୍ଷା ଅଧିକାରୀ ଓ ୧୦ଟି ପଞ୍ଚାୟତର ର୍ନିବାହୀ ଅଧିକାରୀଙ୍କ ପଦବୀ ୧ବର୍ଷ ହେବ ଖାଲି ପଡିଥିବା ଜଣାପଡିଛି । ତହସିଲଦାର ପଦବୀ ପ୍ରାୟ ୧ମାସ ହେବ ଖାଲିପଡିଥିବା ବେଳେ ଓ ଅତିରିକ୍ତ ତହସିଲଦାରଙ୍କ ଅବସରର ପରେ ପଦବୀ ଖାଲି ପଡିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । କରୋନା ମହାମାରୀ ସମୟରେ ଉଭୟ ସରକାର ସ୍ୱାସ୍ଥ୍ୟ ବିଭାଗକୁ ଗୁରୁତ୍ୱ ଦେଉଥିବା ବେଳେ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଅଧିକାରୀଙ୍କ ସହ ୪ଟି ଡାକ୍ତର ପଦବୀ ଖାଲିପଡିଛି । ଏହି ଚିକିତ୍ସାଳୟର ମୁଖ୍ୟ ଅଧିକାରୀ ପଦବୀ ଖାଲିଥିବାରୁ ଘଟଗାଁ ଚିକିତ୍ସାଅଧିକାରୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଏଥିସହ ବ୍ଲକର ପିଠାଗୋଳା ଓ କଳାପାଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ଖାଲି ପଡିଛି । ସେହିପରି ବ୍ଲକର ଶିକ୍ଷାଅଧିକାରୀ ପଦବୀ ଖାଲିଥିବା ବେଳେ ଦୁଇଟି ସହକାରୀ ଶିକ୍ଷାଧିକାରୀ ପଦବୀ ଖାଲିପଡିଥିବାକୁ ନେଇ ଘଟଗାଁ ଶିକ୍ଷାଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ଜଳସମ୍ପଦ ବିଭାଗର ଅସକାରୀ ଯନ୍ତ୍ରୀ ସମେତ କନିଷ୍ଠଯନ୍ତ୍ରୀ ଗତ ଜାନୁୟାରୀ ମାସରୁ ବଦଳି ହେଲେଣି ଏହାର ଅତିରିକ୍ତ ଦାୟିତ୍ୱ ଘଟଗାଁ ସବଡିଭିଜନର ସହକାରୀ ଯନ୍ତ୍ରୀଙ୍କୁ ଦିଆଯାଇଛି । ଯାହାକୁ ନେଇ ସାଧାରଣରେ ଆଲୋଚନା, କେବଳ ଭଗବାନଙ୍କ ଭରଷାରେ ଚାଲିଛି ହରିଚନ୍ଦନପୁର ବ୍ଲକ । ଅତି ଦୁଃଖ ଓ ପରିତାପର ବିଷୟ କୋରନା ଭଳି ମହାମାରୀ ସମୟରେ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଏଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଧିକାରୀ ପଦବୀ ଖାଲି ପଡିଥିବାରୁ ଜନସାଧାରଣରେ ଅନେକ ପ୍ରଶ୍ନ ଉଠୁଛି । ଏଥିପ୍ରତି ରାଜ୍ୟର ଉଚ୍ଚପଦସ୍ଥ ଅଧିକାରୀ ଦୃଷ୍ଟିଦେଇ ଯଥାଶିଘ୍ର ଏହି ପଦବୀ ଗୁଡିକ ପୂରଣ କଲେ ଏ ଆଦିବାସୀ ଅଞ୍ଚଳର ଜନସାଧାରଣ ଉପକୃତ ହୁଅନ୍ତେ ବୋଲି ଶିକ୍ଷାବିତ ମହଲରେ ମତ ପ୍ରକାଶ ।