Odiapua.com

ବିଧାୟକ ମୋକିମଙ୍କ କଟକ ଡିସିପିଙ୍କ ଅସମ୍ମାନ ପ୍ରସଙ୍ଗ : ଅଖିଳେଶ୍ୱରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

ଭୁବନେଶ୍ୱର ତା ୨୨-୯ (ଓଡ଼ିଆ ପୁଅ) – କଟକ ସହର ଦଶହରା ଶାନ୍ତି କମିଟି ପ୍ରସ୍ତୁତି ବୈଠକକୁ ମାନ୍ୟବର ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ ଙ୍କ ନଡକାଯିବା ଓ ଜାଣିଶୁଣି ଅସମ୍ମାନ କରିବା ପ୍ରସଙ୍ଗରେ ଆପତି କଲା ପ୍ରଦେଶ କଂଗ୍ରେସ। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମିଡିଆ ସେଲ୍ ମୁଖ୍ୟ ତଥା କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଏ ନେଇ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ କାଠଗଡା ଭିତରକୁ ଟାଣିଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ୫ଟିର ମନ୍ତ୍ର ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଓଡିଶା ସରକାରଙ୍କ ଗୃହ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା କଟକ ଡିସିପି ଅଖିଳେଶ୍ୱର ସିଂ ଜାଣିଶୁଣି ବାରବାଟୀ-କଟକ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଙ୍କ ଓଡିଶା ସରକାରଙ୍କ ବୁକ୍ ସର୍କୁଲାର ନଂ ୪୭ କୁ ଉଲ୍ଲଘନ କରି ସରକାରୀ କାର୍ଯ୍ୟକ୍ରମ ଠାରୁ ଦୂରରେ ରଖୁଛନ୍ତି। ମୁଖ୍ୟମନ୍ତ୍ରୀ “ମୋ ସରକାର” କାର୍ଯ୍ୟକ୍ରମ ହାତକୁ ନେଇ ପୋଲିସ ପ୍ରଶାସନ ସାଧାରଣ ଜନତାଙ୍କ ପାଖରେ କିଭଳି ଉତରଦାୟୀ ରହିବ ସେ ପ୍ରସଙ୍ଗରେ ଅତ୍ୟଧ୍ଚଳ ପ୍ରଚାର ପ୍ରସାର କରୁଥିବା ବେଳେ କଟକର କଂଗ୍ରେସ ଦଳର ନିର୍ବାଚିତ ବିଧାୟକ ଶ୍ରୀ ମୋକିମ୍ ଙ୍କ ସରକାରୀ କାର୍ଯ୍ୟକ୍ରମକୁ ନ ଡାକି ଓଡିଶାବାସୀଙ୍କୁ ଏକ ନକରାତ୍ମକ ସନ୍ଦେଶ ଦେଉଛନ୍ତି। ଓଡିଶା ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ଜାରି କରିଥିବା ବୁକ୍ ସର୍କୁଲାର ନଂ ୪୭ ଅନୁଯାୟୀ ପ୍ରତ୍ୟେକ ସରକାରୀ ଅଧିକାରୀ ନିର୍ବାଚିତ ଜନପ୍ରତିନିଧିଙ୍କୁ ଯଥାବିଧି ସମ୍ମାନ ପ୍ରଦର୍ଶନ ପୂର୍ବକ ଜନସାଧାରଣଙ୍କ ଉନ୍ନତିମୂଳକ କାର୍ଯ୍ୟ ପାଇଁ ତାଙ୍କୁ ସାହାଯ୍ୟ କରିବେ ଏବଂ ପ୍ରୋଟୋକଲ ଅନୁଯାୟୀ ତାଙ୍କୁ ଯଥାରୀତି ସ୍ଥାନୀୟ କାର୍ଯ୍ୟରେ ସାମିଲ କରାଇବେ। କିନ୍ତୁ ଦୁଃଖର ବିଷୟ କଟକ ଡିସିପି ଅଖିଳେଶ୍ୱର ସିଂ ଏ ସମସ୍ତ ସରକାରୀ ବିଧି ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଲ୍ଲଘଂନ କରିଚାଲିଛନ୍ତି ଏବଂ ବାରମ୍ବାର ତାଙ୍କର ଏ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସତ୍ୱେ ସରକାର ସଂପୂର୍ଣ୍ଣ ମୌନବ୍ରତ ପାଳନ କରିବା ଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ତାଙ୍କର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପ୍ରତି ଥିବା ଆନୁଗତ୍ୟକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଜଣେ ଜନସେବକ ନିର୍ବାଚିତ ଜନପ୍ରତିନିଧିଙ୍କୁ ସରକାରୀ କାର୍ଯ୍ୟକ୍ରମରେ ଜାଣିଶୁଣି ଅବହେଳା ଓ ଅସମ୍ମାନ ପ୍ରଦର୍ଶନ କରିବା ସର୍ବ ଭାରତୀୟ ପ୍ରଶାସନିକ ସେବା ନିୟମାବଳୀର ଖୋଲାଖୋଲି ଉଲ୍ଲଘଂନ ଅଟେ। ମୁଖ୍ୟମନ୍ତ୍ରୀ ହେଉଛନ୍ତି ଗୃହର ନେତା ଏବଂ ରାଜ୍ୟ ଗୃହ ବିଭାଗ ତାଙ୍କ ଅଧିନରେ କାର୍ଯ୍ୟ କରୁଛି। ସେହି ଗୃହ ବିଭାଗର ଜଣେ ପୋଲିସ ଅଧିକାରୀ ବିଧାନସଭା (ଗୃହ)ର ଜଣେ ସଭ୍ୟଙ୍କୁ ଅସମ୍ମାନିତ କଲେ। ଏହା ଜାଣି ମଧ୍ୟ ମୁଖ୍ୟମନ୍ତ୍ରୀ ନିରବ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ପ୍ରକାଶ କରିବା ସହିତ ଯଦି ମୁଖ୍ୟମନ୍ତ୍ରୀ ଗୃହର ମର୍ଯ୍ୟାଦା ବଂଚାଇ ରଖିବାକୁ ଚାହାନ୍ତି, ତେବେ ରାଜନୀତିରୁ ଉଦ୍ଧ୍ୱର୍କୁ ଯାଇ ସେହି ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। କଟକ ଡିସିପିଙ୍କ ସରକାରୀ କାର୍ଯ୍ୟାଳୟକୁ କୌଣସି ରାଜନୈତିକ ଦଳର କାର୍ଯ୍ୟାଳୟ ଭାବରେ ବ୍ୟବହାର ନକରିବାକୁ ଚେତାବନୀ ଦେଇଛି କଂଗ୍ରେସ।

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଶାନ୍ତ ଶତପଥି, ରଜନୀ କୁମାର ମହାନ୍ତି ଓ ଜିନେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।