Odiapua.com

ବିଧାୟକ ବୋମକେଶ ରାୟଙ୍କୁ ତୁରନ୍ତ ଗିରଫ କରାଯାଉ:ବିଜେପି

ବିଷାକ୍ତ ମଦ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ମାନବ ଅଧିକାର ଆୟୋଗଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ

– ବାରମ୍ବାର ଅଭିଯୋଗ ସତ୍ୱେ ମଦ ମୃତ୍ୟୁରେ ଅଭିଯୁକ୍ତ ବିଧାୟକଙ୍କୁ କାହିଁକି କରାଯାଉନି ଗିରଫ ?
– ମଦ ମୃତ୍ୟୁରେ ପ୍ରାଣ ହରାଇଥିବା ୧୨ ପରିବାରକୁ କେବେ ମିଳିବ ନ୍ୟୟ ?
– କାହା ନିର୍ଦ୍ଦେଶରେ ଓ କାହିଁକି ଚୁପ ବସିଛନ୍ତି ପୋଲିସ ଓ ଅବକାରି ବିଭାଗ ?

ଭୁବନେଶ୍ୱର, ତା.୨୫/୦୬ (ଓଡ଼ିଆ ପୁଅ) : ଗତ ଏପ୍ରିଲ ମାସ ୨୮ ତାରିଖ ଦିନ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀରେ ଭୋଟ ହାତେଇବା ପାଇଁ ଶାସକ ବିଜେଡିର ନେତା ଓ ବିଧାୟକ ପାର୍ଥୀ ବିଷାକ୍ତ ମଦ ତିହିଡି ବ୍ଲକରେ ବାଂଟିଥିଲେ। ଏହାକୁ ପିଇ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ରୁ ଉଦ୍ଧ୍ୱର୍ଲୋକ ଅସୁସ୍ଥ ହୋଇଥିଲେ। ଘଟଣାକୁ ୨ ମାସ ବିତିଥିଲେ ମଧ୍ୟ ଏଯାବତ ପୋଲିସ କେବଳ ଜଣକୁ ଗିରଫ କରି ଚୁପ ବସିଛି। ଏହି ଘଟଣାର ମୁଖ୍ୟ ଦୋଷୀ ଚାନ୍ଦବାଲି ବିଜେଡି ବିଧାୟକ ବୋମକେଶ ରାୟ ଓ ତାଙ୍କ ସହଯୋଗୀ ଯିଏ ଜଣେ ଚୋର ମଦ ମାଫିଆ ତାଙ୍କୁ ପୋଲିସ ଗିରଫ ନକରି ତାଙ୍କୁ ସୁରକ୍ଷା ଯୋଗାଉଛି। ଅନ୍ୟ ପକ୍ଷରେ ରାଜ୍ୟ ସରକାର ପ୍ରତି ମୃତକ ପରିବାରକୁ ୫୦ ହଜାର ଟଙ୍କା ଘୋଷଣା କରି ମଧ୍ୟ ସମସ୍ତଙ୍କୁ ପ୍ରଦାନ କରିନାହାଁନ୍ତି। ତୁରନ୍ତ ବିଜେଡି ବିଧାୟକ ବୋମକେଶ ରାୟଙ୍କୁ ଗିରଫ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଆଦି ଦାବି ନେଇ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ଶ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧୀ ଦଳ ମାନବ ଅଧିକାର କମିଶନଙ୍କୁ ଭେଟି ଏ ଘଟଣାରେ ହସ୍ତକ୍ଷେପ ଲୋଡିଛି।

ସାଧାରଣ ନିର୍ବାଚନରେ ଭୋଟ ହାତେଇବା ପାଇଁ ଶାସକ ବିଜେଡି ଚାନ୍ଦବାଲିରେ ଲୋକଙ୍କୁ ବିଷାକ୍ତ ମଦ ଏବଂ ଟଙ୍କା ବାଂଟିଥିଲା। ଚାନ୍ଦବାଲି ବିଧାୟକ ବୋମକେଶ ରାୟ ଏବଂ ତାଙ୍କ ସହଯୋଗି ଅଜୟ କୁମାର ନାୟକଙ୍କ ସମେତ ଅନେଲ ବିଜେଡି କର୍ମୀମାନେ ମଦମୃତ୍ୟୁରେ ଜୀବନ ହାରିଥିବା ଲୋକଙ୍କୁ ବିଷାକ୍ତ ମଦ ବାଂଟିବା କଥା ଗଣମାଧ୍ୟମକୁ ସ୍ଥାନୀୟ ବାସିନ୍ଦା ଜଣାଇଥିଲେ। ନିର୍ବାଚନ ପୂର୍ବଦିନ ଶାସକ ବିଜେଡି ବିଧାୟକ ଏବଂ କିଛି କର୍ମୀ ମଦ ସହ ଟଙ୍କା ବାଂଟିଥିଲେ। ୪୮ ଘଂଟା ପୂର୍ବରୁ ନିର୍ବାଚନ କଟକଣା ଲାଗିବା ସତ୍ୱେ ସ୍ଥାନୀୟ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଇନଥିଲା। ରାଜନୈତିକ ଉଦ୍ଦେଶ୍ୟ ରଖି ଏଥିରେ ସଂପୃକ୍ତ ଥିବା ଶାସକ ବିଜେଡି ଦଳର ନେତା ଏବଂ କର୍ମକର୍ତାମାନଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହି ବିଷାକ୍ତ ମଦ କିଛି ମଦ ମାଫିଆଙ୍କ ଦ୍ୱାରା ତିଆରି ହୋଇ ବଂଟାଯାଇଥିଲା ବୋଲି ଶ୍ରୀ ସାମଲ ଅଭିଯୋଗ କରିଛନ୍ତି।

ଶାସକ ଦଳର ଚାପରେ ପୋଲିସ ଓ ଗୃହ ବିଭାଗ ବିଜେଡି ବିଧାୟକ, ବିଜେଡି କର୍ମୀ ଏବଂ ମଦ ମାଫିଆଙ୍କୁ ଘଂଟ ଘୋଡାଇ ଚାଲିଛି। ଏ ଘଟଣାରେ ସଂପୃକ୍ତ ଥିବା ବିଧାୟକ, ଏବଂ ମଦ ମାଫିଆଙ୍କୁ ଗିରଫ କରିବା ପାଇଁ ମାନବ ଅଧିକାର କମିଶନଙ୍କ ଆଗରେ ଏହି ପ୍ରତିନିଧୀ ଦଳ ଦାବି କରିଛନ୍ତି।

ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ପୂର୍ବରୁ ବିଜେପିର ଏକ ପ୍ରତିନିଧୀ ଦଳ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ଶାସନ ସଚିବ ତଥା ଗୃହ ସଚିବ, ଅବକାରୀ କମିଶନର, ଅବକାରୀ ବିଭାଗର କମିଶନର ତଥା

ସଚିବ, ଭଦ୍ରକ ଜିଲ୍ଲାପାଳ, ଭଦ୍ରକ ଏସପି, ପୋଲିସ ଡିଜି ଏବଂ ଆଇଜିଙ୍କ ପାଖରେ ଅଭିଯୋଗ କରିଥିଲା। ମାତ୍ର ରାଜ୍ୟ ସରକାର କାହିଁକି ମଦ ମାଫିଆଙ୍କ ଉପରେ ଏତେ ନରମ ମନୋଭାବ ପୋଷଣ କରୁଛନ୍ତିି, ତାହା ବୁଝିହେଉନାହିଁ। ମଦ ମୃତ୍ୟୁର ଶିକାର ହୋଇଥିବା ପରିବାରଙ୍କୁ କେବେ ନ୍ୟୟ ମିଳିବ ବୋଲି ଶ୍ରୀ ସାମଲ କହିଛନ୍ତି।

ସେହିପରି କେନ୍ଦୁଝରର ଚମ୍ପୁଆରେ ଏସାର ଷ୍ଟିଲ ଇଣ୍ଡିଆ ଲିମିଟେଡରେ ଜମି ଜାଗା ହରାଇଥିବା ଲୋକମାନଙ୍କ ପ୍ରତି ସମ୍ପୃକ୍ତ କମ୍ପାନି ଦିର୍ଘ ଦିନ ଧରି ବୈମାତୃକ ମନୋଭାବ ପୋଷଣ କରିଆସୁଛି। ସେହି କାରଖାନା ଆର୍ ଆଣ୍ଡ ଆର୍ ପଲିସି ଅନୁସାରେ ୨୦୦୬ ମସିହାରେ ପ୍ରତିଷ୍ଠା ହୋଇଥିଲା। ସେହି ଆକ୍ଟ ଅନୁଯାୟୀ ଯେଉଁମାନେ ଜମି, ଜାଗା ହରାଇବେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଯୋଗାଇବା, ଥଇଥାନ କରାଇବା ପାଇଁ ସରକାର ଏବଂ ବେସକାରୀ ଶିଳ୍ପ ସଂସ୍ଥାମାନେ ବାଧ୍ୟ। କିନ୍ତୁ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାବତ୍ ସେମାନଙ୍କୁ ଏସାର ଷ୍ଟିଲ୍ ଇଣ୍ଡିଆ ଲିମିଟେଡ୍ ପକ୍ଷ୍ୟରୁ କୌଣସି ସହାୟତା ପ୍ରଦାନ ନକରି ଏଠାକାର ସ୍ଥାୟୀ ବାସୀନ୍ଦାଙ୍କ ଉପରେ ବୈ÷ମାତୃକ ମନୋଭାବ ପ୍ରଦର୍ଶନ କରିଆସୁଛି। କଂପାନୀ ପକ୍ଷରୁ କୌଣସି ଲୋକଙ୍କୁ ଥଇଥାନ କରାଯାଇ ନାହିଁ। ଏପରିକି ବୈତରଣୀ ନଦୀକୁ ଏହି ଶିଳ୍ପ ସଂସ୍ଥା ପକ୍ଷରୁ ଅତିମାତ୍ରାରେ ପ୍ରଦୁଷଣ କରାଯାଉଛି। ଏହି ଘଟଣାରେ ସମ୍ପୃକ୍ତ କମ୍ପାନି ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଏହି ପ୍ରତିନିଧି ଦଳ ଦାବି କରିଛି।

ଏହି ପ୍ରତିନିଧୀ ଦଳରେ ଉପସଭାପତି ସମୀର ମହାନ୍ତି, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ଆଇନଜୀବୀ ଜୟନ୍ତ ଜେନା ଓ ସତ୍ୟ ପ୍ରକାଶ ନାୟକ, କେନ୍ଦ୍ୁଝର ଜିଲ୍ଲା ସଭାପତି ରାଧାକାନ୍ତ ମହନ୍ତ ପ୍ରମୁଖ ସାମିଲ ଥିଲେ।