Odiapua.com

ବିଧାୟକଙ୍କୁ ନିଜର ସମସ୍ୟା ନେଇ ଅବଗତ କରାଇଲେ ଛଟେଇ ଶ୍ରମିକ

ତାଳଚେର, ୪/୬ (ଓଡ଼ିଆ ପୁଅ) : ଏନଟିପିସିର ପୁରୁଣା ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ ବନ୍ଦ ହୋଇଯିବା ପରେ ସେଠାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ବାଧ୍ୟତାମୂଳକ କାର୍ଯ୍ୟରୁ ହଟାଇ ଦିଆଯାଇଥିଲା। ବର୍ତ୍ତମାନ ସେମାନେ ପରିବାର ପ୍ରତିପୋଷଣ କରିବାକୁ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ଶ୍ରମିକମାନେ ଏହିପରି ଭାବରେ ଦୀର୍ଘ ଦୁଇବର୍ଷ ହେବ ଅଭାବ ଅନାଟନ ମଧ୍ୟରେ ରହି ଆସୁଛନ୍ତି। ତେବେ ଶ୍ରମିକମାନଙ୍କୁ ପୁନଃ ନିଯୁକ୍ତି ପାଇଁ ଥର୍ମାଲ କର୍ତ୍ତୃପକ୍ଷ ଦେଇଥିବା ତାଙ୍କ ପ୍ରତିଶ୍ରୁତିକୁ ଭୁଲିଯାଇ ପ୍ରତାରଣା କରୁଥିବା ଅଭିଯୋଗ ହେଉଛି। ପ୍ରଶାସନ ପକ୍ଷରୁ ଆହୁତ ବୈଠକରେ ସେମାନଙ୍କୁ ନିଯୁକ୍ତି ଦେବା ନେଇ ନିଷ୍ପତି ନିଆଯାଇଥିଲେ ସୁଦ୍ଧା ଥର୍ମାଲ କର୍ତ୍ତୃପକ୍ଷ ପ୍ରଶାସନର ନିଷ୍ପତିକୁ ମାନୁନଥିବା ଅଭିଯୋଗ ହେଉଛି। ଉକ୍ତ କଂପାନୀରେ ନିଯୁକ୍ତି ଦେବା ପାଇଁ ଏଠାରେ ଶ୍ରମିକମାନେ ଅନେକବାର ବିଭିନ୍ନ ଦାବି ନେଇ ବିଭିନ୍ନ ସମୟରେ ଧାରଣା ଦେଇ କଂପାନୀ କର୍ତ୍ତୃପକ୍ଷ ନିକଟରେ ଦାବି ଉପସ୍ଥାପିତ କରିଛନ୍ତି। କିନ୍ତୁ ସେମାନେ ବାରମ୍ବାର ନିରାଶ ହୋଇଛନ୍ତି। ଏଣୁ ବାବୁନି ସ୍ୱାଇଁଙ୍କ ନେତୃତ୍ୱରେ ବହୁ ଶ୍ରମିକ ନିଜର ଦୁଃଖ ଦୁର୍ଦ୍ଦଶାର ପରିସ୍ଥିତିକୁ ନେଇ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ ଭେଟି ଅବଗତ କରାଇଛନ୍ତି। ତେବେ ଏହି ସମସ୍ୟାର ସମାଧାନ ଲାଗି ବିଧାୟକ ଶ୍ରୀ ପ୍ରଧାନ ବିଶେଷ ଦୃଷ୍ଟି ଦେବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡ଼ିଛି।