Odiapua.com

ବିଧାନସଭାରେ ଉପସ୍ଥାପିତ ହେଲା ଚଳିତ ଆର୍ଥିକ ବର୍ଷ ବଜେଟ୍ : ୨ ଲକ୍ଷ କୋଟିର ବଜେଟ୍‌ ଉପସ୍ଥାପିତ

ଭୁବନେଶ୍ବର ୩-୭ (ଓଡ଼ିଆ ପୁଅ) : ବିଧାନସଭାରେ ଶନିବାରଠାରୁ ଆରମ୍ଭ ହୋଇଛି ମୌସୁମୀ ଅଧିବେଶନ। ଗତକାଲି ଥିଲା ପ୍ରଥମ ଦିନ। ଏହି ଅଧିବେଶନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆର୍ଥିକ ବର୍ଷ ୨୨-୨୩ ପାଇଁ ୨ଲକ୍ଷ କୋଟିର ବଡ଼ ବଜେଟ୍‌ ବିଧାନସଭାରେ ଉପସ୍ଥାପିତ କରିଛନ୍ତି। ଯାହାକି ଗତ ଆର୍ଥିକ ବର୍ଷ ତୁଳନାରେ ଏହା ୧୭.୬ ପ୍ରତିଶତ ଅଧିକ।

ଏହି ବଜେଟ ଉପରେ ମୁଖ୍ୟମନ୍ତ୍ରୀ ନିଜର ମନ୍ତବ୍ୟ ଦେଇ କହିଛନ୍ତିଯେ,

– ଆଜି ଉପସ୍ଥାପିତ ୨୦୨୨-୨୩ ବର୍ଷ ପାଇଁ ରାଜ୍ୟ ବଜେଟ୍ ହେଉଛି ଏକ ପ୍ରଗତିଶୀଳ, ଗରିବ-ସମର୍ଥକ ଏବଂ ବିକାଶମୂଳକ ଆଧାରିତ ବଜେଟ୍।

– ବଜେଟ୍ ଆକାର ୨ ଲକ୍ଷ କୋଟି ଟଙ୍କା ଏବଂ ପ୍ରୋଗ୍ରାମ ବଜେଟ୍ ୧ ଲକ୍ଷ କୋଟିକୁ ବୃଦ୍ଧି ପାଇଛି।

– ବଜେଟର ପ୍ରାଥମିକତା ହେଉଛି ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁବିଧା, ବିଦ୍ୟାଳୟର ପରିବର୍ତ୍ତନ, ଜୀବନ ଏବଂ ଜୀବିକା, ମହିଳା ସଶକ୍ତିକରଣ ତଥା ଭିତ୍ତିଭୂମି ବିକାଶ ସହିତ ଗୁଣାତ୍ମକ ଶିକ୍ଷା ସୃଷ୍ଟି କରିବା।

– ପୁଞ୍ଜି ଖର୍ଚ୍ଚ ୫୬% ରୁ ଅଧିକ ବୃଦ୍ଧି ପାଇବ, ଯାହା ଅଭିବୃଦ୍ଧିରେ ସହାୟକ ହେବ।

– ୨୦୦୦ କୋଟି ଟଙ୍କା ଆବଣ୍ଟନ ସହିତ ମିଶନ ଶକ୍ତି ପାଇଁ ପୃଥକ ବଜେଟ୍ ଆମ ରାଜ୍ୟର ୭୦ ଲକ୍ଷ ମହିଳାଙ୍କ ସହ ଆମର ଯୋଗଦାନକୁ ଆହୁରି ଗଭୀର କରିବ।

– “ବଜେଟ୍ ସ୍ଥିରୀକରଣ ପାଣ୍ଠି” ସୃଷ୍ଟି କରିବାକୁ ଆମର ପଦକ୍ଷେପ ଭବିଷ୍ୟତରେ ଯେକୌଣସି ରାଜସ୍ୱ ଆଘାତକୁ ହ୍ରାସ କରିବାରେ ସାହାଯ୍ୟ କରିବ।

– ବଜେଟ୍ “୫T” ଏବଂ “ମୋ ସରକାର” ଅଧୀନରେ ଆମର ପରିବର୍ତ୍ତନଶୀଳ ଏଜେଣ୍ଡା ସହିତ ଅନୁରୂପ ଅଟେ।

– ମୁଁ ଆଶା କରୁଛି ଏହି ବଜେଟ୍ ରାଜ୍ୟବାସୀଙ୍କ ଆକାଂକ୍ଷାକୁ ପୂରଣ କରିବ।

ସୂଚନାଯୋଗ୍ୟଯେ, ଏଥର ବଜେଟ୍‌ରେ ଖର୍ଚ୍ଚକୁ ୩୩ ପ୍ରତିଶତ ବୃଦ୍ଧି କରାଯାଇଥିବା ବେଳେ ୧ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି। ଯାହା ସର୍ବମୋଟ ବଜେଟ୍‌ ଅଟକଳର ୫୦ ପ୍ରତିଶତ। ପୁଞ୍ଜି ଖର୍ଚ୍ଚ ୫୬% ବୃଦ୍ଧି କରାଯାଇ ୩୮, ୭୩୨ କୋଟି ଟଙ୍କା ରଖାଯାଇଛି। ବ୍ୟୟ ବରାଦର ୩୪ ପ୍ରତିଶତ ପୁଞ୍ଜି ସାମାଜିକ କ୍ଷେତ୍ରରେ ଖର୍ଚ୍ଚ କରିବାକୁ ସରକାର ଟାର୍ଗେଟ ରଖିଥିବା ବେଳେ ୩୨% ଆର୍ଥିକ କ୍ଷେତ୍ରରେ ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ୬୬ ପ୍ରତିଶତ ଅର୍ଥ ବିକାଶ ଦିଗରେ ଖର୍ଚ୍ଚ ହେବ। ମିଶନ ଶକ୍ତିରେ ୨, ୦୦୦ କୋଟି, ସ୍ୱାସ୍ଥ୍ୟ ବିଭାଗ କ୍ଷେତ୍ରରେ ୧୨, ୬୨୪ କୋଟି, ଅନୁସୂଚିତ ଜନଜାତି କ୍ଷେତ୍ରରେ ୩୨, ୫୯୬ କୋଟି, ପାନୀୟ ଜଳ କ୍ଷେତ୍ରରେ ୮୩୮୯ କୋଟି ଓ ମନରେଗା କର୍ପସ ଫଣ୍ଡ ବିଭାଗରେ ହଜାରେ କୋଟି ବ୍ୟୟବରାଦ କରାଯାଇଛି।