Odiapua.com

ବିଧବା ବୃଦ୍ଧା ଦେବକୀ ପାଇଁ ସରକାରୀ ଯୋଜନା ସାତସପନ

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମ ପଂଚାୟତ ସ୍ଥିତ କୁଳେଇପଦା ଗ୍ରାମର ବିଧବା ବୃଦ୍ଧା ଦେବକି ଯେନା ଏବେ ବୟସର ଶେଷ ମୁହୂର୍ତରେ ଘର ଖଣ୍ଡିଏ ପାଇଁ ଜୀବନ ସହ ସଂଗ୍ରାମ କରୁଛନ୍ତି। ତାଙ୍କର ସ୍ୱାମୀ ସ୍ୱର୍ଗତଃ ବାଇଧର ଯେନାଙ୍କ ମୃତ୍ୟୁ ପରେ ନା ତାଙ୍କର ଘର ଅଛି ନା ରାସନ କାର୍ଡ ଅଛି। ଯଦିଓ ଦୁଇ ଦୁଇଟି ପୁତ୍ର ସନ୍ତାନ ଜନ୍ମ କରିଛନ୍ତି, ହେଲେ ସେମାନେ ବୃଦ୍ଧା ଦେବକୀଙ୍କୁ ପଚାରୁନାହାଁନ୍ତି। ପେଟ ଚାଖଣ୍ଡକ ପୁରାଇବା ପାଇଁ ଏବେ ସେ ସ୍ଥାନୀୟ ଲୋକଙ୍କ ପାଖରେ ହାତ ପତାଉଥିବାବେଳେ ଘର ଖଣ୍ଡିଏ ନଥିବାରୁ ଭଂଗା ଚାଳଘରେ ମୁଣ୍ଡ ଗୁଂଜିଛନ୍ତି। ଯାହା ଜଣାଯାଏ ୮ ବର୍ଷ ପୂର୍ବେ ରୋଷେଇ କରୁଥିବା ସମୟରେ ଦେହରେ ନିଆଁ ଲାଗି ଗୋଡ଼ ପାଖକୁ କିଛି ଅଂଶ ପୋଡ଼ି ଯାଇଥିଲା। ପିଲାମାନେ ନପଚାରିବାରୁ ସେ ସେହି ଭଙ୍ଗା ଚାଳ ଘରେ ଖରାବର୍ଷା ଖାଇ ମୁଣ୍ଡ ଗୁଂଜି ପଡିରହିଛି। ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଅର୍ଥ ବିନିଯୋଗ କରୁଥିବାବେଳେ ଦେବକୀଙ୍କ ଭଳି ବୃଦ୍ଧାଙ୍କ କ୍ଷେତ୍ରରେ ସମସ୍ତ ସରକାରୀ ଯୋଜନା ମିଛ ପାଲଟିଛି। ଏଣୁ ଏଭଳି ଜଣେ ବାସହୀନ ବୃଦ୍ଧାଙ୍କ ପାଇଁ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।