Odiapua.com

ବିଦ୍ୟୁତ ବିଭାଗର ପାତରଅନ୍ତର ନୀତି : ଗ୍ରୀଡ଼ ଏସଡ଼ିଓଙ୍କ ମନମାନୀ, ବଳିପଡ଼ିବେ ୩ ନିଯୁକ୍ତ କର୍ମଚାରୀ

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ମହିଳା ମହାବିଦ୍ୟାଳୟ ନିକଟରେ ୧୩୨/୩୦ ଗ୍ରୀଡ଼ ଏଥି ମଧ୍ୟରେ ସ୍ଥାପିତ ହୋଇ କାର୍ଯ୍ୟକ୍ଷମ ହୋଇ ସାରିଛି । ଏହି ଗ୍ରୀଡ଼ ଅଧିନରେ ସିକ୍ୟୁରିଟ ନିଯୁକ୍ତିକୁ ନେଇ ଏବେ ନାନା ବିବାଦ ଦେଖା ଦେଇଛି । ସିକ୍ୟୁରିଟ ସଂସ୍ଥାର ନିଯୁକ୍ତି ପତ୍ର ମୂଳେ ୫ଜଣଙ୍କ ମଧ୍ୟରୁ ୨ଜଣ କାର୍ଯ୍ୟରେ ଯୋଗଦାନ କରିସାରିଥିବା ବେଳେ ଅନ୍ୟ ୩ଜଣଙ୍କୁ କାର୍ଯ୍ୟରେ ଯୋଗଦାନ କରାଇ ନଦେବାକୁ ନେଇ ବିବାଦ ଦେଖା ଦେଇଛି । ଏହି ବିବାଦରେ ଖୋଦ ଗ୍ରୀଡ଼ ଦାୟିତ୍ୱରେ ଥିବା ଏସିଡ଼ିଓଙ୍କ ହାତ ଥିବାର ଅଭିଯୋଗରୁ ଜଣାଯାଇଛି । ଖବର ନେବାରୁ ଜଣାଯାଇଛି ଯେ ଆଗରପଡ଼ା ଗ୍ରୀଡ଼ କାର୍ଯ୍ୟକ୍ଷମ ହେବାପରେ ଏହାର ଜଗାରଖା ନିମନ୍ତେ ସିକ୍ୟୁରିଟ ଗାର୍ଡ଼ର ଆବଶ୍ୟକତା ଦେଖାଦେଇଥିଲା । ଏହି କ୍ରମରେ ଭୁବନେଶ୍ୱରସ୍ଥ ଓପିଟିସିଏଲ ତାଙ୍କ ଚିଠି ନଂ ୨୩୬୩ ତା ୨୭-୮-୨୦ ରିଖରେ ଭୁବନେଶ୍ୱରସ୍ଥ ସ୍ନେବା ସିକ୍ୟୁରିଟ ସର୍ଭିସକୁ ସୁକ୍ୟୁରିଟ ଗାର୍ଡ଼ ଯୋଗାଇ ଦେବାକୁ ଲେଖିଥିଲେ । ସ୍ନେବା ସିକ୍ୟୁରିଟ ସଂସ୍ଥା ତାଙ୍କର ଚିଠିନଂ୧୪୭୮ ତା ୨-୯-୨୦ ମୂଳେ ନାରାୟଣ ସାହୁ, ବଳଦେବ ସାହୁ, ମହେଶ୍ୱର ଯେନା, ତରଣୀ ଦାସ ଓ ଧୀରେନ୍ଦ୍ର ଦାସଙ୍କୁ ନିଯୁକ୍ତି ଦେବାକୁ ଆଗରପଡ଼ା ଓପିଟିସିଏଲ ଶାଖା ଏସଡ଼ିଓଙ୍କୁ ଜଣାଇଥିଲେ । ଚିଠି ପାଇ ଉପରୋକ୍ତ ୫ଜଣଙ୍କ ମଧ୍ୟରୁ ନାରାୟଣ ସାହୁ ଓ ବଳଦେବ ସାହୁଙ୍କୁ ଏସଡ଼ିଓ ନିଯୁକ୍ତି କରାଇଦେଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ନିଯୁକ୍ତି କରାଉ ନାହାନ୍ତି । ନିଯୁକ୍ତି ପତ୍ର ପାଇବା ଦିନଠାରୁ ସଂପୃକ୍ତ ୩ଜଣ ବାରମ୍ବାର ଗ୍ରୀଡ଼ିକୁ ଆସୁଥିବା ବେଳେ କାର୍ଯ୍ୟରତ କର୍ମଚାରୀ ଏସଡ଼ିଓଙ୍କ ମୌଖିକ ନିର୍ଦ୍ଦେଶରେ ସେମାନଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେଇ ଗ୍ରୀଡ଼ ଭିତରକୁ ଛାଡ଼ୁ ନାହାନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି ।

ତେବେ ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି ଯେ ଏସଡ଼ିଓଙ୍କୁ ତାଙ୍କ କର୍ମସ୍ଥାନକୁ ଦୈନିକ ନେବା ଆଣିବା କରୁଥିବା ଜନୈକ ଯୁବକଙ୍କୁ ସିକ୍ୟୁରିଟ ଗାର୍ଡ଼ ଭାବେ ନିଯୁକ୍ତି କରାଇବାର ପ୍ରତିଶ୍ରୁତି ପାଳନ କରିବା ନିମନ୍ତେ ଏସଡ଼ିଓ ତାଙ୍କର ମନମାନୀ ଜାରି ରଖିଥିବାର ଜଣାପଡ଼ୁଛି । ତେବେ ବନ୍ତ ବ୍ଲକର ଏହି ୩ଜଣ ଅଭାବି ଦଳିତ ବେକାର ଯୁବକଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ସ୍ଥାନୀୟ ବାସିନ୍ଦା ନାପସନ୍ଦ କରିଥିବା ବେଳେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦାନ ନିମନ୍ତେ ପଦକ୍ଷେପ ନେବାକୁ ଦାବି ହୋଇଛି । ଉପରୋକ୍ତ ଘଟଣା ନେଇ ଗ୍ରୀଡ଼ ଏସଡ଼ିଓ ରାଜେଶ ପାତ୍ର କହନ୍ତି, ସ୍ୱେବା ସିକ୍ୟୁରିଟ ସଂସ୍ଥା ନିଜେ ଆସି ସେ ପଠାଇଥିବା ପିଲାମାନଙ୍କୁ ଚିହ୍ନାଇଦେଲେ ସେ ନିଯୁକ୍ତି କରାଇବେ । ତେବେ କିଭଳି ଅନ୍ୟ ୨ଜଣ କାର୍ଯ୍ୟକରୁଛନ୍ତି ବୋଲି ପ୍ରଶ୍ନରେ ସେ ନିରୁତ୍ତର ରହୁଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସ୍ନେବା ସୁକ୍ୟୁରିଟ ସଂସ୍ଥାକୁ ଯୋଗଯୋଗ କରାଯାଇଥିଲା । ସ୍ନେବା ସିକ୍ୟୁରିଟ ସଂସ୍ଥାର ପରିଚାଳକ ମହେନ୍ଦ୍ର ସିଂହ କହନ୍ତି, ଆମେ ୫ଜଣ ସିକ୍ୟୁରିଟ ଗାର୍ଡ଼ଙ୍କୁ ନିଯୁକ୍ତି କରାଇବା ନିମନ୍ତେ ଚିଠି ଦେଇ ସାରିଛୁ । ସେମାନଙ୍କୁ ନିଯୁକ୍ତିଦେବା ସହ ଦାୟିତ୍ୱ ହସ୍ତାନର କରିବା ଏସଡ଼ିଓଙ୍କ କାର୍ଯ୍ୟ ଅଟେ । ତେବେ ଆମର ପିଲାମାନେ ପ୍ରତ୍ୟେହ ଯାଇ ଗ୍ରୀଡ଼ରୁ ଫେରୁଥିବା ବେଳେ କେଉଁ ପରିସ୍ଥିତିରେ ସେମାନଙ୍କୁ କାର୍ଯ୍ୟରେ ଲାଗାଯାଉ ନାହିଁ ତାହା ସନ୍ଦେହ ସୃଷ୍ଟି କରୁଛି ।