Odiapua.com

ବିଦ୍ୟୁତ ଦର ବୃଦ୍ଧି ଅପରିଣାମଦର୍ଶୀ ଓ ଅମାନବୀୟ

ଭୁବନେଶ୍ୱର ୨୪-୯ (ଓଡ଼ିଆ ପୁଅ) – ବଡ଼ ଦୁଃଖ ଓ ପରିତାପର ବିଷୟ କରୋନା ମହାମାରୀ ସମୟରେ ଦୀର୍ଘଦିନ ଧରି ଜୀବନ ଜୀବିକା ପାଇଁ ଲଢ଼େଇ କରୁଥିବା ଲୋକଙ୍କ ଉପରେ ବିଦ୍ୟୁତ ଦର ବୃଦ୍ଧି ଏକ ଶକ୍ତ ଆଘାତ ଆଣିଦେଇଛି ବୋଲି କଂଗ୍ରେସ ନେତା ପଂଚାନନ କାନୁନଗୋ କହିଛନ୍ତି। ସମସ୍ତ ଦୋକାନୀ କ୍ଷ୍ୟୁଦ୍ର ଓ ମଧ୍ୟମଧରଣର କଳକାରଖାନା ଏପର୍ଯ୍ୟନ୍ତ ଅଂଟାସଳଖି ନାହାନ୍ତି। ସେହି ସମୟରେ ବିଦ୍ୟୁତ ଦର ବୃଦ୍ଧିକରି ଚାପ ସୃଷ୍ଟି କରିବା ଓଇଆରସିର ବିଚାର ଆଦୌ ଠିକ୍ ମାର୍ଗରେ ଯାଇନାହିଁ। ରାଜ୍ୟ ସରକାର ମଧ୍ୟ ଏହା ବନ୍ଦ କରିବାକୁ ଉଦ୍ୟମ କରିନାହାନ୍ତି। ଏପରି ଦର ବୃଦ୍ଧି କ୍ରସ ସବସିଡ୍ ହିସାବକୁ ନେଲେ ୟୁନିଟ୍ ପିଛା ୭ଟଙ୍କାରୁ ୮ ଟଙ୍କା ପାଖାପାଖି ହୋଇଛି। ଯେଉଁ ସମୟରେ ରାଜ୍ୟର ବିଦ୍ୟୁତ ବ୍ୟବହାରର ୨୨ ଭାଗ ଜଳବିଦ୍ୟୁତରୁ ଆସୁଛି ଏବଂ ୧୦ଭାଗ ସୋଲାର ଏନର୍ଜି ବା ସୌରଶକ୍ତିରୁ ଆସୁଛି। ସମସ୍ତ ଫର୍ମାଲ ବିଦ୍ୟୁତ ଉତ୍ପାଦନ ଓ ଆବଶ୍ୟକ ବିଦ୍ୟୁତ କ୍ରୟକୁ ମିଶାଇଲେ ୟୁନିଟ୍ ପିଛା କ୍ରୟ ମୂଲ୍ୟ ସର୍ବମୋଟ ଟ ୨.୮୦ ପଇସାରୁ ଉର୍ଦ୍ଧ ହେବ ନାହିଁ। ଉତ୍ପାଦନ ଖର୍ଚ୍ଚ ଏତେ କମ ଥାଇ ବିକ୍ରିଖର୍ଚ୍ଚ କାହିଁକି ବଢ଼ାଗଲା ବୋଲି ଶ୍ରୀ କାନୁନଗୋ କହିଛନ୍ତି। ସେ ଆହୁରି ମଧ୍ୟ ପଚାରିଛନ୍ତ ବିଭିନ୍ନ ବିତରକ କମ୍ପାନୀ ଉପରେ ବକେୟା ଥିବା ଅର୍ଥ ପାଖାପାଖି ୨ ହଜାର କୋଟି ଓ ବଡ଼ ବଡ଼ କମ୍ପାନୀମାନଙ୍କ ଉପରେ ବାକି ରହିଥିବା ୪ହଜାର କୋଟି ଟଙ୍କା ସରକାର ଆଦାୟ କରିନାହାନ୍ତି। ରାଜ୍ୟ ସରକାରଙ୍କ ଉପରେ ବାକିଥିବା ପାଖାପାଖି ୨.୫ ହଜାର କୋଟି ଟଙ୍କା ମଧ୍ୟ ଆଦାୟ ହୋଇନାହିଁ। ଓଇଆରସି ତଥା ରାଜ୍ୟ ସରକାର ଏ ସମ୍ପର୍କରେ ଜନସାଧାରଣଙ୍କ ନିକଟରେ ସ୍ପଷ୍ଟିକରଣ ଦେବା ଉଚିତ୍। ରାଜ୍ୟର ସବୁବର୍ଗର ଉପଭୋକ୍ତା ଏପରି ଅଯୁକ୍ତିକ ବିଦ୍ୟୁତ ଦରବୃଦ୍ଧି ବିରୁଦ୍ଧରେ ପ୍ରତିବାଦ କରିବା ନିମନ୍ତେ ସେ ନିବେଦନ କରିଛନ୍ତି।