Odiapua.com

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କାଠ କଟାଳିଙ୍କ ମୃତ୍ୟୁ:୨ ଆହତ

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ଦୋବଲ ପଂଚାୟତ ସୋଧ ଗ୍ରାମର ଆଜି ସକାଳେ ଗଛ କାଟୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ସୋଧ ପତିସାହି ଗ୍ରାମର ନିରାକାର ପତିଙ୍କ ବାଡିରେ ଏକ ବଡ ପୁଟିଂଆ ଗଛ ଥିଲା । ସେହି ଗଛକୁ କିଛି କାରଣରୁ କାଟିବା ପାଇଁ ଉକ୍ତ ଗ୍ରାମର କାଠ କଟାଳି ଦୟାନିଧି ଯେନାକୁ କୁହାଯାଇଥିଲା । ଦୟାନିଧି ଓ ତାଙ୍କର ଅନ୍ୟ ଦୁଇ ସହଯୋଗୀ ବାବୁଲି ଯେନା ଓ କୁନି ଯେନା ଆଜି ସେଠାରେ ପହଂଚି ଗଛ କାଟିବା ଆରମ୍ଭ କରିଥିଲେ । ଦୟାନିଧି ଗଛରେ ଚଡି ଡାଳରେ ରସି ବାନ୍ଧିବା ସମୟରେ ସେଠାରେ ମୋବାଇଲ ଟାୱାରକୁ ସଂଯୋଗ କରୁଥିବା ୧୧ କେଭି ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ଉଚ୍ଚ ଗଛରୁ ଦୟାନିଧି ତଳକୁ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଧାମନଗର ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୟାନିଧିଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇ ଶ୍ରମିକ ବାବୁଲି ଓ କୁନି ମଧ୍ୟ ଆହତ ହୋଇଛନ୍ତି । ଖବରପାଇ ମେଡିକାଲରେ ଧାମନଗର ପୁଲିସ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଥାନାରେ ଏ ଅପମୃତ୍ୟୁ ମାମଲା ୫/୨୧ରେ ରୁଜୁ କରିଛି । ତେବେ ଗଛ କାଟିବା ପୂର୍ବରୁ ବିଦ୍ୟୁତ ସଂଯୋଗ ବିଛିନ୍ନ ନକରି କିପରି ଶ୍ରମିକମାନେ ଗଛ କାଟୁଥିଲେ ତାହାକୁ ନେଇ ବଡ ପ୍ରଶ୍ନ ଉଠିଛି । ଏବଂ ଗଛ କାଟିବା ପାଇଁ ବନ ବିଭାଗ ନିକଟରୁ ଅନୁମତି ନିଆଯାଇଛି କି ନାହିଁ ଓ ଏତେ ବଡ ଗଛକୁ ଚଢି ଶ୍ରମିକ ମାନେ କାଟୁଥିବା ବେଳେ ଗଛ ମାଲିକଙ୍କ ପକ୍ଷରୁ କି ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ତାହାକୁ ନେଇ ସଂପୃକ୍ତ ଅଂଚଳବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏସଂପର୍କରେ ଥାନାଧିକାରୀ ରତିକାନ୍ତ ଗିରି କହନ୍ତି, ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କ୍ରମେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ପରବର୍ତୀ ସମୟରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଘଟଣାର ଅଧିକ ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି । କାଠ କଟାଳି ମୃତ ଦୟାନିଧି ଜଣେ ଦିନମଜୁରିଆ ହୋଇଥିବାରୁ ମୃତ ପରିବାରକୁ ସହାୟତା ପାଇଁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।