Odiapua.com

ବିଦ୍ୟୁତ୍ ସଂଯୋଗ ଦାବିରେ ଅଭିନବ ପ୍ରତିବାଦ : ରାସ୍ତା ଉପରେ ଶୋଇ ବିକ୍ଷୋଭ ପ୍ରଦର୍ଶନ କଲେ ଶତାଧିକ ଆଦିବାସୀ

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘଦିନ ଧରି ବିଦ୍ୟୁତ୍ ସେବାରୁ ବଂଚିତ ବହୁ ଆଦିବାସୀ ପରିବାର ଆଜି ଶହୀଦ ବିର୍ସାମୁଣ୍ଡା ଆଦିବାସୀ ମହାସଂଘ ନେତୃତ୍ୱରେ ଭଦ୍ରକ ବିଧାୟକଙ୍କ ବାସଭବନକୁ ଭେଟିବାକୁ ଆସି ରାସ୍ତା ମଝିରେ ପୁଲିସ୍ ଦ୍ୱାରା ଅଟକ ହୋଇ ସହରର ରାଜଘାଟ ଛକରେ ଶୋଇରହି ଅଭିନବ ପ୍ରତିବାଦ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ଶେଷ ମୁହୁର୍ତ୍ତରେ ଏସ୍‌ଡିପିଓ ଓ ଉପଜିଲାପାଳଙ୍କ ପ୍ରତିଶ୍ରୁତି ପରେ ସେମାନେ ଏହି ଅଭିନବ ଆନ୍ଦୋଳନରୁ ଓହରିଥିବାର ଜଣାପଡିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଚରମ୍ପା ଓ ଏରେଇଁ ଗ୍ରାମରେ ରହୁଥିବା ଶତାଧିକ ଆଦିବାସୀ ଶ୍ରମିକ ମାନେ ଦୀର୍ଘଦିନ ଧରି ବିଦ୍ୟୁତ୍ ସେବାରୁ ବଂଚିତ ହୋଇଆସୁଛନ୍ତି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଜୋର ଜବରଦସ୍ତ ସେମାନଙ୍କ ବିଦ୍ୟୁତ୍ ସଂଯୋଗକୁ ବିଚ୍ଛିନ୍ନ କରାଯାଇଛି । ଏହି ବିଦ୍ୟୁତ୍ ସଂଯୋଗ କରିବା ପାଇଁ ସେମାନେ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଜିଲାପାଳଙ୍କ ନିକଟରେ ନିବେଦନ କରିଥିଲେ ମଧ୍ୟ ନିରାଶ ହୋଇଛନ୍ତି । ଫଳରେ ଆଜି ଭଦ୍ରକ ଶହୀଦ ବିର୍ସାମୁଣ୍ଡା ଆଦିବାସୀ ମହାସଂଘ ନେତୃତ୍ୱରେ ଶତାଧିକ ଆଦିବାସୀ ପରିବାର ନିଜ ଗ୍ରାମରୁ ଏକ ନୀରବ ଶୋଭାଯାତ୍ରାରେ ଭଦ୍ରକ ବିଧାୟକଙ୍କ ବାସଭବନରେ ପହଞ୍ôଚଥିଲେ । ପରେ ରାଜଘାଟ ଛକ ନିକଟରେ ଏହି ଆନ୍ଦୋଳନକାରୀଙ୍କୁ ପୁଲିସ୍ ଅଟକାଇବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଭଦ୍ରକ ଏସ୍‌ଡିପିଓ ଓ ଉପଜିଲାପାଳ ଘଟଣା ସ୍ଥଳରେ ପହଞ୍ôଚ ବୁଝାସୁଝା କରି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ସେମାନେ ବିକ୍ଷୋଭରୁ ଓହରିଥିବାର ଜଣାପଡିଛି ।