Odiapua.com

ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ବିରୋଧ : ସମାଜବାଦୀ ପାର୍ଟି

ଭୁବନେଶ୍ୱର, ୨୩ା୯ (ଓଡ଼ିଆ ପୁଅ) : ୧୯୯୦ ଦଶକରେ ବିଦ୍ୟୁତ୍ ଭିତ୍ତିଭୂମିର ଘରୋଇକରଣ କରିବାରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ। ବିଶ୍ୱବ୍ୟାଙ୍କରୁ ଋଣ ଆଣି ବିଦ୍ୟୁତ୍ ଭିତ୍ତିଭୂମିର ଅଭିବୃଦ୍ଧି କରିବା ଲକ୍ଷରେ ୧୯୯୪-୯୫ ମସିହାରେ ରାଜ୍ୟରେ ବିଦ୍ୟୁତ୍ ସଂସ୍କାର ଆରମ୍ଭ ହୋଇଥିଲା। ଲକ୍ଷ୍ୟ ଥିଲା ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା ରାଜ୍ୟବାସୀଙ୍କୁ ଯୋଗାଇଦେବା। ସେତେବେଳେ ୩୦୦ କୋଟି ଟଙ୍କା କ୍ଷତି କରିଥିବା ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ବୋର୍ଡ (ଓ-ଏସ୍‌-ଇ-ବି-)କୁ ଭାଙ୍ଗି ବିଜୁଳି ଉତ୍ପାଦନ, ପରିବହନ ଓ ଆବଣ୍ଟନକୁ ବିକେନ୍ଦ୍ରୀକରଣ କରାଗଲା। ସେଥିପାଇଁ ନୂଆ କମ୍ପାନୀମାନ ଗଠନ କରାଯାଇ ଲୋକଙ୍କ ଭିତରେ ଆସ୍ଥା ଓ ବିଶ୍ୱାସ ସ୍ଥାପନ କରିବାର ଉଦ୍ୟମ କରାଗଲା। କିନ୍ତୁ ଦୁଃଖର କଥା ବିଜୁଳି ସଂସ୍କାରର ଯେଉଁ ଲକ୍ଷ୍ୟ ଥିଲା ଆଜି ବିଜୁଳି କମ୍ପାନୀଗୁଡ଼ିକ ସେ ଲକ୍ଷ୍ୟରୁ ସମ୍ପୂର୍ଣ୍ଣ ଭାବରେ ବିଚ୍ୟୁତ ହୋଇଛନ୍ତି। ଶସ୍ତା ଓ ସୁଲଭ ମୂଲ୍ୟରେ ବିଜୁଳି ଯୋଗାଇବା ଦୂରର କଥା, ତାହା ନିରବଚ୍ଛିନ୍ନ ଗୁଣାତ୍ମକ ସେବାଠାରୁ ବହୁ ଦୂରରେ। ଖୋଦ୍ ରାଜଧାନୀରେ ପ୍ରତି ଘଣ୍ଟାରେ ବିଜୁଳି କାଟ୍ ଦେଖିବାକୁ ମିଳେ। ଗ୍ରାମାଞ୍ଚଳରେ ଘଣ୍ଟାଘଣ୍ଟା ଧରି ବିଜୁଳିକାଟ୍ ହେଲେ, କେହି ଶୁଣିବାର ନାହିଁ। ସେଥିପାଇଁ ଗ୍ରାମାଞ୍ଚଳରେ କେଉଁଠି ରାସ୍ତାରୋକ ତ କେଉଁଠି ବିଜୁଳି ଅଫିସ୍ ଘେରାଓ ସମ୍ବାଦ ଗଣମାଧ୍ୟମରେ ପ୍ରଚାରିତ ହେବାର ଦେଖିବାକୁ ମିଳେ। ଯେତିକି ବି ବିଜୁଳି ଯୋଗାଇ ଦିଆଯାଉଛି, ଗୁଣାତ୍ମକ ଦୃଷ୍ଟିରୁ ତାହା ଆଦୌ ଠିକ୍ ନୁହେଁ, ମିଞ୍ଜି ମିଞ୍ଜି ଆଲୁଅରେ ପିଲାମାନେ ପାଠ ପଢିପାରୁ ନାହାଁନ୍ତି। ଆଜି ମଧ୍ୟ ବିଦ୍ୟୁତ୍ ସରବରାହ ଜନିତ କ୍ଷତି ଆମ ରାଜ୍ୟରେ ପ୍ରାୟ ୩୨ ପ୍ରତିଶତ ରହିଛି। ଆମ ପରେ ବିଦ୍ୟୁତ୍ ସଂସ୍କାର କ୍ଷେତ୍ରରେ ପାଦ ଦେଇଥିବା ଆନ୍ଧ୍ର, ଦିଲ୍ଲୀ, ମହାରାଷ୍ଟ୍ରରେ ବିଜୁଳି ପରିବହନ ଜନିତ କ୍ଷତି ୧୭ ପ୍ରତିଶତ। ଆମେ ଯଦି ୧ ପ୍ରତିଶତ ବିଜୁଳି ପରିବହନ କ୍ଷତି କମାଇପାରିବା ତାହେଲେ ବର୍ଷକୁ ହାରାହାରି ୭୫ ରୁ ୮୦ କୋଟି ଟଙ୍କା ସଞ୍ଚୟ କରିପାରିବା। କିନ୍ତୁ ତାହା ନ କରି କମ୍ପାନୀମାନଙ୍କର ବର୍ଷକୁ ହେଉଥିବା କ୍ଷୟକ୍ଷତିକୁ ଭରଣା ପାଇଁ ଆମେ ବିଜୁଳି ଶୁଳ୍କ ବୃଦ୍ଧି କରିଚାଲିଛେ, ଯାହା ଗରାଖମାନଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ପ୍ରକାଶ କରିଛନ୍ତି। ବିଜୁଳି ଶୁଳ୍କ ବଢ଼ାଇବା ପୂର୍ବରୁ ବିଦ୍ୟୁତ୍ ସଂସ୍କାର ଉପରେ ରାଜ୍ୟ ସରକାର ଏକ ଶ୍ୱତପତ୍ର ପ୍ରକାଶ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି। ଏହା ନହେଲେ ସମାଜବାଦୀ ପାର୍ଟି ରାଜରାସ୍ତାକୁ ଓହ୍ଲାଇବାକୁ ପଛାଇବ ନାହିଁ। ୨୦୧୦ ମସିହାରୁ ୨୦୧୭ ମସିହା ଭିତରେ ବିଦ୍ୟୁତ୍ ବିତରକମାନଙ୍କ ପାଖରେ ଗ୍ରୀଡ୍‌କୋର ୫ହଜାର ୩୭୬ କୋଟି ଟଙ୍କା ବାକି ପଡ଼ିଛି। ଏହାକୁ ଆଦାୟ ନ କରି ୟୁନିଟ୍ ପିଛା ୨୦ ପଇସା ବିଦ୍ୟୁତ୍ ଦର ବୃଦ୍ଧି କରି କ୍ଷତି ଭରଣା କରିବା ପାଇଁ କମ୍ପାନୀମାନେ ଯେଉଁ ପଦକ୍ଷେପ ନେଇଛନ୍ତି ତାହାକୁ ସମାଜବାଦୀ ପାର୍ଟି ତୀବ୍ର ନିନ୍ଦା କରୁଛି। ତୁରନ୍ତ ଏହି ଶୁଳ୍କ ବୃଦ୍ଧି ନିଷ୍ପତ୍ତିକୁ ରାଜ୍ୟ ସରକାର ହସ୍ତକ୍ଷେପ କରି ସ୍ଥଗିତ ରଖିବାକୁ ଶ୍ରୀ ବେହେରା ଦାବି କରିଛନ୍ତି।