ଭୁବନେଶ୍ୱର ୨୯-୯ (ଓଡ଼ିଆ ପୁଅ) – ଆଜି ପ୍ରଦେଶ କାର୍ଯ୍ୟାଳୟ ଠାରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଂଚାନନ କାନୁନ୍ଗୋ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଥିଲେ। କରୋନା ମହାମାରୀ ସମୟରେ ସବୁ ଶ୍ରେଣୀର ଉପଭୋକ୍ତା ଏବଂ ବିଶେଷକରି ବିଦ୍ୟୁତ୍ ଉପଭୋକ୍ତାମାନଙ୍କର ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଛୋଟବଡ ଦୋକାନୀ, ବିଦ୍ୟୁତ୍ ବ୍ୟବହାରକାରୀ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ତଥା କୃଷି ସହିତ ସଂପୃକ୍ତ ବିଦ୍ୟୁତ୍ ବ୍ୟବହାରକାରୀମାନେ ଏପର୍ଯ୍ୟନ୍ତ ଅଂଟା ସଳଖି ଛିଡା ହୋଇପାରି ନାହାନ୍ତି। ଏହି ବର୍ଗର ବିଦ୍ୟୁତ୍ ବ୍ୟବହାର ରାଜ୍ୟର ମୋଟ୍ ବିଦ୍ୟୁତ୍ ବ୍ୟବହାରର ୫୭% ରୁ ଅଧିକ। ଅର୍ଥାତ୍ ବାର୍ଷିକ ବ୍ୟବହାର ହେଉଥିବା ହାରାହାରି ୩୬୦୦ ମେଗାୱାଟ୍ର ପାଖାପାଖି ୨ ହଜାର ମେଗାୱାଟ୍ ଏମାନେ ବ୍ୟବହାର କରିଥାନ୍ତି। ସାଧାରଣତଃ ଉପଭୋକ୍ତାଙ୍କ ମଧ୍ୟରୁ କେବଳ ସରକାରୀ ଓ ଅର୍ଦ୍ଧସରକାରୀ ସଂସ୍ଥାକୁ ଛାଡି ଦେଲେ ଅନ୍ୟ ବ୍ୟବହାରକାରୀଙ୍କ ମଧ୍ୟରୁ ପାଖାପାଖି ୩୩% କର୍ମଜୀବୀ ଅଟନ୍ତି। ସେମାନଙ୍କ ଆୟର ବ୍ୟବସ୍ଥା ମଧ୍ୟ ଏପର୍ଯ୍ୟନ୍ତ ସରକାର ସଜାଡି ପାରିଲେନାହିଁ। ପ୍ରଦେଶ କଂଗ୍ରେସ ପୂର୍ବରୁ ଦାବି କରି ଆସିଥିଲା ଯେ ସରକାର ତୁରନ୍ତ କରୋନା ବର୍ଷ ପାଇଁ ବିଦ୍ୟୁତ୍ ଦର ଅତି କମ୍ରେ ୫୦% କମାନ୍ତୁ। ଏହା କେବଳ ସ୍ୱଳ୍ପ ଆୟକାରୀଙ୍କୁ ସାହାଯ୍ୟ ଦେଇନଥାନ୍ତା, ପରନ୍ତୁ ଛୋଟ ଛୋଟ ଘରୋଇ ଶିଳ୍ପର ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇଥାନ୍ତା। ତାହା ନକରି ସରକାରଙ୍କ ପ୍ରଚ୍ଛନ୍ନ ସହମତିରେ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ ଦର ବୃଦ୍ଧି କରିଦେଲେ। ସରକାର ସଫେଇ ଦେଇ କହିଲେ ଯେ ଚାଷୀ ଓ ବିପିଏଲ୍ ଉପଭୋକ୍ତା ଏଥିରୁ ବାଦ୍ ଯାଇଛନ୍ତି। କିନ୍ତୁ ରାଜ୍ୟରେ ଚାଷୀମାନେ ଚାଷ ପାଇଁ ମାତ୍ର ୨% ବିଦ୍ୟୁତ୍ ବ୍ୟବହାର କରୁଥିବା ବେଳେ ବିପିଏଲ୍ ଉପଭୋକ୍ତାମାନେ ମାତ୍ର ୭% ବିଦ୍ୟୁତ୍ ବ୍ୟବହାର କରିଥାନ୍ତି। ଏଥିମଧ୍ୟରେ ୫୦ ୟୁନିଟ୍ରୁ କମ୍ ବିଦ୍ୟୁତ୍ ବ୍ୟବହାରକାରୀଙ୍କ ସଂଖ୍ୟା ଖୁବ୍ ସୀମିତ। ତେଣୁ ସରକାରଙ୍କ ସଫେଇ ଅତ୍ୟନ୍ତ ହାସ୍ୟାସ୍ପଦ ମନେହୁଏ।
ଖର୍ଚ୍ଚ ବଢ଼ିଯିବା ଆଳରେ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା ଓ ଏହାକୁ କ୍ରୟ କରୁଥିବା ଗ୍ରୀଡ୍କୋର ଦାବି ଫଳରେ ଏପରି ବୃଦ୍ଧି କରାଗଲା। ଗ୍ରୀଡ୍କୋ ମୁଖ୍ୟତଃ ସମସ୍ତ ଉତ୍ପାଦନକାରୀ ସଂସ୍ଥା OPGCL, OHPGC ବିଭିନ୍ନ Captive Power Plant ଓ ଶକ୍ତି ବିକ୍ରୟକାରୀ ସଂସ୍ଥାଠାରୁ ବିଦ୍ୟୁତ୍ କିଣିଥାଏ ଓ ବିତରକ କମ୍ପାନୀମାନଙ୍କୁ ଦେବା ସହିତ ଅନ୍ୟ ରାଜ୍ୟ ଗ୍ରୀଡ୍ ଓ ଜାତୀୟ ଗ୍ରୀଡ୍କୁ ମଧ୍ୟ ବିକ୍ରୀ କରିଥାଏ। ଏ ସଂପର୍କରେ ରାଜ୍ୟବାସୀଙ୍କ ସାମ୍ନାରେ ସରକାର ସ୍ପଷ୍ଟୀକରଣ ରଖିବା ଉଚିତ୍। ରାଜ୍ୟର ମୋଟ୍ ବିଦ୍ୟୁତ୍ ବ୍ୟୟର ୨୨% ଖୁବ୍ କମ୍ ଦରରେ ଅର୍ଥାତ୍ ପାଖାପାଖି ୟୁନିଟ୍ ପିଛା ୨ ଟଙ୍କାରେ ଓ ସୌର ବିଦ୍ୟୁତ୍ରୁ ମିଳୁଥିବା ୧୦% ୟୁନିଟ୍ ପିଛା ପାଖାପାଖି ୨ ଟଙ୍କା ୫୦ ପଇସାରେ ମିଳିଥାଏ। ସବୁ ମିଶି ବିଦ୍ୟୁତ୍ କ୍ରୟ ୟୁନିଟ୍ ପିଛା ୩ ଟଙ୍କା ୫୦ ପଇସାରୁ କେବେ ବି ଅଧିକ ନୁହେଁ। ତେବେ ୟୁନିଟ୍ ପିଛା ଏବେ ୮ ଟଙ୍କାରେ ବିକ୍ରୀ ପ୍ରସ୍ତାବ କାହା ସ୍ୱାର୍ଥରେ କରାଗଲା। ଗ୍ରୀଡ୍କୋର ପାଖାପାଖି ୭ ହଜାର କୋଟି ଟଙ୍କା ବିଭିନ୍ନ କମ୍ପାନୀ ଉପରେ ବକେୟା ପଡିଛି। ବିତରକ କମ୍ପାନୀମାନଙ୍କର ପାଖାପାଖି ୨ ହଜାର କୋଟି ଟଙ୍କା ରାଜ୍ୟ ସରକାରଙ୍କ ଉପରେ ବାକି ପଡିଛି। ରାଜ୍ୟ କଂଗ୍ରେସ ଓ ଉପଭୋକ୍ତା ମହାସଂଘ ବାରମ୍ବାର ଦାବି କରି ଆସିଛି ଯେ ଗତ କୋଡିଏ ବର୍ଷ ଭିତରେ ବିଦ୍ୟୁତ୍ ସଂପର୍କିତ ସମସ୍ତ ଆୟବ୍ୟୟର ହିସାବ ରାଜ୍ୟ ସିଏଜି ଦ୍ୱାରା ଅଡିଟ୍ କରାଯାଉ। କିନ୍ତୁ ସରକାର ଏଥିପ୍ରତି ଉଦାସୀନ ମନୋଭାବ ପୋଷଣ କରୁଛନ୍ତି।
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଗଣେଶ୍ୱର ବେହେରା ବିଦ୍ୟୁତ୍ ସଂସ୍କାର ବେଳର ମୂଳ ଲକ୍ଷ୍ୟ ସାଧନ ଦିଗରେ ରାଜ୍ୟ ସରକାର ସଂପୂର୍ଣ୍ଣ ରୂପେ ବିଚ୍ୟୁତ ହୋଇଛନ୍ତି କହି କ୍ଷୋଭ ପ୍ରକାଶ କରିଥିଲେ। ବିଦ୍ୟୁତ୍ ସଂସ୍କାର ପ୍ରକ୍ରିୟାର ମୁଖ୍ୟ ଲକ୍ଷ୍ୟ ଥିଲା ବିଦ୍ୟୁତ୍ ବିତରଣ ଜନିତ କ୍ଷତି କମିବ, କିନ୍ତୁ ବାରମ୍ବାର ପ୍ରତିଶ୍ରୁତି ସତ୍ୱେ ଏ ପର୍ଯ୍ୟନ୍ତ ବିତରଣ ଜନିତ କ୍ଷତି ୩୭% ରୁ ଉର୍ଦ୍ଧ୍ୱ ରହିଲା। ଯାହାକି ଜାତୀୟ ହାରଠାରୁ ଦୁଇଗୁଣ ଅଧିକ ଓ କେତେକ ରାଜ୍ୟରେ ଏହି ହାର ୮% ରୁ ୧୦% ମଧ୍ୟରେ ରହିଛି। ସେଥିପାଇଁ ଗୋଟିଏ ଉଚ୍ଚ ବୈଷୟିକ ଜ୍ଞାନ ସଂପନ୍ନ ସ୍ୱାଧୀନ ସଂସ୍ଥା ଦ୍ୱାରା ଏନର୍ଜି ଅଡିଟ୍ କରିବା ପାଇଁ ଶ୍ରୀ ବେହେରା ଦାବି କରିଛନ୍ତି। କୌଣସି ବିତରକ କମ୍ପାନୀ ବିଦ୍ୟୁତ୍ ସରବରାହ ମାନ ବୃଦ୍ଧି ନିମନ୍ତେ ଗୋଟିଏ ବି ପଇସା ଖର୍ଚ୍ଚ କଲେ ନାହିଁ। ବରଂ ବାତ୍ୟା, ବନ୍ୟା, ବିଭିନ୍ନ ଗ୍ରାଂଟ୍ ଓ ବିଭିନ୍ନ ଋଣ ଆଦି ବାବଦରେ ୩୦ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଏ ମଧ୍ୟରେ ଖର୍ଚ୍ଚ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଟାଟା ପରି ଏହିସବୁ କମ୍ପାନୀମାନଙ୍କୁ ଲୋକଙ୍କ ଅର୍ଥରୁ ମୋଟା ଅଙ୍କ ଦେବାର ପ୍ରତିଯୋଗୀତାରେ ଲାଗିଛନ୍ତି। ଲୋକଙ୍କ ପାଖରୁ ଦରବୃଦ୍ଧି କରି ହଜାରେ କୋଟି ଟଙ୍କା ବିତରଣ କମ୍ପାନୀକୁ ଟେକି ଦିଆଗଲା। ଅପରପକ୍ଷରେ କେନ୍ଦ୍ର ଏହି କମ୍ପାନୀକୁ ୮୪ କୋଟି ଟଙ୍କାର ପ୍ୟାକେଜ୍ ଦେବାର ଯେଉଁ ଘୋଷଣା କରିଛି ତାହା ସନ୍ଦେହ ସୃଷ୍ଟି କରୁଛି। ରାଜ୍ୟ ସରକାର କ’ଣ ସେସୁକୁ ଦୁର୍ବଳ କରିବାକୁ ୭ ବର୍ଷ ଧରି ଦର ବୃଦ୍ଧି କରିନଥିଲେ। ଟାଟା ନେବା ପରେ ଦର ବୃଦ୍ଧି କ’ଣ ପାଇଁ ଓ କାହା ସ୍ୱାର୍ଥରେ। ରାଜ୍ୟରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ସଂଖ୍ୟା ଯଥେଷ୍ଟ ବଢିଛି। ୧୯୯୯ ମସିହାରେ ୧୪-୨୫ ଲକ୍ଷ ଉପଭୋକ୍ତା ଥିବାସ୍ଥଳେ ୨୦୧୮-୧୯ ମସିହାରେ ୬୮-୫ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ଅଛନ୍ତି। ଚାଷୀ ଓ ବିଦ୍ୟୁତ୍ ଉପଭୋକ୍ତାଙ୍କ ସଂଖ୍ୟା ସାମଗ୍ରୀକ ଭାବରେ ୧୦ ପ୍ରତିଶତରୁ ଅଧିକା ନୁହେଁ, ତେଣୁ ବିଦ୍ୟୁତ୍ ଦର ବୃଦ୍ଧିରେ ସାଧାରଣ ଜନତା କ୍ଷତିଗ୍ରସ୍ତ ହେବେନାହିଁ ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ ମନେହୁଏ। ପୂର୍ବରୁ ୧୯୯୯ ମସିହାରେ ଜଣେ ବିଦ୍ୟୁତ୍ କର୍ମଚାରୀ ପିଛା ୩୩ ଜଣ ଉପଭୋକ୍ତା ଥିବାସ୍ଥଳେ ବର୍ତମାନ ଏ ସଂଖ୍ୟା ୩୦୦ ରୁ ଅଧିକ। ସରକାର ବଡବଡ ଶିଳ୍ପସଂସ୍ଥା ଓ ଉଦ୍ୟୋଗପତିମାନଙ୍କ ଉପରେ ବାକି ପଡିଥିବା ହଜାର ହଜାର କୋଟି ଟଙ୍କା ଆଦାୟ କରିବା ପରିବର୍ତେ ମାତ୍ର ୬୬୦ କୋଟି ଟଙ୍କାର ଚାପକୁ ଭରଣା କରିବା ପାଇଁ ସାଧାରଣ ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ବୋଝ ଲଦି ଦେଲେ। ୟୁପିଏ ସରକାର ସମୟରେ ଓଡିଶାରେ ୮ଟି ମାଇକ୍ରୋ ହାଇଡ୍ରୋ ପ୍ରୋଜେକ୍ଟ ହେବାକୁ ଥିଲା। କିନ୍ତୁ ବର୍ତମାନ ସୁଦ୍ଧା ସେ କାମ କରା ନଯିବାକୁ ନେଇ ଶ୍ରୀ ବେହେରା ଅସନ୍ତୋଷ ବ୍ୟକ୍ତ କରିଥିଲେ।
ଓଡିଶା ସରକାର ତୁରନ୍ତ ବର୍ଦ୍ଧିତ ବିଜୁଳି ଦରକୁ ପ୍ରତ୍ୟାହାର ନକଲେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଗାମୀ ଦିନରେ ବଡ ଧରଣର ଜନଆନ୍ଦୋଳନକୁ କଂଗ୍ରେସ ଦଳ ଓହ୍ଲାଇବ ବୋଲି ମୁଖପାତ୍ର ପ୍ରଶାନ୍ତ ଶତପଥି ଚେତାବନୀ ଦେଇଥିଲେ। କରୋନା ମହାମାରୀ ସମୟରେ ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତ୍ ଦର ବୃଦ୍ଧି ଜନିତ ଅତିରିକ୍ତ ଆର୍ଥିକ ବୋଝ ନ ଲଦିବା ପାଇଁ ଶ୍ରୀ ଶତପଥି ରାଜ୍ୟ ସରକାରଙ୍କୁ ଅପିଲ୍ କରିଥିଲେ।
ଏହି ସାମ୍ବାଦିକ ସମ୍ମିଳନୀକୁ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ସଂଯୋଜନା କରିଥିଲେ।