Odiapua.com

ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ବିଦ୍ୟୁତ କାଟ୍‌ର ଆହ୍ୱାନ

(ଅକ୍ଟୋବର ୨୨ ତାରିଖ ସଂନ୍ଧ୍ୟା ୬ ଟାରେ ସ୍ୱଇଚ୍ଛାରେ ବିଦ୍ୟୁତ୍ ଜାଳିବେ ନାହିଁ)

ଭୁବନେଶ୍ୱର ତା ୧୫-୧୦ (ଓଡ଼ିଆ ପୁଅ) – କରୋନା ମହାମାରୀ ସମୟରେ ସବୁ ବର୍ଗର ଆର୍ଥିକ ସ୍ଥିତି ଖରାପ ହୋଇଯାଇଛି। ସେହି ସମୟରେ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ହଠାତ୍ ୨୦ ପଇସା ବିଦ୍ୟୁତ୍ ଦର ବୃଦ୍ଧି କରିଛନ୍ତି। ଛୋଟ ଦୋକାନୀ, କ୍ଷୁଦ୍ର ଓ ଅଣୁ ଉତ୍ପାଦନକାରୀ ସଂସ୍ଥା ସମେତ ସାଧାରଣ ଜନତାଙ୍କ ଉପରେ ନଭେମ୍ବର ମାସରେ ବିଦ୍ୟୁତ ଦର ଚାପ ଦେଖାଯିବ। ବଡ ବଡ କମ୍ପାନୀ ଉପରେ ହଜାର ହଜାର କୋଟି ଟଙ୍କା ଆଦାୟ ନହୋଇ ରହିଛି। ତାହା ଆଦାୟ ହେଉନାହିଁ ଅଥଚ ଉପଭୋକ୍ତାଙ୍କ ଉପରେ କରୋନା ମାଡ। ଏହି ବୃଦ୍ଧି ପାଇଁ କୌଣସି ଯୁକ୍ତି ଦେଖିବାକୁ ମିଳୁନାହିଁ। ବିଦ୍ୟୁତ୍ ମନ୍ତ୍ରୀ ଗତ ୭ ବର୍ଷରେ ବିଦ୍ୟୁତ୍ ଦର ବଢ଼ି ନଥିଲା ଏବଂ ପରିଚାଳନା ଗତ ଅର୍ଥ ବୃଦ୍ଧି ହେତୁ ବଢ଼ାଇବାକୁ ପଡୁଛି ବୋଲି କହିଲେ। ଏହା ସଂପୂର୍ଣ୍ଣ ମିଥ୍ୟା। ଦୁଇ ଥର ଦର ବଢ଼ିଛି। ଉତ୍ପାଦନକାରୀ କମ୍ପାନୀ ଓ ଗ୍ରୀଡ୍‌କୋର ଅପାରଗତା ପାଇଁ ୨ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବାଟବଣା ହୋଇଛି। ତାହା ନସଜାଡି ବିତରକ କମ୍ପାନୀମାନେ ବିତରଣ ଜନିତ କ୍ଷୟକ୍ଷତି ନକମାଇ ଉପଭୋକ୍ତାଙ୍କ ଉପରେ ଚାପ କେବଳ କରି ନ୍ୟସ୍ତ ସ୍ୱାର୍ଥ କମ୍ପାନୀ ଓ ଅଫିସରଙ୍କ ପାଇଁ ହୋଇଛି। ଏହି ବୈଠକରେ ସଭାପତି ପଂଚାନନ କାନୁନ୍‌ଗୋ, ରବି ଦାସ, ବରିଷ୍ଠ ସାମ୍ବାଦିକ ରବି ବେହେରାଙ୍କ ସମେତ କମ୍ୟୁନିଷ୍ଟ ପାର୍ଟିର ନେତା ଅଳିକିଶୋର ପଟ୍ଟନାୟକ, ସୁରେଶ ପାଣିଗ୍ରାହୀ, ସିପିଆଇ ନେତା ଜୟନ୍ତ ଦାସ, ସମାଜବାଦୀ ପାର୍ଟିନେତା ସୁଦର୍ଶନ ପ୍ରଧାନ, ସିପିଆଇ ଏମ୍‌ଏଲ୍ ନେତା ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡା, ଫରୱାର୍ଡ ବ୍ଲକ ନେତା ଜ୍ୟୋତିରଂଜନ ମହାପାତ୍ର, ପ୍ରମିଳା ବେହେରା ପ୍ରଭୃତି ଉପସ୍ଥିତ ଥାଇ ନିଷ୍ପତି ନିଆଗଲା ଯେ ଆଗାମୀ ୨୨ ତାରିଖ ଗୁରୁବାର ଦିନ ସନ୍ଧ୍ୟା ୬ ଟାରୁ ୬ଟା ୧୫ ମିନିଟ୍ ପର୍ଯ୍ୟନ୍ତ ଦର ବୃଦ୍ଧିର ପ୍ରତିବାଦ ସ୍ୱରୂପ ପ୍ରତ୍ୟେକ ବର୍ଗର ଉପଭୋକ୍ତା ୧୫ ମିନିଟ୍ ପାଇଁ ଘର ଅନ୍ଧାର ରଖିବେ। ନିଜ ଇଚ୍ଛାରେ ବିଦ୍ୟୁତ୍ କାଟ କରିବେ। ଏହି ବୈଠକରେ ନିଷ୍ପତି ନିଆଗଲା ଯେ ଉପଭୋକ୍ତାଙ୍କ ସ୍ୱାର୍ଥ ରକ୍ଷା କରୁଥିବା ରାଜନୈତିକ ଦଳ, ଶ୍ରମିକ ସଂଗଠନ, ସମାଜସେବୀ ସଂସ୍ଥାର ସହଯୋଗରେ ଜନସାଧାରଣଙ୍କୁ ନିବେଦନ କରାଯିବ। ଏହି ଦିନ ଆନ୍ଦୋଳନକୁ ସଫଳ କରିବା ନିମନ୍ତେ ସମସ୍ତ ପ୍ରକାର ପ୍ରଚାର ମାଧ୍ୟମ ସହଯୋଗ ଦେବାକୁ ମଧ୍ୟ ଅନୁରୋଧ କରାଗଲା।