Odiapua.com

ବିଦ୍ୟୁତ୍ ଥାନା ୨ ବର୍ଷ ହେଲା ଅଚଳ : ୭ ବର୍ଷରେ ୧୨୩ ମାମଲା

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ୯ ବର୍ଷ ତଳେ ବିଦ୍ୟୁତ୍ ସଂକ୍ରାନ୍ତୀୟ ମାମଲାର ପରିଚାଳନା ତଥା ବିଦ୍ୟୁତ୍ ଚୋରି ରୋକିବା ପାଇଁ ପ୍ରତିଷ୍ଠା କରାଯାଇଥିବା ଜିଲାର ଏକମାତ୍ର ବିଦ୍ୟୁତ୍ ଥାନା (ସ୍ୱତନ୍ତ୍ର ପୁଲିସ୍ ଷ୍ଟେସନ, ବିଦ୍ୟୁତ୍‌) ଗତ ୨ ବର୍ଷରୁ ଉର୍ଦ୍ଧ୍ୱହେବ ଅଚଳ ହୋଇପଡିଛି । ଯଦିଓ ପୁଲିସ୍ ରେକର୍ଡରେ ଏହି ବିଦ୍ୟୁତ୍ ଥାନାଟି ବନ୍ଦ ହୋଇନି, ହେଲେ ୨ ବର୍ଷ ହେଲା ଆଦୌ କାର୍ଯ୍ୟ କରୁନି । କେବଳ ଲିଭିଯାଇଥିବା ସାଇନ୍‌ବୋର୍ଡ ଓ ଫଳକରେ ଏହା ସୀମିତ ରହିଛି । ଭଦ୍ରକ ଜିଲାରେ ଥିବା ସମସ୍ତ ଥାନା ଇଲାକାରେ ଘଟୁଥିବା ବିଦ୍ୟୁତ୍ ଚୋରି, ହୁକିଂ ଓ ବେଆଇନ୍ ସଂଯୋଗ ତଥା ଟାମ୍ପରିଂ ଆଦି ମାମଲା ଗୁଡିକ ସଂପୃକ୍ତ ଥାନାରେ ନହୋଇ କେବଳ ସ୍ୱତନ୍ତ୍ର ଥାନା ବିଦ୍ୟୁତ୍‌ରେ ରୁଜୁ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତି ଅନୁଯାୟୀ, ଭଦ୍ରକ ବାଇପାସ୍ ରୋଡରେ ଥିବା ପାୱାର ହାଉସ୍ ପରିସରରେ ଏକ ବିଲ୍ଡିଂରେ ଗତ ୨୦୧୧ ଡିସେମ୍ବର ମାସ ୨୩ ରେ ତତ୍‌କାଳୀନ ଏସ୍‌ପି ଚିନ୍ତାମଣି ପଣ୍ଡା ଏହି ବିଦ୍ୟୁତ୍ ଥାନାକୁ ଉଦ୍‌ଘାଟନ କରିଥିଲେ । ଏହି ସ୍ୱତନ୍ତ୍ର ଥାନା ବିଦ୍ୟୁତ୍‌ରେ ପ୍ରଥମ ଆଇଆଇସି ଭାବେ ମମତା ସାହୁଙ୍କୁ ନିଯୁକ୍ତି ମିଳିଥିଲା । ଏହି ଥାନାରେ ପ୍ରଥମ ଥର ଲାଗି ୨୮.୧୨.୧୧ ରିଖରେ ପ୍ରଥମ ମାମଲା (କେଶ୍ ନଂ -୧) ରୁଜୁ ହୋଇଥିଲା । ଏହି ମାମଲାଟି ଟାଉନ୍ ଥାନା ଅଧୀନସ୍ଥ ଅଂଚଳର ଥିଲା । ପରେ ୨୦୧୨ ମସିହାରେ ଏହି ଥାନାରେ ଜିଲାର ବିଭିନ୍ନ ଥାନା ଇଲାକାର ୧୩ଟି ବିଦ୍ୟୁତ୍ ଜନିତ ମାମଲା, ୨୦୧୩ ରେ ୨୦ଟି ମାମଲା, ୨୦୧୪ ରେ ୨୮ ଟି ମାମଲା, ୨୦୧୫ ରେ ସର୍ବାଧିକ ୪୦ଟି ମାମଲା, ୨୦୧୬ ରେ ୧୦ଟି ମାମଲା, ୨୦୧୭ ରେ ୭ଟି ମାମଲା ରୁଜୁ ହୋଇଥିବାବେଳେ ଗତ ୨୦୧୮ ମସିହାରେ ମାତ୍ର ୪ ଗୋଟି ମାମଲା ରୁଜୁ ହୋଇଥିବା ଜଣାଯାଇଛି । ଶେଷଥର ପାଇଁ ୨୦.୧.୧୮ ତାରିଖରେ ଆଗରପଡା ଥାନା ଇଲାକାରେ ଘଟିଥିବା ଏକ ବିଦ୍ୟୁତ୍ ମାମଲା (ନଂ ୪/୧୮) ରୁଜୁ ହୋଇଥିଲା । ତା’ ପରଠାରୁ ଅର୍ଥାତ୍ ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ୍ୱ ହେବ ଗୋଟିଏ ବି ମାମଲା ରୁଜୁ ହୋଇନି । ମୋଟାମୋଟି କହିବାକୁ ଗଲେ ଗତ ୭ ବର୍ଷ ମଧ୍ୟରେ ୧୨୩ ଟି ବିଦ୍ୟୁତ୍ ଜନିତ ମାମଲା ରୁଜୁ ହୋଇଛି । ଜିଲାରେ ବିଦ୍ୟୁତ୍ ଥାନା ଖୋଲାଯିବା ପରେ ଗତ ୮ ଜଣ ଇନ୍‌ସ୍ପେକ୍ଟର ଆଇଆଇସି ପଦବୀରେ ଥିଲେ । ଏବେ ଥାନାରେ କୌଣସି ମାମଲା ରୁଜୁ ହେଉନଥିବାରୁ ପୁରୁଣାବଜାର ଥାନା ଆଇଆଇସିଙ୍କୁ ଇନଚାର୍ଜ ଭାବେ ଏହି ସ୍ୱତନ୍ତ୍ର ବିଦ୍ୟୁତ୍ ଥାନାରେ ଅବସ୍ଥାପିତ କରାଯାଇଥିବା ଜଣାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ଏହି ଥାନାଟି ଆଉ କାର୍ଯ୍ୟ କରୁନଥିବା ଜଣାଯାଇଛି । କେବଳ ୨ ଜଣ ପୁଲିସ୍ କର୍ମଚାରୀ ଏଠାରେ ଡ୍ୟୁଟି କରୁଥିବା ଜଣାଯାଇଛି । ପୂର୍ବରୁ ଥାନା ନୁହେଁ ବିଦ୍ୟୁତ୍ ଜନିତ ମାମଲା ଗୁଡିକୁ ଏହି ବିଦ୍ୟୁତ୍ ଥାନା ପରିଚାଳନା କରିବାକୁ ନିର୍ଦ୍ଦେଶ ଥିଲା । ତେବେ ଆବଶ୍ୟକୀୟ ପୁଲିସ୍ ଅଫିସର, କର୍ମଚାରୀ ଓ ଆବଶ୍ୟକୀୟ ଗାଡି ନଥିବାରୁ ଏହି ଥାନା ପରିଚାଳନାରେ ସାଂଘାତିକ ସମସ୍ୟା ଦେଖାଦେଇଥିଲା । ସର୍ବନିମ୍ନ ୨୦ ଜଣ ପୁଲିସ୍ କର୍ମଚାରୀ, ୪ ଗୋଟି ଗାଡି ଓ ଷ୍ଟ୍ରାଇକିଂ ଫୋର୍ସ ନରହିଲେ ଜିଲା ତମାମ୍ ବିୁଦ୍ୟତ୍ ଜନିତ ମାମଲା ଗୁଡିକୁ ପରିଚାଳନା କରିବା ସମ୍ଭବ ନୁହଁ ବୋଲି ମତବ୍ୟକ୍ତ କରିଛନ୍ତି ଆଇନ୍‌ଜୀବୀ କଲ୍ୟାଣ କୁମାର ଦାସ । ତେଣୁ ସରକାର ଏହି ଥାନାକୁ ଅଚଳ କରିଥିବା କଥା ଆଇନ୍‌ଜୀବୀ ଶ୍ରୀ ଦାସ ସୂଚନା ଦେଇଛନ୍ତି । ତେବେ ଏହି ବିଦ୍ୟୁତ୍ ଥାନାଟି କାର୍ଯ୍ୟକ୍ଷମ ଥିବାବେଳେ ଗତ ୭ ବର୍ଷ ମଧ୍ୟରେ କେବଳ ହୁକିଂ ଜନିତ ମାମଲା ଗୁଡିକୁ ରୁଜୁ କରିଥିବା ଜଣାଯାଇଛି । ଏବେ ଭଦ୍ରକ ସ୍ୱତନ୍ତ୍ର ଥାନା ବିଦ୍ୟୁତ୍ କେବଳ ଏକ ଲିଭିଯାଇଥିବା ସାଇନ୍ ବୋର୍ଡ ଭିତରେ ବନ୍ଦ ରହିବାହ ସାର ହୋଇଛି ।