Odiapua.com

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଚାଷୀ ମୃତ୍ୟୁ ପ୍ରସଙ୍ଗ, ୪ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବେଆଇନ୍ ଭାବେ ସଂଯୋଗ ହୋଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣେ ଚାଷୀଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର ଆୟୋଗ ନେସ୍କୋ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ କ୍ଷତିପୂରଣ ଅର୍ଥ ରାଶି ୩ ମାସ ମଧ୍ୟରେ ନଦେଲେ, ମାସିକ ୯ ପ୍ରତିଶତ ସୁଧ ହାରରେ ଏହା ପ୍ରଦାନ କରିବାକୁ ଆୟୋଗ ରାୟରେ ସ୍ପଷ୍ଟ କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଗତ ୨୦୧୬ ମସିହା ନଭେମ୍ବର ୨୭ ତାରିଖ ଭଦ୍ରକ ବ୍ଲକ୍ କଳାହାଣ୍ଡିଆ ଗ୍ରାମର ଚାଷୀ ଆନନ୍ଦ ସେଠୀ ବିଲକୁ ଯାଇଥିଲେ । ଏତିକିବେଳେ ଓହଳି ରହିଥିବା ଏକ ଆଲୁମୋନିୟମ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସେ ମୃତ୍ୟୁବରଣ କରିଥିଲେ । ଏନେଇ ମୃତକଙ୍କ ପୁତ୍ର ବାବୁଲାଲ କେତେକ ଗ୍ରାମବାସୀଙ୍କ ସହଯୋଗରେ ଆସି ନେସ୍କୋ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ସାକ୍ଷାତ୍ କରିଥିଲେ । ଉକ୍ତ ବିଦ୍ୟୁତ୍ ସଂଯୋଗ ବେଆଇନ୍ ହୋଇଥିବାରୁ ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ବାବୁଲାଲ ନିବେଦନ କରିଥିଲେ । କିନ୍ତୁ ନେସ୍କୋ କର୍ତ୍ତୃପକ୍ଷ ଉକ୍ତ ଦାବିକୁ ଅଗ୍ରାହ୍ୟ କରି ଦେଇଥିଲେ । ଏହି ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟର ଅଧିବକ୍ତା ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ଏକ କ୍ଷତିପୂରଣ ମାମଲା ଦାଏର କରିଥିଲେ । ସେହିପରି ମୃତକଙ୍କ ପୁତ୍ର ବାବୁଲାଲ ମଧ୍ୟ ଏ ସଂପର୍କରେ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର ମାନ୍ୟବର ଆୟୋଗ ଉଭୟଙ୍କ ପିଟିସନକୁ ବିଚାର ପାଇଁ ଗ୍ରହଣ କରିଥିଲେ ହେଁ ଉକ୍ତ ମାମଲାକୁ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟକୁ ବିଚାର ପାଇଁ ପଠାଇ ଦେଇଥିଲେ । ତେବେ ଉଭୟଙ୍କ ପିଟିସନକୁ ବିଚାରକୁ ନେଇ ମାନ୍ୟବର ଆୟୋଗ ନେସ୍କୋ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ । ଭଦ୍ରକ ନେସ୍କୋ ବିଭାଗର ନିର୍ବାହୀ ଯନ୍ତ୍ରୀ ଉତ୍ତରରେ ସ୍ପଷ୍ଟ କରିଥିଲେ ଆଲୁମିନିୟମ୍ ତାର ଯୋଗେ କାଳନ୍ଦୀ ମଲ୍ଲିକ ନାମକ ଜଣେ ଚାଷୀ ତାଙ୍କ ଉଠା ଜଳସେଚନ ପାଣି ପଏଣ୍ଟକୁ ବେଆଇନ୍ ଭାବେ ନିକଟସ୍ଥ ଏକ ସବ୍‌ଷ୍ଟେସନରୁ ବିଦ୍ୟୁତ୍ ସଂଯୋଗ ନେଇ ନିଜର ପାଣି ମୋଟର ଚଳାଉଥିଲେ । ଏନେଇ କର୍ତ୍ତୃପକ୍ଷଙ୍କ ଅଭିଯୋଗ ମୂଳେ କାଳନ୍ଦୀ ପୂର୍ବରୁ ଗିରଫ ହୋଇଥିଲେ । ଏହି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଆନନ୍ଦଙ୍କ ମୃତ୍ୟୁ ହୋଇଛି ବୋଲି ନିର୍ବାହୀ ଯନ୍ତ୍ରୀ ନିଜ ଉତ୍ତରରେ କହିଥିଲେ । ତେବେ କୌଣସି ସାଧାରଣ ମଣିଷ ପକ୍ଷେ ଆଲୁମିନିୟମ୍ ତାର ଯୋଗେ ସବ୍‌ଷ୍ଟେସନରୁ ବିଦ୍ୟୁତ୍ ସଂଯୋଗ ନେବା ସମ୍ଭବ ନୁହେଁ । ଏହାବ୍ୟତୀତ ନେସ୍କୋ କର୍ମଚାରୀଙ୍କ ବିନା ଜ୍ଞାତସାରରେ ବିଦ୍ୟୁତ୍ ସଂଯୋଗ ନେବା ସମ୍ଭବ ନୁହେଁ । ଏହି ସଂଯୋଗ ସଂପୂର୍ଣ୍ଣ ବେଆଇନ୍ ବୋଲି ନିର୍ବାହୀ ଯନ୍ତ୍ରୀ ଦର୍ଶାଇଥିବାରୁ ନେସ୍କୋ କର୍ତ୍ତୃପକ୍ଷଙ୍କ ଅବହେଳା ସ୍ପଷ୍ଟ ହୋଇଛି ବୋଲି ମାନ୍ୟବର ଆୟୋଗଙ୍କ ହୃଦବୋଧ ହୋଇଥିଲା । ଯଦି ଏପରି ବେଆଇନ୍ ସଂଯୋଗ ସଂପର୍କରେ କର୍ତ୍ତୃପକ୍ଷ ଅବଗତ ଥିଲେ, ବିଭାଗୀୟ କର୍ତ୍ତୃପକ୍ଷ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା କଥା । ତେଣୁ ଏହି ଘଟଣାରେ ଆନନ୍ଦଙ୍କ ବିଦ୍ୟୁତ୍ ଆଘାତ ଜନିତ ମୃତ୍ୟୁ ପାଇଁ ନେସ୍କୋ କର୍ତ୍ତୃପକ୍ଷଙ୍କୁ ସଂପୂର୍ଣ୍ଣ ଦାୟୀ କରି ଉପରୋକ୍ତ ଆଦେଶ ଦେଇଛନ୍ତି ।