ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଞ୍ଜୁରୀରୋଡ ଅଞ୍ଚଳର ରାଜେନ୍ଦ୍ରପୁର ଗ୍ରାମ ନିକଟରେ ଆଜି ଜନୈକ ଶ୍ରମିକର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି। ଥଇଳାରୁ ଧାନକଟା ମେସିନ ବୋଝେଇ ଟ୍ରକ କୁଲଣା-ମଞ୍ଜୁରୀରୋଡ ଗ୍ରାମ୍ୟ ଉନ୍ନୟନ ରାସ୍ତାର ମଞ୍ଜୁରୀରୋଡ ଆଡକୁ ଯାଉଥିବା ବେଳେ ରାଜେନ୍ଦ୍ରପୁର ଗ୍ରାମ ନିକଟରେ ଅନୁଚ୍ଚ ସ୍ତରରେ ଥିବା ୧୧ କେ.ଭି. ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ଧାନକଟା ମେସିନ ଉପରେ ବସିଥିବା ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳର ଏମ.ଭି.୫୪ ଚିତ୍ରାପାଲ୍ଲୀ ଗ୍ରାମର ଯୁଧିଷ୍ଟିର ସରକାର(୩୦) ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ବିପଦ ଜାଣିପାରି ମେସିନ ଉପରେ ଥିବା ଅନ୍ୟଜଣେ ଶ୍ରମିକ ପୂର୍ବରୁ ତଳକୁ ଡେଇଁପଡି ପ୍ରାଣ ବଞ୍ଚାଇଥିଲେ। ମୃତକଙ୍କୁ ଭଣ୍ଡାରିପୋଖରୀ ମେଡିକାଲ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନା ସୂତ୍ରରୁ ସୂଚନା ପାଇ ଥାନାରେ ୨/୨୨ ଅପମୃତ୍ୟୁ ମାମଲା ଋଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଯାଇଛି।