Odiapua.com

ବିଦ୍ୟାଳୟ ମରାମତି ଏବଂ ଉପକରଣ କିଣାରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ଅଭିଯୋଗ, ପ୍ରଧାନ ଶିକ୍ଷକ ନିଲମ୍ବନ ଦାବିରେ ଧାରଣା, ୧୫ ଦିନରେ ସମାଧାନ ନହେଲେ ବିଦ୍ୟାଳୟରେ ପଡିବ ତାଲା – ସଭାପତି

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୂଚନା ଅଧିକାର ଆଇନ୍ ଧରାଇ ଦେଲା ସତ। ଆଉ ସତ ଧରାପଡିଯିବା ଭୟରେ ତରବରିଆ କାର୍ଯ୍ୟ କରି ମଧ୍ୟ ସତ ଲୁଚାଇ ପାରିଲେନି ପ୍ରଧାନ ଶିକ୍ଷୟିତ୍ରୀ। ଆଉ ସତ ଜାଣିବା ପରେ ଦିଦିଙ୍କୁ ପଚାରିବାରୁ ଜାନାକାରୀ କେଶ୍ ଦେବେ ବୋଲି ଅଭିଯୋଗି ଆଣିଛନ୍ତି ଅଭିଭାବକ। ଶେଷରେ ମାତୃ ଶିକ୍ଷା କମିଟିର ସଭାପତିଙ୍କ ସହ ମହିଳାମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିଲମ୍ବନ ଦାବିରେ ବିଦ୍ୟାଳୟ ସମ୍ମୁଖ ବାରଣ୍ଡାରେ ବସିଲେ ଧାରଣା। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ବାସୁଦେବପୁର ସାନକୃଷ୍ଣପୁର ପଞ୍ଚାୟତ ଗଦି ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ସୂଚନା ଅନୁଯାୟୀ ୧୧୦ ବର୍ଷର ଗଦି ପ୍ରାଥମିକ ବିଦ୍ୟାଳୟ ୨୦୧୮ ରୁ ୨୦୨୧ ଆର୍ଥିକ ବର୍ଷରେ କମ୍ପୋଜିଟ୍ ଗ୍ରାଣ୍ଟ ଇକୋକ୍ଲବ୍ ଗ୍ରାଣ୍ଟ ସ୍ପୋଟର୍ସ ଗ୍ରାଣ୍ଟ ସହ ମିଳିଥିବା ବିଭିନ୍ନ ସହାୟତା ରାଶିର ତଥ୍ୟ ପାଇଁ ସୂଚନା ମାଗିବା ପରେ ସତ୍ୟ ସାମନାକୁ ଆସିଥିଲା। ତଥ୍ୟ ଅନୁସାରେ ଆରଟିଆଇ ତଥ୍ୟ ଉଲ୍ଲେଖ କରି ବର୍ତ୍ତମାନ କବାଟ ଏବଂ ଗୋଟିଏ ଝରକାକୁ ମରାମତି କରି ରଙ୍ଗ ଘସା ଯାଉଛି। କାନ୍ଥ ଫାଟି ଆଁ କରିଥିବାବେଳେ ଦୁର୍ଘଟଣାକୁ ଏଡାଇ ଦିଆଯାଇନପାରେ। ବିପଦ ସଂକୁଳ ଅବସ୍ଥାରେ ଦୁଆରର ମୁଖ୍ୟ ତାଜା ଓ ଛାତ କାନିସି ଫାଟି ତଡା ତଡା ଖସିଥିବା ବେଳେ ମରାମତି ନହୋଇ ସିମେଣ୍ଟ, ବାଲି, ଚିପସ୍‌, ମଜୁରୀ ବାବଦକୁ ଖର୍ଚ୍ଚ ଅର୍ଥ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ।

ଅନ୍ୟପଟେ ବିଦ୍ୟାଳୟ ପରିସରର ପୂର୍ବ ଫଟୋ ଅନୁସାରେ ୨ ବର୍ଷରୁ ଉର୍ଦ୍ଧ୍ୱ ହେବ ପାଚରେୀ ନଥିବାରୁ ବୁଲା ଗୋରୁ ଓ ଶଣ୍ଢଙ୍କ ଆଶ୍ରୟ ପାଲଟିଥିବା ବେଳେ ୪ ହଜାର ଟଙ୍କା ଚାରା ବାବଦକୁ ମଧ୍ୟ ଅର୍ଥ ଖର୍ଚ୍ଚ କରାଯାଇଥିବା ଚକିତ କରିଛି ଅଭିଭାବକଙ୍କୁ। ୱାରିଂ ପାଇଁ ନିମ୍ନମାନର ତାର ବ୍ୟବହାର କରାଯାଇଥିବା ବେଳେ ୨ ଅର୍ଡିନାରୀ କଂପାନୀର ଲାଗିଥିବା ପଲିକୋର୍ଡ ଲାଗିଥିବା ଦର୍ଶାଯାଇଛି ଆରଟିଆଇ ତଥ୍ୟରେ। କରୋନା ମହାମାରୀ ପାଇଁ ବିଦ୍ୟାଳୟ ଦୀର୍ଘଦିନ ଛୁଟି ରହିଥିବା ରଜ ଛୁଟି ସମୟରେ କାର୍ଯ୍ୟ ନକରି ଆରଟିଆଇ ତଥ୍ୟ ମିଳିବା ପରେ ଫ୍ୟାନ୍‌, କବାଟ, ମରାମତି, ରଙ୍ଗ ଦେବାର କାରଣ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ ସଂପୃକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପୂର୍ବରୁ ମଧ୍ୟ ଡେରିରେ ବିଦ୍ୟାଳୟ ଯିବା ଏବଂ ଛୁଟି ନଥାଇ ବିଦ୍ୟାଳୟ ବନ୍ଦ କରିବା, ଜାତୀୟ ପତାକା ଓଲଟା ଉଡାଇବା ଭଳି ଘଟଣା ସାମନାକୁ ଆସିଥିଲା। ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜଣଙ୍କ ୧୫ ବର୍ଷ ପାଖାପାଖି ହେବ ଉଚ୍ଚ ବିଦ୍ୟାଳୟରେ ରହିଛନ୍ତି। ବଦଳି ପାଇଁ ଗଣମାଧ୍ୟମ ମାଧ୍ୟମରେ ପ୍ରଶାସନକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ। ଘଟଣା ସଂପର୍କରେ ସିଆରପିସିସି ଜାଣିଥିବା ସହ ବାଡ, ଖୁଣ୍ଟ ଗଛ ଗ୍ରାମବାସୀ ଚୋରି କରିଥିବା କହିଥିବାରୁ ଗ୍ରାମବାସୀ ସିଆରପିସିଙ୍କ ସଂପୃକ୍ତି ଥିବା କହି ସିଆରସି ଓ ବିଓଙ୍କୁ ଘେରିଥିଲେ।

ଲୋକଙ୍କୁ ବୁଝାସୁଝା କରିବା ସହ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ବ୍ଲକ୍ ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ ପ୍ରତିଶ୍ରୁତି ଦେବାପରେ ଧାରଣାରୁ ଉଠିବା ସହ ୧୫ ଦିନ ମଧ୍ୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ ଏବଂ ଅନ୍ୟତ୍ର ବଦଳି ନକରାଗଲେ ବିଦ୍ୟାଳୟ ତାଲା ପକାଇବୁ ବୋଲି ଚେତାବନୀ ଦେଇଛନ୍ତି ଅଭିଭାବକ। ଏଥିସହ ପଞ୍ଚମ ଶ୍ରେଣୀର ପିଲାଙ୍କୁ ବୃତ୍ତର କେତୋଟି ବ୍ୟାସ ଅଛି ପଚାରିଥିଲେ ପିଲା ଉତ୍ତର ଦେଇନପାରିବାରୁ ଶିକ୍ଷକଙ୍କ ଉପରେ ବିରକ୍ତ ହେବା ସହ ବ୍ଲାକ୍ ବୋର୍ଡରେ ବୁଝାଇଥିଲେ। ଅନ୍ୟପଟେ ୩୫ ପିଲାଙ୍କୁ ୧ କେଜି ଚାଉଳ ଏବଂ ୧ କେଜି ଆଳୁ ପ୍ରତିଦିନ ରୋଷେଇ ପାଇଁ ପାଚିକାଙ୍କୁ ଦେବା ସହ ରାସନ୍ ସାମଗ୍ରୀ ପାଇଁ ଚାଉଳ ବିକ୍ରି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଖୋଦ୍ ଶିକ୍ଷା କମିଟିର ସଭାପତି ମୀନତି ନାୟକ। ଏଥିସହ ପ୍ରତ୍ୟେକ ଦିନ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସଂପର୍କୀୟ ଦିଦିଙ୍କୁ ଛାଡିବାକୁ ଆସି ୪ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ରହୁଥିବାରୁ ପାଠ ପଢାରେ ପିଲାଙ୍କ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ। ଅନ୍ୟପଟେ ମଲା ଜୀବଜନ୍ତୁ ବିଦ୍ୟାଳୟରେ ପଡିଥିବାରୁ ପିଲା ବାନ୍ତି କରିଛନ୍ତି ବୋଲି କହିଛନ୍ତି। ଏମିତିକି ବିଓଙ୍କ ସମ୍ମୁଖରେ ଏକ ଶ୍ରେଣୀ କୋଠରୀରେ ମଲା ମୂଷାଶବ ପାଖରେ ପିଲା ପଢୁଥିବା ଦେଖିବାକୁ ମିଳିଥିଲା। ଶୌଚାଳୟ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିବାବେଳେ ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି।