Odiapua.com

ବିଦ୍ୟାଳୟ ପରିସରରୁ ଗଛ କାଟି ବିକ୍ରି ଅଭିଯୋଗ: ପ୍ରତିବାଦରେ ଗ୍ରାମବାସୀଙ୍କ ତାଲାବନ୍ଦ, ଅଚଳ ହୋଇପଡ଼ିଛି ଶିକ୍ଷାଦାନ,ପ୍ରଧାନଶିକ୍ଷକ ଛୁଟିରେ

ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଦଇପୁର ପଞ୍ଚାୟତ ସ୍ଥିତ ୧୯୪୭ ମସିହାରେ ସ୍ଥାପିତ ଜଗନ୍ନାଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବେ ଅରାଜକତାର ପେଣ୍ଠସ୍ଥଳ ପାଲଟିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟକଳାପ ଏବଂ ଶିକ୍ଷା ବିଭାଗର ଉଦାସୀନତା ଯୋଗୁଁ ଏହି ପୁରାତନ ଶିକ୍ଷାନୁଷ୍ଠାନ ଏବେ ଅଚଳାବସ୍ଥାକୁ ଚାଲିଆସିଛି। ଜରାଜୀର୍ଣ୍ଣ ବିପଦ ସଙ୍କୁଳ ଶ୍ରେଣୀ ଗୃହର ପାଠପଡ଼ା ବି ହେଉଚି ।ସୂଚନା ଅନୁଯାୟୀ, ଚଳିତ ମାସ ୫ ତାରିଖରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଧାଂଶୁ ଯେନା ବିନା କୌଣସି ବିଭାଗୀୟ ଅନୁମତିରେ ପରିସର ମଧ୍ୟରେ ଥିବା ମୂଲ୍ୟବାନ ଗଛଗୁଡ଼ିକୁ କାଟି ବିକ୍ରି କରୁଥିଲେ। ଏହା ଜାଣିପାରି ବାବୁରିଗାଁ ଓ ସ୍ୱାମୀପାଟଣାର ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଏହାକୁ ତୀବ୍ର ବିରୋଧ କରିଥିଲେ। କଟା ଗଛଗୁଡ଼ିକ ଏବେ ମଧ୍ୟ ବିଦ୍ୟାଳୟ ପରିସରରେ ପଡ଼ି ରହିଥିବା ବେଳେ ପ୍ରତିବାଦ ସ୍ୱରୂପ ଗ୍ରାମବାସୀ ବିଦ୍ୟାଳୟରେ ଚାବି ପକାଇ ଦେଇଛନ୍ତି। ଖବର ପାଇ ପୋଲିସ ଓ ଶିକ୍ଷା ବିଭାଗର ଅଧିକାରୀମାନେ ପହଞ୍ଚିଥିଲେ ମଧ୍ୟ ସମସ୍ୟାର କୌଣସି ସ୍ଥାୟୀ ସମାଧାନ ହୋଇପାରି ନାହିଁ। ଗଛ କଟାକୁ ନେଇ ବିବାଦ ବଢ଼ିବା ପରେ ପ୍ରଧାନ ଶିକ୍ଷକ କାହାକୁ ଦାୟିତ୍ୱ ନଦେଇ ମନମୁଖୀ ଭାବେ ଛୁଟିରେ ରହିଛନ୍ତି। ଫଳରେ ବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ବର୍ତ୍ତମାନ ବିଦ୍ୟାଳୟରେ ‘ପ୍ରବେଶ ଉତ୍ସବ’ ଚାଲିଥିବା ବେଳେ ନୂତନ ନାମଲେଖା ବାଧାପ୍ରାପ୍ତ ହୋଇଛି। ସେହିପରି ଅଷ୍ଟମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ପିଲାମାନେ ନିଜର ସାର୍ଟିଫିକେଟ ପାଇବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟାଳୟରେ ମାତ୍ର ୪୫ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୫ ଜଣ ଶିକ୍ଷକ ନିୟୋଜିତ ଥିଲେ ହେଁ ବିଦ୍ୟାଳୟ ପରିବେଶ ଅତ୍ୟନ୍ତ ଅପରିଷ୍କାର ଓ ଅସ୍ୱାସ୍ଥ୍ୟକର ହୋଇପଡ଼ିଛି।ଏ ସମ୍ପର୍କରେ ସି.ଆର.ସି.ସି ଦେବେନ୍ଦ୍ର କବି କହିଛନ୍ତି ଯେ, ସେ ଘଟଣା ସମ୍ପର୍କରେ ଅବଗତ ଅଛନ୍ତି ଏବଂ ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିବେ। ତେବେ ଏତେବଡ଼ ସମ୍ବେଦନଶୀଳ ଘଟଣା ଘଟିଥିଲେ ମଧ୍ୟ ଜିଲ୍ଲା ଶିକ୍ଷା ବିଭାଗ କାହିଁକି ଚୁପ୍ ରହିଛି, ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଜଣେ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ରେ ଗୋଟେ ଗଛ ଲଗାଇ ନଥିବା ବେଳେ ସେଠାରୁ ଗଛ ଗୁଡ଼ିକ କାଟି ବିକ୍ରି କରିଦେଇ ଥିଲେବି ପ୍ରଶାସନ କାହିଁକି ପ୍ରଧାନ ଶିକ୍ଷକ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।ଶୀଘ୍ର ଏହି ସମସ୍ୟାର ସମାଧାନ କରାଯାଇ ବିଦ୍ୟାଳୟରେ ସ୍ୱାଭାବିକ ଶିକ୍ଷାଦାନ ବ୍ୟବସ୍ଥା ଫେରାଇ ଆଣିବାକୁ ଦଇପୁର ପଞ୍ଚାୟତବାସୀ ଦାବି କରିଛନ୍ତି।