ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବିଦ୍ୟାଳୟ ଚାଉଳ ସହ ଭାତରେ ପୋକ ସାଲୁବାଲୁ । କୁନୀ କୁନୀ ପିଲଏ ଖାଉଛନ୍ତି ପୋକ ମିଶା ଭାତ। ସବୁ ଜାଣି ମଧ୍ୟ ଶିକ୍ଷାଧିକାରୀ ନୀରବ। ପ୍ରାପ୍ତ ଖବର ଅନୁଯାଇ ଚାନ୍ଦବାଲି ବ୍ଲକ ଦୋସିଙ୍ଗା କ୍ଲଷ୍ଟରେ ଥିବା ରବିନ୍ଦ୍ର ନଗର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପିଲା ସଂଖ୍ୟା ୪୧। ଏହି ବିଦ୍ୟାଳୟରେ ଥିବା ମଧ୍ୟାହ୍ନ ଭୋଜନ ଚାଉଳରେ ପୋକ ସାଲୁବାଲୁ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଦିଆଯାଉଥିବା ଭାତରେ ପୋକ ଭର୍ତି। ଆଜି ଏହି ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନକୁ ଖାଇବାକୁ ଛୁଆ ଅରାଜି ହୋଇଥିଲେ। ଏହାର ଏକମାତ୍ର କାରଣ ଭାତ ସାରା ମଲା ପୋକ ଭର୍ତି। ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜୟଲଳିତା ପାଢୀଙ୍କୁ ଏହି ବିଷୟରେ ପଚାରିବାରୁ ସେ ଏହି ବିଷୟରେ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ମାତ୍ର ଚାଉଳ ଯୋଗାଉଥିବା ଏଜେନ୍ସି କୌଣସି ପରିସ୍ଥିତିରେ ଚାଉଳ ବଦଳାଇବ ନାହିଁ ବୋଲି ମନା କରି ଦେଇଥିଲା। ଫଳରେ ବାଧ୍ୟ ହୋଇ ସଂପୃକ୍ତ ପ୍ରଧାନ ଶିକ୍ଷୟତ୍ରୀ ଏହି ପୋକରା ଚାଉଳରେ ଭାତ ରୋଷେଇ କରି ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ପରଷୁଛନ୍ତି। ଆଜି ମଧ୍ୟାହ୍ନ ଭୋଜନ ଖାଇବାକୁ କୁନୀ କୁନୀ ଛୁଆ ମାନେ ଅମଙ୍ଗ ହୋଇଥିଲେ। ପରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ପହଂଚି ଏହି ପୋକରା ଚାଉଳ ଏବଂ ଭାତ ସାରା ପୋକ ଭର୍ତି ହୋଇଥିବା ଦେଖିବାକୁ ପାଇଥିଲେ ମାତ୍ର ପ୍ରଧାନ ଶିକ୍ଷୟତ୍ରୀ ଏହି ବିଷୟରେ ଶିକ୍ଷାଧିକାରୀଙ୍କୁ ଅବଗତ କରାଇଛନ୍ତି ବୋଲି କହି ଦୋଷ ଛଡା ହୋଇଯାଇଥିଲେ । କୋଣସି ପରିସ୍ଥିତିରେ ଏଭଳି ପୋକ ମିଶା ଭାତ ଖାଇ ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେଲେ ଏଥିପ୍ରତି ବ୍ଲକ ଶିକ୍ଷାଧିକାରୀ/ଜିଲ୍ଲା ଶିକ୍ଷାଧିକାରୀ ଅଥବା ଜିଲ୍ଲାପାଳ ମହୋଦୟ ଦାଇ ରହିବେକି ବୋଲି ଅଭିଭାବକ ମଣ୍ଡଳୀ ପ୍ରଶ୍ନ ଉଠାଇଛନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଚାଉଳ ଯୋଗାଉଥିବା ଏଜେନ୍ସି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଭାବକ ମଣ୍ଡଳୀ ଦାବୀ କରିଛନ୍ତି।