Odiapua.com

ବିଦ୍ୟାଳୟର ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲ ଛୁଟି କରି ଅଡୁଆରେ ପ୍ରଧାନ ଶିକ୍ଷୟିତ୍ରୀ, ଜାରି ହେଲା କାରଣ ଦର୍ଶାଅ ନୋଟିସ୍‌

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ତ୍ତମାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସେମାନଙ୍କର ହକ୍ ପାଇଁ ଧାରଣା ଓ ଅନଶନ କରୁଥିବାବେଳେ ଏବେ କିଛିଦିନ ହେବ ତାହା ବନ୍ଦ ରହିଛି । ତେବେ କେତେକ ବିଦ୍ୟାଳୟରେ ଶିକ୍ଷକ-ଶିକ୍ଷୟିତ୍ରୀମାନେ ମନମୁଖୀ ଭାବେ ବିଦ୍ୟାଳୟକୁ ଯିବାଆସିବା କରି ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି କରୁଛନ୍ତି । ଏଭଳି ଘଟଣାକୁ ନେଇ ଏବେ ଧାମନଗର ବ୍ଲକ୍ ଶିକ୍ଷାଧିକାରୀ ଆକ୍ସନ ମୁଡ୍‌ରେ ଅଛନ୍ତି । ଏଠାରେ ପ୍ରକାଶ ଥାଉକି ଧାମନଗର ବ୍ଲକ୍ ଅଧୀନସ୍ଥ ବମକୁରା କ୍ଲଷ୍ଟରର କାଶିମପୁର ନୋଡାଲ ୟୁପି ସ୍କୁଲକୁ ଚଳିତମାସ ୨୧ ତାରିଖ ଦିନ ୩.୪୦ ଓ କାଶିମପୁର ହେମେନ୍ଦ୍ରନାଥ ହାଇସ୍କୁଲକୁ ୩.୩୦ ରେ ଛୁଟି କରିଦିଆଯାଇଥିଲା । ଏହି ସମୟରେ ଧାମନଗର ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଟିମ୍ ବିଭିନ୍ନ ସ୍କୁଲ ପରିଦର୍ଶନ କରୁଥିବାବେଳେ ଉକ୍ତ ୨ଟି ବିଦ୍ୟାଳୟ ବନ୍ଦ ରହିଥିଲା । ଏହାଦେଖି ଉକ୍ତ ଟିମ୍ ବିଇଓଙ୍କ ନିକଟରେ ଜଣାଇବା ପରେ ବ୍ଲକ୍ ଶିକ୍ଷାଧିକାରୀ ସଂପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଚିଠି ନଂ ୧୮୫୬/୨୩ ଓ ୧୮୫୭/୨୩ ମୂଳେ କାରଣ ଦର୍ଶାଅ ନୋଟିସ୍ ଜାରି କରି ଦୁଇଦିନ ମଧ୍ୟରେ ସନ୍ତୋଷ ଜନକ ଉତ୍ତର ନଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ଲକ୍ ଶିକ୍ଷାଧିକାରୀ ଗଦାଧର ଜେନା ସୂଚନା ଦେଇଛନ୍ତି । ତେବେ ଅଧିକାଂଶ ବିଦ୍ୟାଳୟରେ କେତେକ ଶିକ୍ଷକ ମଦ୍ୟପାନ କରି ବିଳମ୍ବରେ ବିଦ୍ୟାଳୟକୁ ଯାଉଥିବାର ଗୁରୁତର ଅଭିଯୋଗମାନ ହେଉଥିବାରୁ ଏ ଦିଗରେ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରାଯିବାକୁ ଅଭିଭାବକମାନେ ଦାବି କରିଛନ୍ତି ।