Odiapua.com

ବିଦ୍ୟାର୍ଥୀ ବିକାଶ ମଞ୍ଚ ବୈଠକରେ ଭଦ୍ରକରେ ବିଶ୍ୱବିଦ୍ୟାଳୟ ପ୍ରସଂଗରେ ଆଗାମୀ ଯୋଜନା ଓ ସିଭିଲ ସର୍ଭିସ ପରୀକ୍ଷାରେ କୃତୀ ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଅବିଳମ୍ବେ ବିଶ୍ୱବିଦ୍ୟାଳୟ ସ୍ଥାପନ ପ୍ରସଂଗରେ ପୁନର୍ବାର ତାହାର ରଣନୀତି ପ୍ରସ୍ତୁତ କରିଛି ‘ବିଦ୍ୟାର୍ଥୀ ବିକାଶ ମଞ୍ଚ’ ଭଦ୍ରକ । ଉକ୍ତ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡଃ ଦେବେନ୍ଦ୍ରନାଥ ରାଉତଙ୍କ ଅଧ୍ୟକ୍ଷତା ଓ ମଞ୍ଚର ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ସଭା ପରିଚାଳନାରେ ସ୍ଥାନୀୟ ଜାନୁଗଞ୍ଜ ସ୍ଥିତ ‘ଦିବ୍ୟମ୍‌’ ହଲ୍‌ରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଭଦ୍ରକରେ ବିଶ୍ୱବିଦ୍ୟାଳୟ ସ୍ଥାପନ ପ୍ରସଂଗରେ ଗତ ୨୧ ତାରିଖ ଦିନ ଭଦ୍ରକ ଟାଉନ ହଲ୍‌ରେ ହୋଇଥିବା ୩ ଅଧିବେଶନ ବିଶିଷ୍ଟ ଏକ ଦିବସୀୟ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇ, ତୃଟି ବିଚ୍ୟୁତିକୁ ସଂଶୋଧନ କରାଯାଇ ଏହି ପ୍ରସଂଗରେ ଆଗାମୀ ରଣନୀତି ପ୍ରସ୍ତୁତ କରାଯାଇଛି । ଯୋଜନା ଅନୁସାରେ ଖୁବ୍‌ଶୀଘ୍ର ମଞ୍ଚର କର୍ମକର୍ତ୍ତା ଓ ଉପଦେଷ୍ଟା ମଣ୍ଡଳୀଙ୍କର ଏକ ମିଳିତ ଟିମ୍ ଭଦ୍ରକରେ ବିଶ୍ୱବିଦ୍ୟାଳୟ ସ୍ଥାପନ ପ୍ରସଂଗରେ ଭଦ୍ରକ ଗସ୍ତରେ ଆସିବାକୁ ଥିବା ‘୫ଟି’ ସଚିବଙ୍କୁ ଭେଟି ଆଲୋଚନା କରିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ସ୍ୱରୂପ ଜିଲ୍ଳାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଲିଖିତ ଆବେଦନ କରାଯାଇଛି ବୋଲି ଶ୍ରୀ ବିଶ୍ୱାଳ ସୂଚନା ଦେଇଥିଲେ ।

ଯଦି ପ୍ରଶାସନ ଏହି ସାକ୍ଷାତ ଆଲୋଚନା କରାଇବାରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି, ତେବେ ଜୁନ୍ ପ୍ରଥମ ସପ୍ତାହରେ ହେବାକୁ ଥିବା ମଞ୍ଚର ପରବର୍ତ୍ତୀ ଉପଦେଷ୍ଟାମଣ୍ଡଳୀ ବୈଠକରେ ପ୍ରଥମେ ଭଦ୍ରକ ଓ ପରେପରେ ଭୁବନେଶ୍ୱରରେ ଛାତ୍ର ଓ ଯୁବ ସମାବେଶ କରି ଗଣତାନ୍ତ୍ରିକ ଧାରାରେ ବ୍ୟାପକ ଆନ୍ଦୋଳନ ଲାଗି ପ୍ରସ୍ତୁତି କରିବା ପାଇଁ ମଞ୍ଚ ବାଧ୍ୟ ହେବ ବୋଲି ଅନୁଷ୍ଠାନରେ କର୍ମକର୍ତ୍ତାଗଣ ଜଣାଇଛନ୍ତି । ଉକ୍ତ ବୈଠକରେ ସର୍ବଭାରତୀୟ ସ୍ତରରେ ସିଭିଲ୍ ସର୍ଭିସ୍‌ରେ ୨୪୮ ର‌୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଥିବା ଭଦ୍ରକ ବଙ୍କସାହିର ଝିଅ ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥି ସହିତ ଭଦ୍ରକ ଚାରିଘରିଆର ଝିଅ ତଥା ବରିଷ୍ଠ ଓଏସ୍ ଅଫିସ ଶାରଦା ପଣ୍ଡାଙ୍କ ଝିଅ ମାନନୀୟା କସ୍ତୁରୀ ପଣ୍ଡାଙ୍କୁ (ର‌୍ୟାଙ୍କ ୬୭) ଆଭାଷୀ ଜରିଆରେ ସେହିଠାରୁ ଥାଇ ସମସ୍ତ ଉପଦେଷ୍ଟାଗଣ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଏହି ବୈଠକ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡଃ ବ୍ରଜମୋହନ ମିଶ୍ର, ପ୍ରଫେସର ଡଃ ଗୋଲକ ସାହୁ, ପ୍ରଫେସର ଡଃ ରାଧାରାଣୀ ମହାପାତ୍ର, ରୋଟାରିଆନ ଅଭିଜିତ୍ ନାୟକ, ଯୋଗଗୁରୁ ସୁରେନ୍ଦ୍ର ଦାସ, ଗୀତାରାଣୀ ଆଇଚ, ସମାଜସେବୀ ପ୍ରେମାନନ୍ଦ ମହାନ୍ତି, ପ୍ରଧାନ ଶିକ୍ଷକ ଅକ୍ଷୟ ଜେନା, ସାମାଜିକ କର୍ମୀ ଅନିଲ ଦେ, ଚନ୍ଦ୍ରଗୁପ୍ତ ଲେଙ୍କା, ପୁରୁଷୋତ୍ତମ ଆର୍ଯ୍ୟ, ବିକାଶ ନାୟକ, ଧର୍ମେନ୍ଦ୍ର ବିଶ୍ୱାଳ, ମଧୁସ୍ମିତା ବିଶ୍ୱାଳ, ମମତା ବିଶ୍ୱାଳ, ମିନତୀ ବିଶ୍ୱାଳ, ଅତୁଲ ଦେ, ଗୁରୁଜୀ ଗୌରତମ ମହାରଣା, ନାଟ୍ୟଶ୍ରୀ ନିର୍ମଳ ରାଉତ, ଶିକ୍ଷାବିତ୍ ସଂଗ୍ରାମ କେଶରୀ ମହାନ୍ତି, ଉଦ୍ୟାନ୍‌ବିତ୍ ବିଚିତ୍ରାନନ୍ଦ ମହାନ୍ତି, ସିଭିଲ୍ ସର୍ଭି୍‌ସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସୁଶ୍ରୀ ଶୁଭାଙ୍ଗୀଙ୍କ ପିତାମାତା ଓ ଅନୁଷ୍ଠାନର ଅନେକ ବିଦ୍ୟାର୍ଥୀ କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ ।