Odiapua.com

ବିଦ୍ୟାର୍ଥୀ ବିକାଶ ମଂଚ ତରଫରୁ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ବାଗୁରାଇ ଆଦିବାସୀ କଲୋନୀରେ ବିଦ୍ୟାର୍ଥୀ ବିକାଶ ମଂଚ ତରଫରୁ ପବିତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ୟାର୍ଥୀ ବିକାଶ ମଂଚର ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗତ ୨୩ ତାରିଖ ସକାଳେ ଆଦିବାସୀ ବସ୍ତିରେ ସଂଗଠନର କାର୍ଯ୍ୟକର୍ତାଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ଓ ବିଭିନ୍ନ ସଚେତନତାମୂଳକ ଜନ ଜାଗରଣ କାର୍ଯ୍ୟକ୍ରମ ଦିବସ ବ୍ୟାପୀ କରାଯାଇଥିଲା। ସନ୍ଧ୍ୟାରେ ଉକ୍ତ ଅନୁଷ୍ଠାନ ତରଫରୁ ଗତ ୨୦୧୦ ମସିହାରୁ ଏଯାବତ୍ ପରିଚାଳିତ ବିଦ୍ୟାର୍ଥୀ ସଂସ୍କାର କେନ୍ଦ୍ର ପରିସରରେ ସ୍କୁଲ ଛାତ୍ର/ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପୁରସ୍କାର ବିତରଣ ସଭାରେ ବରିଷ୍ଠ ଉପଦେଷ୍ଟା ପ୍ରଫେସର ଡ. ଗୋଲକ ବିହାରୀ ସାହୁଙ୍କ ଅଧ୍ୟକ୍ଷତାରେ ତଥା ମଂଚର ସଭାପତି ଶ୍ରୀ ବିଶ୍ୱାଳଙ୍କ ସଂଚାଳନରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପିକା ଡ. ରାଧାରାଣୀ ମହାପାତ୍ର, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ଲକ୍ଷ୍ମୀଧର ରାଉତ, ଅନ୍ୟତମ ଅତିଥି ଭାବେ ରୋଟାରିଆନ ଅଭିଜିତ୍ ନାୟକ, ଉଦ୍ୟାନବିତ୍ ବିଚିତ୍ରାନନ୍ଦ ମହାନ୍ତି, ପ୍ରାକ୍ତନ ଶିକ୍ଷକ ଅକ୍ଷୟ କୁମାର ଜେନା, ପ୍ରାକ୍ତନ ଶିକ୍ଷୟିତ୍ରୀ ଗୀତାରାଣୀ ଆଇଚ, ସମାଜସେବୀ ଶ୍ରୀହର୍ଷ ସ୍ୱାଇଁ, ଅଧ୍ୟାପିକା ସ୍ନେହଲତା ଲେଙ୍କା ଓ ପ୍ରମୋଦା ମହାରଣା ଯୋଗ ଦେଇ ନେତାଜୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ପରି ମହାମନୀଷିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜରେ ଜଣେଜଣେ ଆଦର୍ଶ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ସଭାରେ ୨ଜଣ ନୂତନ ଶୁଭେଚ୍ଛୁ ଅବସରପ୍ରାପ୍ତ ଇଂଜିନିୟର ତଥା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶ୍ରମ ପୁରସ୍କାରପ୍ରାପ୍ତ ଇଂ ରବୀନ୍ଦ୍ର କୁମାର ଜେନା ଓ ସମାଜସେବୀ ବସନ୍ତ କୁମାର ମିଶ୍ରଙ୍କୁ ଅନୁଷ୍ଠାନ ତରଫରୁ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା। ଦିବସ ବ୍ୟାପୀ କାର୍ଯ୍ୟ କରିଥିବା ବସ୍ତିର ସହଯୋଗୀ କର୍ମୀଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।