Odiapua.com

‘ବିଡିଏଫ’ପକ୍ଷରୁ ବୃଦ୍ଧାଶ୍ରମ‘ଓଲ୍ଡେନ୍ ପ୍ୟାଲେସ’ଶିଳାନ୍ୟାସ

ବାଲେଶ୍ୱର, ୧୭ା୧ (ଓଡ଼ିଆ ପୁଅ/ଅଭୟ ଦାସ): ‘ବାଲେଶ୍ୱର ଡେଭେଲୋପମେଣ୍ଟ ଫୋରମ’(ବିଡିଏଫ) ପକ୍ଷରୁ ବରିଷ୍ଠ ନାଗରିକ୍ଙ୍କୁ ସେବା ପ୍ରଦାନ ପାଇଁ ପ୍ରସ୍ତାବିତ ଜରା ନିବାସ ‘ଓଲ୍ଡେନ୍ ପ୍ୟାଲେସ’ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ସଲ୍ଟ ରୋଡ଼ର ହର୍ଷପୁରାଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ (ବିଡିଏଫ୍)ର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ବିଶେଷ କରି ଏହି କାର୍ଯ୍ୟ ପାଇଁ ଜମି ଦାନ ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ସହଯୋଗ କରୁଥିବା ଉଚ୍ଚ ବିଚାର ସମ୍ପନ୍ନ ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ନିମନ୍ତେ ପ୍ରେରଣା ହେବ ବୋଲି ସେ କହିଥିଲେ। ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସାମ୍ପ୍ରତିକ ସମାଜରେ ବରିଷ୍ଠ ନାଗରିକମାନେ ସାମ୍ନା କରୁ୍ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ସନ୍ତାନ ସନ୍ତତିଙ୍କୁ ସଂସ୍କାରଯୁକ୍ତ କରାଇବାରେ ପିତାମାତାଙ୍କ ଅବହେଳା ପରିଣତି ବୟସ ପାଇଁ ଦୁଃଖ ଓ ପରିତାପର ବିଷୟ ବୋଲି ସେ କହିଥିଲେ। ଅବକ୍ଷୟଗାମୀ ସମାଜରେ ବସ୍ତୁବାଦୀ ପରିବାରିକ ସମ୍ପର୍କରେ ବୃଦ୍ଧାଶ୍ରମର ଆବଶ୍ୟକତା ଆମ ସଂସ୍କୃତିର ପରିପନ୍ଥୀ ହୋଇଥିଲେ ବି ଏହାକୁ ଗ୍ରହଣ କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ ବୋଲି ସେମାନେ ପ୍ରକାଶ କରିଥିଲେ। ଏଭଳି ସ୍ଥିତିରେ ବିଡିଏଫ୍ର ଉଦ୍ୟମ ବେଶ ସ୍ୱାଗତ ଯୋଗ୍ୟ ବୋଲି ଅତିଥିମାନେ କହିଥିଲେ। ଏହି ଅବସରରେ ଆୟୋଜିତ ଶିଳାନ୍ୟାସ ପୂଜା କର୍ମକାଣ୍ଡରେ ବିଡିଏଫର ସଭାପତି ବିକ୍ରମ ପଣ୍ଡା ଓ ତାଙ୍କ ସହଧର୍ମିଣୀ ମୁଖ୍ୟସଂକଳ୍ପୀ ଭାବେ ଅଂଶଗ୍ରହଣ କରିଥିଲେ।। ‘ଓଲ୍ଡେନ୍ ପ୍ୟାଲେସ’ ପାଇଁ ଜମି ଦାନ କରିଥିବା ସାମାଜିକ କର୍ମୀ ଡକ୍ଟର ଲକ୍ଷ୍ମୀ ରଣା ମଧ୍ୟ ଏଥିରେ ଯୋଗଦେଇଥିଲେ। ବିଡିଏଫର ସମ୍ପାଦକ ସାହିରୁଲ୍ ହକ୍ ପ୍ରକଳ୍ପର ଆଭିମୁଖ୍ୟ ଓ କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେଇଥିଲେ। ଉତ୍ତର ଓଡିଶାର ସର୍ବବୃହତ ବୃଦ୍ଧାଶ୍ରମ ନିର୍ମାଣ ପାଇଁ ସେ ସବୁମହଲରୁ ସହଯୋଗ କାମନା କରିଥିଲେ। ସାଗର ନାୟକ, ଚିନ୍ମୟ ବିଶ୍ୱାଳ, ସୁବାସ ଦାସ, ସୌମେନ୍ଦ୍ର ଦାସ, ତୁଷାରକାନ୍ତି ତପସୀ, ଅଶୋକ ଆଢ଼୍ୟ, ସାଜନ ଅଗ୍ରୱାଲ, ପଣ୍ଟୁପୋଦାର, କିଷାନ ସାହା, ରାଜେନ୍ଦ୍ର ରାଉତ, ଆଲଫା ଦାସ, ବୀରେଶ୍ୱର ଦାସ ପ୍ରମୁଖ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।