ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱର୍ଗତ ବିଜୟ କୁମାର ପଣ୍ଡାଙ୍କ ଏକାଦଶାହକ୍ରିୟା ଅବସରରେ ଭଦ୍ରକସ୍ଥିତ ଭାଗବତ କଲ୍ୟାଣ ମଣ୍ଡପରେ ଏକ ଭାବପୂର୍ଣ୍ଣ ସ୍ମୃତିଚାରଣ ସଭା ଓ ପଙ୍କ୍ତିଭୋଜନ ଅନୁଷ୍ଠିତ ହୋଇଯାଇଛି। ଏହି ସଭାକୁ ପ୍ରଫେସର ଅଟଳ ବିହାରୀ ନାୟକ ପରିଚାଳନା କରିଥିଲେ। ଏହି ଅବସରରେ ସ୍ୱର୍ଗତ ବିଜୟ କୁମାର ପଣ୍ଡାଙ୍କ ପବିତ୍ର ସ୍ମୃତିରେ ୧୦୦ଟି ଗଛ ରୋପଣ ନିମନ୍ତେ ଚାରା ବଂଟନ କରାଯାଇଥିଲା। ସ୍ୱର୍ଗତ ବିଜୟ କୁମାର ପଣ୍ଡା ଦୀର୍ଘ ୨୦ ବର୍ଷ ଧରି ମୁଣ୍ଡିମରା ସ୍କୁଲ ଓ ବିଷ୍ଣୁପୁର ୟୁଜିଏମ୍ଇ ସ୍କୁଲରେ ଶିକ୍ଷକତା କରି ଅନେକ ଛାତ୍ରଛାତ୍ରୀଙ୍କ ଜୀବନ ଗଢ଼ିବାରେ ନିଜର ଅବଦାନ ରଖିଥିଲେ। ତାଙ୍କ ଶିକ୍ଷକ ଜୀବନ ଓ ସମାଜ ପ୍ରତି ଅବଦାନକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଉକ୍ତ ଦୁଇଟି ଶିକ୍ଷାନୁଷ୍ଠାନକୁ ୨୦ଟି ଚାରା ପ୍ରଦାନ କରାଯାଇଥିଲା। ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଂଟିଆଙ୍କ ଦ୍ୱାରା ଏହି ଚାରାଗୁଡ଼ିକ ସ୍କୁଲ କର୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିଲା। ଏହାବ୍ୟତୀତ ସ୍ୱର୍ଗତ ବିଜୟ କୁମାର ପଣ୍ଡାଙ୍କ ସ୍ମୃତିରେ ଅନ୍ୟ ୮୦ଟି ଚାରା ଶିକ୍ଷକ, ବନ୍ଧୁ-ବାନ୍ଧବ ଓ ପ୍ରିୟଜନମାନଙ୍କୁ ବଂଟନ କରାଯାଇଥିଲା। ଅବସରପ୍ରାପ୍ତ ବ୍ୟକ୍ତିଗତ ସହାୟକ ପ୍ରଦୀପ୍ତ ବାଗ, କଞ୍ଜ୍ୟୁମର କୋର୍ଟର ସଭାପତି ଶିବପ୍ରସାଦ ମହାନ୍ତି, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ପଦ୍ମନ ରାୟ ଏବଂ ଅବସରପ୍ରାପ୍ତ ଶିକ୍ଷକ ଦିଲ୍ଲୀପ କୁମାର ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଚାରା ପ୍ରଦାନ କରିଥିଲେ। ସ୍ମୃତିଚାରଣ ସଭାରେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଂଟିଆ, ଭଦ୍ରକ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମଲ୍ଲିକ ଏବଂ ଉପ ଆରକ୍ଷୀ ଅଧିକାରୀ, ଗୁଇନ୍ଧା ବିଭାଗ ଅଂଶୁମାନ ଦ୍ୱିବେଦୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷକ, ବନ୍ଧୁବର୍ଗ ଓ ଶୁଭେଚ୍ଛୁ ଯୋଗଦେଇ ସ୍ୱର୍ଗତ ପଣ୍ଡାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସଭାରେ ବିଭିନ୍ନ ବକ୍ତା ସ୍ୱର୍ଗତ ବିଜୟ କୁମାର ପଣ୍ଡାଙ୍କ ସରଳତା, ସ୍ନେହ, ମାନବିକତା, ଶିକ୍ଷା ପ୍ରତି ନିଷ୍ଠା ଓ ସମାଜ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ତାଙ୍କ ସହ ଜଡ଼ିତ ବିଭିନ୍ନ ସ୍ମୃତି ଓ ଅନୁଭୂତିକୁ ବକ୍ତାମାନେ ଭାବପୂର୍ଣ୍ଣ ଭାବେ ବ୍ୟକ୍ତ କରିଥିଲେ। ଏହି ଅବସରରେ ପରିବାର ପକ୍ଷରୁ କୁହାଯାଇଥିଲା ଯେ, “ମଣିଷ ଚାଲିଯାଏ, କିନ୍ତୁ ତାଙ୍କର ସ୍ମୃତି ଓ ଭଲ କାମ ସବୁବେଳେ ବଂଚି ରହେ। ଆମ ପାଇଁ ଏହି ୧୦୦ଟି ଗଛ କେବଳ ଗଛ ନୁହେଁ, ଏଗୁଡ଼ିକ ହେଉଛି ତାଙ୍କ ପ୍ରତି ଆମର ୧୦୦ଟି ଜୀବନ୍ତ ଶ୍ରଦ୍ଧାଞ୍ଜଳି।” ଗଛଗୁଡ଼ିକ ଭବିଷ୍ୟତରେ ଛାୟା, ଫଳ, ଫୁଲ ଓ ଅମ୍ଳଜାନ ପ୍ରଦାନ କରି ଅନେକଙ୍କ ଉପକାରରେ ଆସିବ ବୋଲି ପରିବାର ପକ୍ଷରୁ ଆଶା ପ୍ରକାଶ କରାଯାଇଥିଲା। ଶେଷରେ ସ୍ମୃତିଚାରଣ ସଭାରେ ଯୋଗଦେଇ ସ୍ୱର୍ଗତ ବିଜୟ କୁମାର ପଣ୍ଡାଙ୍କ ପ୍ରତି ନିଜର ସ୍ମୃତି ଓ ଅନୁଭୂତି ବ୍ୟକ୍ତ କରିଥିବା ସମସ୍ତ ସମ୍ମାନନୀୟ ବକ୍ତା, ଶିକ୍ଷକ, ବନ୍ଧୁ-ବାନ୍ଧବ, ପ୍ରିୟଜନ ଓ ଅତିଥିମାନଙ୍କୁ ପରିବାର ପକ୍ଷରୁ ହୃଦୟରୁ କୃତଜ୍ଞତା ଜଣାଯାଇଥିଲା। “ଗଛ ବଂଚିଲେ ସ୍ମୃତି ବଂଚିବ, ସ୍ମୃତି ବଂଚିଲେ ମଣିଷ ବଂଚି ରହିବ।” ସ୍ୱର୍ଗତ ବିଜୟ କୁମାର ପଣ୍ଡାଙ୍କ ପବିତ୍ର ଆତ୍ମାର ସଦ୍ଗତି କାମନା କରି ସଭାର ସମାପ୍ତି ହୋଇଥିଲା।