Odiapua.com

ବିଜୟଙ୍କ ପରିବାର ପ୍ରତିପୋଷଣରେ ଦାଉ ସାଜିଛି ରୋଗ

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତିନି ବର୍ଷ ହେଲା କିଡିନ୍ ରୋଗରେ ଆକ୍ରାନ୍ତ ହୋଇ ଘରେ ବସିରହିଛନ୍ତି ଭଦ୍ରକ ଜିଲା ସୁନ୍ଦରପୁର ପଂଚାୟତ କୁଳେଇପଦା ଗାଁର ବିଜୟ ଜେନା। ବାଟ ଚାଲିବାକୁ ବଳ ପାଉନି । ଆଖିକୁ ଆଉ ଭଲ ଦିଶୁନି । ଭଦ୍ରକ ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ ଡାକ୍ତର ଖାନା ଯାଇ ଯାଇ ନୟାନ୍ତ ହେଲେଣି ବିଜୟ । ଘରେ ଯାହାକିଛି ସଂଚୟ ଅର୍ଥ ଥିଲା ତାହା ସବୁ ରୋଗ ଚିକିତ୍ସାରେ ସରିଗଲାଣି। ପରିବାର ପ୍ରତିପୋଷଣ କିପରି କରିବେ ଘରେ ୫ପ୍ରାଣି କୁଟୁମ୍ବଙ୍କ ମୁହଁରେ ଆହର ଦେବା ପାଇଁ ସମ୍ବଳ ନଥିବା କହିଛନ୍ତି ବିଜୟ। କାନ୍ଧରେ ୫ ଜଣ ସଦସ୍ୟଙ୍କ ବୋଝ । ଏମିତି ଅବସ୍ଥାରେ ଲୋକେ ଆଉ କାମକୁ ଡାକୁ ନାହାଁନ୍ତି । ବାପା ଅମଳରୁ ଥିବା ଆଜବେଷ୍ଟସ ଛାଉଣି ଘରେ ଖରା ବର୍ଷାରେ ରହିବା କଷ୍ଟକର ହୋଇପଡିଛି । ସରକାରୀ ସାହାଯ୍ୟ କହିଲେ ସରକାରଙ୍କ ତରଫରୁ ଅନ୍ତ୍ୟୋଦୟ ୩୫ କିଲୋ ଚାଉଳ ମିଳୁଛି । ବିଜୟଙ୍କୁ ବୟସ ୪୦ ପାଖାପାଖି । ପରିବାର କହିଲେ ପତ୍ନୀ କବିତା, ବଡ ଝିଅ ଲିଜାରାଣୀ ,ସାନଝିଅ ଲିସାରାଣୀ ଓ ୪ ବର୍ଷର ପୁଅ ନାଗେଶ କୁମାର। ଘରର ସଉଦା ପତ୍ର ଠାରୁ ଆରମ୍ଭ କରି ପିଲାଙ୍କୁ ପାଠ ପଢାଇବା ଖର୍ଚ୍ଚ ତୁଲାଇବାକୁ ସେ ଅସମର୍ଥ ହୋଇ ପଡ଼ିଥିବା କହିଛନ୍ତି । ସ୍ତ୍ରୀ କବିତା ପରଘରେ ମୂଲ ଲାଗି ଯାହାକିଛି ଆଣୁଛନ୍ତି ତେଲଲୁଣ ସଂସାରକୁ ନିଅଂଟ।ପରିବାର ଚଳାଉ ଥିବା ବିଜୟ ଆଜି ରୋଗରେ ଆକ୍ରାନ୍ତ ଥିବାରୁ ଯାଇ ଆସି ପାରୁନଥିବା କହିଛନ୍ତି କବିତା। ପିଲାମାନେ କ’ଣ ଖାଉଛନ୍ତି କେମିତି ରହୁଛନ୍ତି ତାହା ସେ ଜାଣି ପାରୁ ନାହାଁନ୍ତି । ବିଜୟଙ୍କ ସ୍ତ୍ରୀ ମଧ୍ୟ ସ୍ୱାମୀଙ୍କ ଏପରି ଅବସ୍ଥାରେ ଭାଙ୍ଗି ପଡିଛନ୍ତି । ତାଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ସେ ଧାର କରଜ କରି ସ୍ୱାମୀଙ୍କ ଚିକିତ୍ସା ସହ ପରିବାର ଚଳାଇ ଆସୁଛନ୍ତି । ପରିବାର ଚାଲିବା ପାଇଁ ୧୫ ବର୍ଷର ଝିଅକୁ ଗତବର୍ଷ ଦାଦନ ସଜେଇ ବିଦେଶ ପଠାଇଥିଲା । ମ୍ୟାଟ୍ରିକ ପରୀକ୍ଷାରେ ଅସଫଳ ହୋଇ ଘରେ ବସିଛି । ଆଉ ଦାଦନ ଖଟିବାକୁ ଇଚ୍ଛା କରୁନି ଲୀଜାରାଣୀ । ପୁଣି ଥରେ ମାଟ୍ରିକ ପରୀକ୍ଷା ଦେବାକୁ ମନ ବଳାଇଛି । ଘରେ ଗ୍ୟାସରେ ରୋଷେଇ କରିବା ପରିବାର ପାଇଁ ସ୍ୱପ୍ନ ପାଲଟିଛି । ଠିକ ସମୟରେ ବିଦ୍ୟୁତ ବିଲ୍ ପୈଠ ହୋଇ ପାରୁ ନଥିବାରୁ ପ୍ରତି ମୂହୁର୍ତରେ ବିଦ୍ୟୁତ କଟି ଯିବାର ଭୟ ମଧ୍ୟ ରହିଛି । ଏମିତି ଅବସ୍ଥାରେ ବିଜୟଙ୍କ ପରିବାରକୁ ଆର୍ôଥକ ସହାୟତାର ଆବଶ୍ୟକ ରହିଛି । ଜିଲ୍ଲା ପ୍ରଶାସନ ତଥା ବଦାନ୍ୟ ବ୍ୟକ୍ତି ଏହି ପରିବାରକୁ ସହାୟତାର ହାତ ବଢାନ୍ତେ, ତେବେ ବିଜୟଙ୍କ ପରିବାର ହସି ଉଠନ୍ତା ବୋଲି ପାଖ ପଡୋଶୀ କହିଛନ୍ତି।