Odiapua.com

ବିଜ୍ଞାନ ବାୟୋଲୋଜି ବିଷୟରେ ଇନଷ୍ଟାଂଟ ପରୀକ୍ଷା ଦେବାପାଇଁ ଦାବି

ନୟାଗଡ଼, ୧୯ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଚଳିତ ବର୍ଷ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ବାର୍ଷିକ ବିଜ୍ଞାନ ପରୀକ୍ଷା-୨୦୨୦ ପ୍ରକାଶ ପାଇଛି। ଏଥିରେ ସାରା ରାଜ୍ୟରେ ନୟାଗଡ଼ ଜିଲା ପାଶ୍ ହାରରେ ଉଚ୍ଚପ୍ରଶଂସିତ ହୋଇଥିଲାବେଳେ ବାୟୋଲୋଜି ବିଷୟରେ ପରୀକ୍ଷା ନହୋଇ ଛାତ୍ରଛାତ୍ରୀମାନଙ୍କୁ ଯେଉଁ ମାର୍କ ମିଳିଛି ସେଥିରେ ବହୁ ଛାତ୍ରଛାତ୍ରୀ ଅଶାନ୍ତି ଥିବା ଅଭିଯୋଗ କରିଛନ୍ତି। ଯାହାକି ଚଳିତ ଇନଷ୍ଟାଂଟ ପରୀକ୍ଷାରେ ବାୟୋଲୋଜି ବିଷୟରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ଦେବାପାଇଁ ସୁଯୋଗ ଦେବା ପାଇଁ ସେମାନେ ଦାବି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତିଯେ ବାୟୋଲୋଜି ବିଷୟରେ ପରୀକ୍ଷା ଦେବାପାଇଁ ସେମାନେ ପ୍ରସ୍ତୁତ ଥିଲାବେଳେ କୋଭିଡ୍‌-୧୯ କଟକଣା ଯୋଗୁଁ ବାୟୋଲୋଜି ବିଷୟରେ ପରୀକ୍ଷା ହୋଇପାରିନଥିଲା। ଏପରିକି ପରୀକ୍ଷା ହେବା ନହେବାକୁ ନେଇ ଛାତ୍ରଛାତ୍ରୀମାନେ ଅନିଶ୍ଚିତତା ଭିତରେ ଗତି କରୁଥିବାବେଳେ ବାୟୋଲୋଜି ବିଷୟରେ କିନ୍ତୁ ପଢାପଢି ଜାରି ରଖିଥିଲେ। ହେଲେ ପରବର୍ତ୍ତୀ ସମୟରେ ବାୟୋଲୋଜି ବିଷୟରେ ପରୀକ୍ଷା ବାତିଲ କରାଯାଇଥିଲା। ନୟାଗଡ଼ ଜିଲାରେ ବିଜ୍ଞାନ ପରୀକ୍ଷା ଫଳ ସନ୍ତୋଷଜନକ ରହିଥିଲାବେଳେ ବାୟୋଲୋଜି ବିଷୟର ମାର୍କକୁ ନେଇ ଛାତ୍ରଛାତ୍ରୀମାନେ ଅଶାନ୍ତି ମନଶ୍ଚାପ ଭିତରେ ରହିଥିବା ଦେଖିବାକୁ ମିଳିଛି। ସେମାନଙ୍କୁ ବାୟୋଲୋଜି ବିଷୟରେ ଆଶାଜନକ ମାର୍କ ମିଳିନଥିବାରୁ ଡିଭିଜନରେ ପ୍ରଭାବ ପକାଇଥିବା ନେଇ ବହୁ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକଟ କରିଛନ୍ତି। ଯେଉଁମାନେ ପାଶ୍‌ମାର୍କ ରଖି ଗୋଟିଏ ବିଷୟରେ ଫେଲ ହୋଇଛନ୍ତି ସେମାନେ ଇନଷ୍ଟାଂଟ ପରୀକ୍ଷା ଦେଇ ଗୋଟିଏ ମାସ ଭିତରେ ଫଳ ପାଇବାର ନିୟମ ରହିଥିବାବେଳେ ଯେଉଁମାନେ ବିଜ୍ଞାନ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମଧ୍ୟ ବାୟୋଲୋଜି ପରୀକ୍ଷାର ମାର୍କରେ ଅସନ୍ତୋଷ ରହିଛନ୍ତି ସେମାନଙ୍କୁ ମଧ୍ୟ ଚଳିତ ଇନଷ୍ଟାଂଟ ପରୀକ୍ଷାରେ ଆଉଥରେ ବାୟୋଲୋଜି ପରୀକ୍ଷା ଦେବାପାଇଁ ସୁଯୋଗ ମିଳୁବୋଲି ସେମାନେ ଦାବି କରିଛନ୍ତି। ଛାତ୍ରଛାତ୍ରୀମାନଙ୍କର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ବିଭାଗୀୟ ସଚିବ ଓ ବିଭାଗୀୟ ପରୀକ୍ଷା ନିୟନ୍ତ୍ରକ ଏଥିପ୍ରତି ଦୃଷ୍ଟି ଦେବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରୁ ଦାବି ହେଉଛି। ଉଲ୍ଲେଖଯୋଗ୍ୟ ସ୍ଥଗିତ ନିର୍ଦ୍ଦିଷ୍ଟ ବିଷୟର ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଯେଉଁମାନେ ସେହି ନିର୍ଦ୍ଦିଷ୍ଟ ବିଷୟରେ ପରୀକ୍ଷା ଦେବାପାଇଁ ଚାହିଁବେ ସେମାନେ ପୁନର୍ବାର ପରୀକ୍ଷା ଦେଇପାରିବେ ବୋଲି ସରକାର ପୂର୍ବରୁ ଘୋଷଣା କରିଥିଲେ। ରାଜ୍ୟରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ହାର ୭୦.୭୧% ହୋଇଥିବାବେଳେ ନୟାଗଡ଼ରେ ୮୬.୫୧% ହୋଇଥିଲା।