Odiapua.com

‘ବିଜ୍ଞାନ ଐଶ୍ୱର୍ଯ୍ୟର ସୂତ୍ର, ସାହିତ୍ୟ ପ୍ରଶାନ୍ତିର ଚନ୍ଦନ’, ଭଦ୍ରକ ପୁସ୍ତକମେଳାର ପଞ୍ଚମ ସନ୍ଧ୍ୟା

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଭ୍ୟତାର ପ୍ରଥମ ସୋପାନରୁ ମଣିଷ କେବଳ ପ୍ରକୃତିର ସଂଗୀତରେ ଆତ୍ମହରା ହୋଇନି, ବିଜ୍ଞାନ ସହ ସେ ଯୋଡ଼ି ହୋଇଛି ନିବିଡ଼ ଭାବରେ। ଏହି କ୍ରମରେ ବିଜ୍ଞାନ ଆଜି ପାଲଟିଯାଇଛି ଆମ ଜୀବନର ଅଙ୍ଗ ଓ ଅଙ୍ଗୀକାର। ଏହାକୁ ଅସ୍ୱୀକାର କରିବା ଅର୍ଥ ଜୀବନ ପ୍ରତି ଆତ୍ମପ୍ରବଞ୍ଚନା। ଅଧୁନା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଜୟଯାତ୍ରାରେ ମଣିଷ ଆତ୍ମହରା। ବିଜ୍ଞାନ ଯୋଗୁଁ ଅକଳ୍ପନୀୟ ସୁବିଧା ଉପଭୋଗ କରୁଥିଲେ ହେଁ ମଣିଷ ହୃଦୟରେ ଚନ୍ଦନର ପ୍ରଶାନ୍ତି ଓ ପ୍ରଲେପ ଦିଏ ସାହିତ୍ୟ। ଯେଉଁଠି ସକଳ ଆବିଷ୍କାର ଦୈବଘାତରେ ଆଣ୍ଠେଇ ପଡ଼େ, ସେଇଠି ସାହିତ୍ୟ ଚିରାୟତ ଆନନ୍ଦରେ ଜୀବନକୁ କୋଳେଇ ନିଏ ବୋଲି ମଙ୍ଗଳବାର ସନସାଇନ୍ ମିଶନ ସ୍କୁଲ୍ ନିକଟରେ ଚାଲିଥିବା ୨୨ତମ ଭଦ୍ରକ ପୁସ୍ତକମେଳାର ପଞ୍ଚମ ସନ୍ଧ୍ୟାରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି। ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଦୁର୍ଯ୍ୟୋଧନ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ‘କବିଶେଖର ଚିନ୍ତାମଣି ମହାନ୍ତି ମଞ୍ଚ’ରେ ମୁଖ୍ୟ ଅତିଥି ଭାବେ ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଯୋଗଦେଇ ବିଜ୍ଞାନ ଜୀବନକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳିତ କରିବାର ସୁଯୋଗ ଦିଏ ସତ, ସାହିତ୍ୟ ସତ୍ୟ-ଶିବ-ସୁନ୍ଦରର ବାର୍ତ୍ତା ପ୍ରଦାନ କରେ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ଡକ୍ଟର କମଳାକାନ୍ତ ଜେନା ଯୋଗଦେଇ ବୈଜ୍ଞାନିକ ଉଦ୍ଭାବନକୁ ଅସ୍ୱୀକାର କରି ଜୀବନର ସାରବତ୍ତା କୁତ୍ରାପି ଅନୁଭବ କରିହୁଏନା ବୋଲି ମତବ୍ୟକ୍ତ କରିଥିଲେ। ବରେଣ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପୋଲିସ୍ ଅଧୀକ୍ଷକ ବିକାଶ ଦାଶ ଯୋଗଦେଇ ଜୀବନ ପାଇଁ କଳା ଓ ସାହିତ୍ୟର ଆବଶ୍ୟକତା ଉପରେ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ।

ସମ୍ମାନିତ ବକ୍ତା ଭାବେ ଶିକ୍ଷାବିତ୍ ଗଗନବିହାରୀ ରାଉତ ଓ ଅଧ୍ୟାପକ ନୀହାର ରଞ୍ଜନ କର ଯୋଗଦେଇ ଜୀବନ ପାଇଁ ସାହିତ୍ୟ ଓ ବିଜ୍ଞାନ ଏ ଉଭୟର ଆବଶ୍ୟକତା ଅଛି ବୋଲି କହିଥିଲେ। ପୁସ୍ତକମେଳା କମିଟି ସଦସ୍ୟ ଗୌରାଙ୍ଗ ବାରିକ୍ ଅତିଥିମାନଙ୍କୁ ମଞ୍ଚଆହ୍ୱାନ କରିଥିବା ବେଳେ ନାଟ୍ୟଶ୍ରୀ ନିର୍ମଳ ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶିକ୍ଷକ କବି ଗୌତମ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। ଭଦ୍ରକ ପୁସ୍ତକମେଳାର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ଅପୂର୍ବରଞ୍ଜନ ରାୟ, ସମ୍ପାଦକ ସ୍ୱର୍ଗତ ଅକ୍ଷୟ ବାରିକ, ଉପଦେଷ୍ଟା ଦିବଗଂତ ବିଷ୍ଣୁ ସେଠୀ ଓ ଚିତ୍ରଶିଳ୍ପୀ ଅଶୋକ ମହାନ୍ତିଙ୍କ ବିୟୋଗରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। କୋଷାଧ୍ୟକ୍ଷ ବୈଲୋଚନ ବେହୁରିଆ, ସାଂସ୍କୃତିକ ସମ୍ପାଦକ ବସନ୍ତ କୁମାର ମହାନ୍ତି, ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ, ଚର୍ଚ୍ଚିକା ମହାପାତ୍ର, କବି ରମାକାନ୍ତ ନାୟକ, ପୁସ୍ତକମେଳା କମିଟି ସଭାପତି ଅଜୟ ନାୟକ, ସମ୍ପାଦକ ରୂପକବିହାରୀ ରାୟ, ଅଧ୍ୟାପକ ବିଶ୍ୱରଞ୍ଜନ ଦାସ, ଡକ୍ଟର ଅଭୟ କୁମାର ଦାସ, ଡକ୍ଟର ମନୀନ୍ଦ୍ର ମହାନ୍ତି, ଅଧିବକ୍ତା ଗଦାଧର ବଳ, କବି ବିଚିତ୍ରାନନ୍ଦ ଜେନା, ଅଧ୍ୟାପକ ଦତ୍ତାତ୍ରେୟ ଦାଶ, ପ୍ରଦୀପ୍ତ କୁମାର ମହାନ୍ତି, ବିଜୁ ସେଠୀ, ପ୍ରାଧ୍ୟାପକ ରାଇମୋହନ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସଦସ୍ୟ ଜୟଜଗନ୍ନାଥ ମଲ୍ଲିକ୍ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସାଂସ୍କୃତିକ ତିହିଡ଼ି ସଂଗୀତ ମହାବିଦ୍ୟାଳୟ ପକ୍ଷରୁ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଆସନ୍ତାକାଲି ମେଳାର ଷଷ୍ଠସନ୍ଧ୍ୟାରେ ‘ଭାରତୀୟ ସଂସ୍କୃତିର ମହନୀୟତା’ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।