Odiapua.com

ବିଜେଡ଼ିର ଭ୍ରଷ୍ଟାଚାରୀ ଶାସନ ବିରୋଧରେ ବିଜେପିର ପ୍ରତିବାଦ

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ଠାରୁ ପଞ୍ଚାୟତ ପର୍ଯ୍ୟନ୍ତ ବିଜେଡ଼ି ଦଳର ନେତାଙ୍କ ଠାରୁ କର୍ମୀ ପର୍ଯ୍ୟନ୍ତ ସମସ୍ତେ ଦୁର୍ନୀତି ଏବଂ ଭ୍ରଷ୍ଟାଚାରରେ ବୁଡ଼ି ରହିଛନ୍ତି । ଭ୍ରଷ୍ଟାଚାରର ମାତ୍ରା ଦିନକୁ ଦିନ ବଢ଼ିବଢ଼ି ଚାଲିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ବିଜେପି ଦଳ ପକ୍ଷରୁ ଅଗଷ୍ଟ ୯ କ୍ରାନ୍ତି ଦିବସ ଠାରୁ ବିଭିନ୍ନ ସ୍ଥାନରେ ଏହାର ପ୍ରତିବାଦ ସ୍ୱରୂପ ବିକ୍ଷୋଭ ଏବଂ ପ୍ରତିବାଦ ସଭା କରାଯାଉଛି । ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆଙ୍କ ନେତୃତ୍ୱରେ ଜିଲ୍ଲାପରିଷଦ ପ୍ରାର୍ଥି ହୋଇଥିବା ଜୟନ୍ତ ମହାପାତ୍ର, ଚରମ୍ପା ପଞ୍ଚାୟତ ସଭାପତି ଦୈତାରୀ ମଲ୍ଲିକ, ସସ୍ମିତା ନାୟକ, କୈଳାସ ମହାନ୍ତି, ଭାଗିରଥି ମହାନ୍ତି, ନିରଞ୍ଜନ ଦଳେଇ, ଚନ୍ଦନ ନାୟକ, ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆ, ଦୀନବନ୍ଧୁ ନାୟକ ପ୍ରମୁଖ ଆଜି ଚରମ୍ପା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିବା ସହ ପ୍ରତିବାଦ କରିଥିଲେ । ବିଜେଡ଼ିର ପରିବାରବାଦ୍ ଶାସନ, ପରିବାର ତୁଷ୍ଟିକରଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନରେ ଦୁର୍ନୀତି, ଭତ୍ତା, ରାସନ କାର୍ଡ଼ରେ ଦୁର୍ନୀତି, ପାଇଖାନା ଟଙ୍କା ହଡ଼ପ, ସରକାରୀ କାମରେ ପିସି କାରବାର ଭଳି ସରକାର ବିରୋଧୀ ବକ୍ତବ୍ୟ ଦେଇ ଶ୍ରୀମତୀ ଖୁଣ୍ଟିଆ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ ।