ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗତ ସାଧାରଣ ନିର୍ବାଚନରେ ଭଦ୍ରକରୁ ସାଂସଦ ପ୍ରାର୍ଥିନୀ ହୋଇଥିବା ତୃଣମୂଳ କଂଗ୍ରେସର ତିଳୋତ୍ତମା ଜେନା ବିଜୁ ଜନତାଦଳରେ ସାମଲି ହୋଇଛନ୍ତି । ଦଳରେ ତାଙ୍କ ମିଶ୍ରଣକୁ ତୃଣମୂଳ ପକ୍ଷରୁ ବିରୋଧ କରାଯାଇଥିବା ବେଳେ ଦଳ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଆଜି ଆହୂତ ସାମ୍ବାଦିକ ସମ୍ମିଳନୀରେ ତୃଣମୂଳ କଂଗ୍ରେସର ରାଜ୍ୟ ସହ ସଂଯୋଜକ ତଥା ଭଣ୍ଡାରିପୋଖରୀ ବିଧାନସଭାର ଦଳୀୟ ପ୍ରାର୍ଥୀ ଶିବନାରାୟଣ ବିଶ୍ୱାଳ ପ୍ରକାଶ କରିଛନ୍ତି । ନିର୍ବାଚନରେ ଏହି ଦଳ ୩ ଗୋଟି ବିଧାନସଭା କ୍ଷେତ୍ରରୁ ଦଳୀୟ ପ୍ରାର୍ଥୀ ଦେଇଥିବା ବେଳେ ବନ୍ତ ବ୍ଲକରୁ ସାସଂଦ ପ୍ରାର୍ଥୀ ତିଳୋତ୍ତମାଙ୍କୁ ଦିଆଯାଇଥିଲା । ଭୋଟ ରାଜନୀତିରେ ଆଶାତୀତ ଫଳ ଏହି ଦଳକୁ ମିଳି ନଥିବା ବେଳେ ପ୍ରଚାର ପ୍ରସାରରେ ଦଳ ତାର ଉପସ୍ଥିତ ଜାହିର କରିଥିଲା । ତେଣୁ ପ୍ରାର୍ଥୀ ଜଣଙ୍କ ଦଳପ୍ରତି ଅର୍ନ୍ତଘାତୀ କାର୍ଯ୍ୟ କରିଛନ୍ତି ବୋଲି ଆଜି ସମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ କୁହାଯାଇଛି । ଅପରପକ୍ଷେ ବିଜେଡ଼ି ଗୋଟିଏ ବୁଡ଼ି ଯାଉଥିବା ଡ଼ଙ୍ଗା । ଜାତୀୟଦଳ ଛାଡ଼ି ଆଞ୍ଚଳିକ ଦଳରେ ଯୋଗଦେବା ବୁଦ୍ଧିମାନର କାର୍ଯ୍ୟ ନୁହେଁ ବୋଲି ସେ କଟାକ୍ଷ କରିଥିଲେ । ଦଳରୁ ଜଣେ ପ୍ରାର୍ଥୀ ଯାଇଥିଲେ ବି ଆଗାମୀ ଦିନରେ ତୃଣମୂଳ ସ୍ତରରେ ଅନେକ ଏହି ଦଳରେ ଯୋଗଦେବେ ବୋଲି ଜଣାଯାଇଛି । ଆଜିର ଏହି ସମ୍ମିଳନୀରେ ଶରତ କୁମାର ଜେନା, ମନୋରଞ୍ଜନ ଦାସ, ରତ୍ନାକର ଶଙ୍ଖୁଆ, ଏକାଦଶୀ ବେହେରା, ରତିକାନ୍ତ ନାୟକ, ଶ୍ରୀକାନ୍ତ ଜେନା, ମଳୟ ଜେନା, ମୁନା ଶଙ୍ଖୁଆ ପ୍ରମୁଖ ଉପସ୍ଥିତ ଥିଲେ ।