Odiapua.com

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଆଖୁଆପଦା, କଣ୍ଟିଘାଇ, ବାଲିପୋଖରୀ ଏସକେପ ପରିଦର୍ଶନ, ବନ୍ୟାର ସ୍ଥାୟୀ ପ୍ରତିକାର ନେଇ ଦୁଇଘାଇ ମରାମତି ଓ ବ୍ୟାରେଜ ନିର୍ମାଣ ଦାବି ଦୋହରାଇଲେ

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ସମୀର ମହାନ୍ତି ଭଣ୍ଡାରିପୋଖରୀ ବ୍ଲକର ଜଗନ୍ନାଥପ୍ରସାଦ ଠାରେ ଥିବା ବୈତରଣୀ ନଦୀ ଆଖୁଆପଦା ଆନିକଟ ଗସ୍ତ ଆଜି ଅପରାହ୍ନରେ କରି ବ୍ୟାରେଜ ନିର୍ମାଣ ଦାବି କରିଛନ୍ତି । ଗତ ସେପ୍ଟେମ୍ବର ମାସରେ ଦଳର ନେତା ତଥା ବିଧାନସଭା ଉପନେତା ବିଷ୍ଣୁ ସେଠୀ ଓ ବଦ୍ରୀନାରାୟଣ ଧଳଙ୍କ ଦ୍ୱାରା ବ୍ୟାରେଜ ନିର୍ମାଣ ପାଇଁ ଆରମ୍ଭ ହୋଇଥିବା ଦସ୍ତଖତ ସଂଗ୍ରହ ଅଭିଯାନରେ ଶ୍ରୀ ମହାନ୍ତି ସାମିଲ ହୋଇଥିଲେ । ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ଏଠାରେ ବ୍ୟାରେଜ ନିର୍ମାଣ କରି ବ୍ୟାପକ ଜଳସେଚନ ସୁବିଧା ଓ ବନ୍ୟା ନିୟନ୍ତ୍ରଣ ସୁଯୋଗକୁ କାହିଁକି ଉପେକ୍ଷା କରାଯାଉଛି ବୋଲି ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଖୁଆପଦାରେ ବ୍ୟାରେଜ ନିର୍ମାଣ ପାଇଁ ଦଳ ବିଧାନସଭା ଭିତରେ ଓ ବାହାରେ ଲଢେଇ କରିବ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲେ । ଏହାପରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଧଳଙ୍କ ନେତୃତ୍ୱରେ ଅନୁଷ୍ଠିତ ବାଇକ ର‌୍ୟାଲିରେ ବାଲିପୋଖରୀ ଏସକେପ ଓ କଣ୍ଟିଘାଇ ପରିଦର୍ଶନ କରିଥିଲେ । ଏହି ଅଞ୍ଚଳର ଲକ୍ଷ ଲକ୍ଷ ବନ୍ୟା ପ୍ରପୀଡିତ ଲୋକଙ୍କୁ ସରକାର କେବେ ବନ୍ୟା ସୁରକ୍ଷା ଯୋଗାଇବେ ବୋଲି ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସାଢେଚାରି କୋଟି ଓଡିଆଙ୍କ ମଧ୍ୟରେ ଏହି ଅଞ୍ଚଳର ବନ୍ୟା ପ୍ରପୀଡିତଙ୍କ ସ୍ଥାନ କେଉଁଠି ବୋଲି କଟାକ୍ଷ କରିଥିଲେ ଶ୍ରୀ ମହାନ୍ତି ।

ସେଠାରୁ ମଞ୍ଜୁରୀ ବଳଦେବଜୀଉ ମନ୍ଦିର ପରିଦର୍ଶନ କରିବା ସହ ନାରାୟଣପୁର ସେବା ସମବାୟ ସମିତିରେ ଧାନମଣ୍ଡି ଓ ଧାନକ୍ରୟ ଅନୁଧ୍ୟାନ କରି ଗନ୍ଧର୍ବବିନ୍ଧା ଆଦିବାସୀ ବସ୍ତିକୁ ଯାଇ ଉନ୍ନୟନମୂଳକ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ସରକାରଙ୍କ ଉନ୍ନୟନମୂଳକ ଯୋଜନା ବାଟମାରଣା ହୋଇଛି ବୋଲି ମତ ଦେଇ ଗରିବଙ୍କ ହକ୍ କୁ ବାଟମାରଣା କରୁଥିବା କାର୍ଯ୍ୟକୁ ନିନ୍ଦା କରିଥିଲେ । ସଂପୃକ୍ତ ଗ୍ରାମର ଆଦିବାସୀ ପରିବାରକୁ ଏପର୍ଯ୍ୟନ୍ତ ଘରଡିହ ଯୋଗାଇ ଦିଆଯାଇ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ଏହା ସହ ଭଣ୍ଡାରିପୋଖରୀ ଅଞ୍ଚଳରେ ଚାଲିଥିବା ଅବାଧ ବାଲିଚୋରି, ବ୍ଲକରେ କୁଶାସନ, ତହସିଲରେ ଦୁର୍ନୀତି ଓ ପାରିବାରିକ ଶାସନକୁ ଟାର୍ଗେଟ କରିଥିଲେ । ଏଭଳି ଅପାରଗତା ପାଇଁ ଜନସାଧାରଣ ଉଚିତ ଶିକ୍ଷା ଦେବେ ବୋଲି ଶାସକ ଦଳକୁ ଚେତାଇ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ତଥା ଭଦ୍ରକ ଜିଳ୍ଲା ପ୍ରଭାରୀ କାଳନ୍ଦୀ ସାମଲ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଜିଲ୍ଲା ସଭାପତି ହେମନ୍ତ ପାଢୀ, ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ଦୁର୍ଗାପ୍ରସାଦ ଦାସ ପ୍ରମୁଖ ରାଜ୍ୟ ସଭାପତିଙ୍କ ସହ ଗସ୍ତ କରିଥିଲେ । ଦଳର ସ୍ଥାନୀୟ ଛାମୁଆ ନେତା ଓ କର୍ମୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।