Odiapua.com

ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ପ୍ରଶିକ୍ଷଣ ବର୍ଗ:ଓଡିଶାରୁ ଯୋଗ ଦେଲେ ୪ ପ୍ରତିନିଧି

ଭୁବନେଶ୍ୱର ୨୦-୪ (ଓଡ଼ିଆ ପୁଅ/ଦେବଦତ୍ତ ରଥ): ଗାଜିଆବାଦ ମିରଟ ରୋଡ଼ ସ୍ଥିତ ଆରକେଜିଆଇଟି ଓମେନ୍ସ କଲେଜ ପରିସରରେ ଆଜି ଠାରୁ ବିଜେପି ମହିଳା ମୋର୍ଚ୍ଚାର ଏକ ୩ ଦିନିଆ ରାଷ୍ଟ୍ରୀୟ ପ୍ରଶିକ୍ଷଣ ବର୍ଗ ଉଦ୍ଘାଟିତ ହୋଇ ଯାଇଛି। ଏଥିରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକର୍ତ୍ତାଙ୍କ ସମେତ ବିଭିର୍ଣ୍ଣ ରାଜ୍ୟରୁ ପ୍ରାୟ ୨୦୫ ପ୍ରତିନିଧି ଯୋଗ ଦେଇଥିବା ଜଣାପଡ଼ିଛି। ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରହାତକରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ରାମ ଲାଲ, କେନ୍ଦ୍ରୀୟ ବିଦେଶ ରାଜ୍ୟମନ୍ତ୍ରୀ ଜେନେରାଲ ବି.କେ ସିଂ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଛନ୍ତି। ଅନ୍ୟାନ୍ୟ ଦିବସରେ ମହିଳା ମୋର୍ଚ୍ଚାର ଅନ୍ୟାନ୍ୟ ପଦାଧିକାରୀ, ମନ୍ତ୍ରୀମାନେ ଯୋଗ ଦେଇ ଉଦବୋଧନ ଦେବାର କାର୍ଯ୍ୟକର୍ମ ରହିଛି।

ଏହି ପ୍ରଶିକ୍ଷଣ ଶିବିରରେ କାର୍ଯ୍ୟକର୍ତ୍ତାଙ୍କୁ କାନୁନ ଅଧିକାର, ମହିଳା ସୁରକ୍ଷା, ମହିଳା ବୁଥ ରଚନା, ନିର୍ବାଚନ ପରିଚାଳନା ଆଦି ବିଷୟରେ ପ୍ରଶିକ୍ଷିତ କରାଯିବ। ୩ ଦିନ ଧରି ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ ବର୍ଗରେ ସମୁଦାୟ ୧୪ ଟି ସତ୍ର ରହିବ ଏବଂ ରବିବାର ଦିନ କାର୍ଯ୍ୟକ୍ରମ ସମାପନ ହେବ। ଅନ୍ତିମ ଦିବସରେ ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ରାଷ୍ଟ୍ରୀୟ ପ୍ରଶିକ୍ଷଣ ବର୍ଗରେ ଯୋଗ ଦେବା ପାଇଁ ଓଡ଼ିଶାରୁ ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ପ୍ରତିଭା ଶତପଥି, ସୁଷମା ବିଶ୍ୱାଳ, ବବିତା ପାତ୍ର ୪ ଜଣିଆ ପ୍ରତିନିଧି ମଣ୍ଡଳୀ ଯାଇଥିବା ଜଣାପଡ଼ିଛି।