Odiapua.com

ବିଜେପି ପ୍ରାର୍ଥୀ ମାନସଙ୍କ ପ୍ରଚାର ଜୋରଦାର

ବାଲେଶ୍ୱର, ୧୮ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ଚଳିତ ବାଲେଶ୍ୱର ସଦର ଉପ-ନର୍ବାଚନର ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ ସମେତ ଦଳୀୟ କର୍ମକର୍ତ୍ତାଙ୍କ ପକ୍ଷରୁ ପ୍ରଚାର କ୍ରମଶଃ ଜୋରଦାର ହେବାରେ ଲାଗିଛି। ଆଜି ଦିନ ତମାମ ବାଲେଶ୍ୱର ସହରର ବିଭିନ୍ନ ଅଞ୍ଚଳରେ ଏହି ପ୍ରଚାର କାର୍ଯ୍ୟ ଜାରି ରହିଥିବା ଦେଖିବାକୁ ମିଳିଥିଲା। ସକାଳେ ପ୍ରଥମେ ରାଣୀପାଟଣାରେ ଏହି ପ୍ରଚାର କାର୍ଯର୍୍ୟ ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ନୂଆବଜାର, ଗୋପାଳଗାଁ, ମାନସିଂବଜାର, ବାରବାଟୀ ପ୍ରଭୃତି ସ୍ଥାନରେ ଡୋର କ୍ୟାମ୍ପନିଂ ସହ ବୈଠକ ଓ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରଚାର କାର୍ଯ୍ୟରେ ପ୍ରାର୍ଥୀ ଶ୍ରୀ ଦତ୍ତଙ୍କ ସମେତ ଧାମନଗରର ବିଜେପି ବିଧାୟକ ବିଷ୍ଣୁ ସେଠୀ, ବିଜେପି ରାଜ୍ୟ ମୁଖୃପାତ୍ର ସତ୍ୟବ୍ରତ ପଣ୍ଡା, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସଂଗଠକ ବିପିନ ବିହାରୀ ଦାସ, ଜିଲ୍ଲା ମିଡିଆ ପ୍ରଭାରୀ ଶ୍ରୀନିବାସ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ପାତର ଅନ୍ତର ନୀତିର ଊର୍ଦ୍ଧ୍ୱରେ ରହି ସମସ୍ତ ସରକାରୀ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉପରେ ବକ୍ତାମାନେ କହିଥିଲେ। ସଂଧ୍ୟାରେ ରାଣୀପାଟଣାଠାରେ ଆୟୋଜିତ ଏକ ନିର୍ବାଚନୀ ସଭା ଓ କର୍ମୀ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପ୍ରାର୍ଥୀ ଶ୍ରୀ ଦତ୍ତ, ବିଜେପି ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ୍ ମିଶ୍ର, ସୀତାକାନ୍ତ ସ୍ୱାଇଁ ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ବିଜେଡି ସରକାରରେ ବୃଦ୍ଧି ପାଇଥିବା ଦୁର୍ନୀତି ଓ ପ୍ରତିଟି ଯୋଜନାରେ ହେଉଥିବା ପାତରଅନ୍ତ ନୀତିରୁ ଉପେକ୍ଷିତ ଲୋକଙ୍କୁ ରକ୍ଷା କରିବାକୁ ଏକମାତ୍ର ପ୍ରାର୍ଥୀ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ସୁପୁତ୍ର ମାନସ ଦତ୍ତଙ୍କୁ ଭୋଟ ଦେବା ପାଇଁ ସମସ୍ତେ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଚିତ୍ରାନନ୍ଦ ଦାସ ସଭାପତିତ୍ୱ କରିଥିଲେ।