Odiapua.com

ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ : କେନ୍ଦ୍ରୀୟ ଯୋଜନା ହଡ଼ପ, ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, କୃଷି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମାଲୋଚନା

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ଅଭ୍ୟାସଗତ ଭାବେ କେନ୍ଦ୍ରୀୟ ଯୋଜନାକୁ ହଡପ କରି ବାହାଦୁରୀ ନେବାକୁ ହୀନଉଦ୍ୟମ କରୁଛନ୍ତି। ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, କର୍ମନିଯୁକ୍ତି, କୃଷି, ଶିଳ୍ପାୟନ ଆଦି ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉନାହିଁ। ବରଂ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବାବେଳେ ପ୍ରତିଦିନ ନିଶା ପାନ ଯୋଗୁ ହତ୍ୟା, ଧର୍ଷଣ ବୃଦ୍ଧି ପାଉଛି। ଏପରି ଘଟା ନିନ୍ଦନୀୟ ଓ ଘଟଣାବଳୀକୁ ବିଜେପି କର୍ମୀମାନେ ଲୋକମାନଙ୍କ ନିକଟରେ ଆଲୋଚନା କରି ଜନସାଧାରଣଙ୍କ ମଧ୍ୟରେ ଭାବଗତ ସମ୍ପର୍କ ସୃଷ୍ଟି କରି ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ବିଜୟୀ କରାଇବା ପାଇଁ କାମ କରିବାକୁ ମଙ୍ଗଳବାର ଦଳୀୟ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଜିଲ୍ଳା କାର୍ଯ୍ୟକାରିଣୀରେ ମତପ୍ରକାଶ ପାଇଛି। ଦଳର ଜିଲ୍ଲା ସଭାପତି ହେମନ୍ତ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକାରିଣୀ ବୈଠକରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ସମ୍ପାଦକ ତଥା ଭଦ୍ରକ ଜିଲ୍ଲା ପ୍ରଭାରୀ କାଳନ୍ଦୀ ସାମଲ, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦୀପ କୁମାର ନାୟକ, ବଦ୍ରିନାରାୟଣ ଧଳ, ମାଧବାନନ୍ଦ ମଲ୍ଲିକ ମଞ୍ଚାସିନ ହୋଇ ଉଦବୋଧନ ଦେଇଥିଲେ। ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁଙ୍କ ଦ୍ୱାରା ଆଗତ ରାଜନୈତିକ ଚିଠା ପ୍ରସ୍ତାବରେ ରାଜ୍ୟ ସରକାରଙ୍କ ଅର୍ଥନୈତିକ କୁପରିଚାଳନା, ମହାନଦୀ ଓ ଅନ୍ୟାନ୍ୟ ନଦୀ ସମସ୍ୟା, ବିଶେଷ କରି ସାଳନ୍ଦୀ ସଂସ୍କାର ଯୋଜନାର ବିଫଳତା, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ସମବାୟ ଓ ମହିଳା ସଶକ୍ତିକରଣ ଯୋଜନାରେ ବିଫଳତା, ପାନୀୟ ଜଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀ, କର୍ମନିଯୁକ୍ତି ଓ ଶିଳ୍ପ ପ୍ରତିଷ୍ଠାରେ ସରକାରଙ୍କ ଆନ୍ତରିକତାର ଅଭାବ ସାଙ୍ଗକୁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ନିଶା କାରବାର ଓ ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବିଫଳ ହେବା ଦର୍ଶାଇ ନିନ୍ଦା କରାଯାଇଥିଲା। ସେହିପରି ସ୍ଥାନୀୟ ସମସ୍ୟା ଭାବେ ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା, ଧାମରାରେ ବୃହତ ଶିଳ୍ପ ପ୍ରତିଷ୍ଠା ପାଇଁ ଗୁରୁତ୍ୱ ଦେବା ସହ କୁଆଁସ ନିକଟରେ ଅର୍ଜୁନ ସେତୁକୁ ତରବରିଆ ଭାବେ ଭାଙ୍ଗି ନିର୍ମାଣରେ ବିଳମ୍ବ, ଭଦ୍ରକରେ ଧଳା ଜହର କାରବାର, ଗୋ ଚାଲାଣ ରୋକିବାରେ ବିଫଳତା, ବିଶେଷ କରି ନିର୍ବାଚିତ ଜନପ୍ରତିନିଧିଙ୍କୁ ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା ଓ ଅସହଯୋଗକୁ ନିନ୍ଦା କରାଯାଇଛି। ଅନ୍ୟତମ ଉପସଭାପତି ଦୁର୍ଗା ଚରଣ ନାୟକ ସମର୍ଥନ କରି ଏହି ଚିଠା ପ୍ରସ୍ତାବ ପାରିତ କରିଥିଲେ। ଏହି ଅବସରରେ ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଆସନ ପାଇଁ ସୁଯୋଗ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦିଆଯାଇ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଜିଲ୍ଲା ସାଧାରଣ ସମ୍ପାଦକ ଶଶିକାନ୍ତ ବିଶ୍ୱାଳ ମଞ୍ଚ ଆହ୍ୱାନ ଓ ମନୋରଞ୍ଜନ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ସଭାପତି ଶ୍ରୀ ପାଢ଼ୀ ଦଳୀୟ ପତାକା ଉତ୍ତୋଳନ କରିଥିଲେ। ଏଥିରେ ଜିଲ୍ଲା କମିଟିର ପଦାଧିକାରୀ, ମଣ୍ଡଳ ସଭାପତି ଓ କାର୍ଯ୍ୟକାରିଣୀର ସଦସ୍ୟ ମାନେ ଯୋଗଦେଇଥିଲେ। ଶେଷରେ ଉପସଭାପତି ଅଶୋକ ପରିଜା ଧନ୍ୟବାଦ ଅର୍ପଣ କରିଥିଲେ।