Odiapua.com

ବିଜେପି ଅନ୍ତ କନ୍ଦଳରେ ସଙ୍ଗଠନ ଦୁର୍ବଳ, ଦଳ ପାଇଁ ବୋଝ ହେଲେଣି ସୁଧାଂଶୁ

ଭଦ୍ରକ,୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭାରତୀୟ ଜନତା ପାର୍ଟି ରାଜ୍ୟରେ ସରକାର ଗଠନ କରିଥିଲେ ମଧ୍ୟ ଭଦ୍ରକ ଜିଲ୍ଲାରେ ଦଳର ସାଙ୍ଗଠନିକ ସ୍ଥିତି ଏଯାଏ ଦୃଢ଼ ହୋଇପାରୁନାହିଁ।ବିଶେଷ କରି ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଦଳର ଅନ୍ତ କନ୍ଦଳ ସାଙ୍ଗକୁ ଗତ ନିର୍ବାଚନରେ ଦଳର ପ୍ରାର୍ଥୀ ହୋଇ ଜିଲ୍ଲାରେ ସବୁଠାରୁ କମ ଭୋଟ ପାଇଥିବା ସୁଧାଂଶୁ ନାୟକଙ୍କୁ ନେଇ ଦଳ ଏବେ ବ୍ୟାକଫୁଟରେ ଗତି କରୁଛି।ନିର୍ବାଚନ ପୂର୍ବରୁ ବିଜେଡିରୁ ବହିଷ୍କୃତ ହୋଇଥିବା ସୁଧାଂଶୁଙ୍କୁ ବିଜେପି ଆପଣାଇ ନେଇ ବିଜେଡି ଭୋଟକୁ ପ୍ରଭାବିତ କରିବା ପାଇଁ ଯେଉଁ ଆଶା ରଖିଥିଲା ତାହା ପୂରଣ ହେବା ବଦଳରେ ସୁଧାଂଶୁ ଦଳ ପାଇଁ ବୋଝ ପାଲଟିଲେଣି ବୋଲି କୁହାଯାଉଛି।ଜୁନ ୧ ତାରିଖରେ ନିର୍ବାଚନ ଥିବା ବେଳେ ଦଳର ଜଣେ ମହିଳା ନେତ୍ରୀଙ୍କ କଥାରେ ୨୦ ଲକ୍ଷ ଟଙ୍କା ଦେଇ ମେ ୩୧ରେ କୋଟିଏ ଟଙ୍କା ପାଇବାର ଆଶା ରଖିଥିବା ସୁଧାଂଶୁ ନିର୍ବାଚନ ଲଢ଼ି ଜିଣିବା ଅପେକ୍ଷା ଟିକେଟ ହାତେଇବା ପରେ ଟଙ୍କା ରୋଜଗାର କରିବା ନିଶାରେ ଆକ୍ରାନ୍ତ ହୋଇ ଦଳର କ୍ଷତି ସାଧନ କରୁଛନ୍ତି ବୋଲି ନିଜ ଦଳର ଲୋକମାନେ ସମାଲୋଚନା କରୁଛନ୍ତି।ଏପରିକି ଏହି ଘଟଣାରେ ସୁଧାଂଶୁ ଦଳୀୟ ନେତ୍ରୀ ସୁନିତି ମୁଣ୍ଡଙ୍କ ନାମରେ ଅଭିଯୋଗ କରିବା ପରେ ଦଳ ତାଙ୍କୁ ନିଲମ୍ବନ କରିଥିବା ବେଳେ ସୁଧାଂଶୁଙ୍କ ପ୍ରତି କାହିଁକି ଦରଦ ଦେଖାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ପ୍ରଶ୍ନ ଉଠୁଛି।ଏହି ଅର୍ଥ କାରବାର ପ୍ରସଙ୍ଗରେ ସୁଧାଂଶୁଙ୍କୁ ତାଙ୍କ ବିରୋଧୀ ମାନେ ନିନ୍ଦା କରିଛନ୍ତି।ସୁଧାଂଶୁ ଦଳର ରାଜ୍ୟ ସଭାପତିଙ୍କ ନିର୍ବାଚନ ମଣ୍ଡଳୀର ଲୋକ ହୋଇଥିବାରୁ ଦଳ ସମାନ ଘଟଣାରେ ଜଡ଼ିତ ଦୁଇ ଜଣଙ୍କ ପାଇଁ ଦୁଇ ପ୍ରକାର ଆଭିମୁଖ୍ୟ ଗ୍ରହଣ କରିବାକୁ ନେଇ ସ୍ଥାନୀୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।ଅନ୍ୟ ପକ୍ଷରେ ସୁନୀତିଙ୍କ ଦ୍ୱାରା ସାମାଜିକ ଗଣମାଧ୍ୟମରେ ସୁଧାଂଶୁଙ୍କ ବିରୋଧରେ ଥିବା ଅନେକ ତଥ୍ୟ ଉଲ୍ଲେଖ କରାଯାଇଛି।ସୁନିତି ମଧ୍ୟ ସୁଧାଂଶୁଙ୍କ ବିରୋଧରେ ଧମକ ଦେବା, ମାନସିକ ନିର୍ଯ୍ୟାତନା ଓ ଅଶ୍ଳୀଳ ଆଚରଣ କରିଥିବା ନେଇ ପୁଲିସରେ ଅଭିଯୋଗ କରିଛନ୍ତି ବୋଲି ସୂଚନା ଦେଇଛନ୍ତି।ଏହାକୁ ନେଇ ସୁଧାଂଶୁଙ୍କ ପାଇଁ ବିଜେପିର କ୍ଷତି ହେଉଥିବା ବେଳେ ଦଳ ତାଙ୍କ ବିରୋଧରେ କି ପଦକ୍ଷେପ ନେବ ତାକୁ ନେଇ ଅପେକ୍ଷା ରହିଛି।