Odiapua.com

ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜିତ: ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ବିଜେପି ସରକାର ଗଠନ କରିବ :ବସନ୍ତ ପଣ୍ଡା

– ‘ଫିର୍ ଏକବାର ମୋଦି ସରକାର’ ନାରା ସଫଳ ହେବାକୁ ଯାଉଛି
– ‘ବିଜେପି ବଢୁଛି, କଂଗ୍ରେସ ଓ ବିଜେଡି ଛିଡୁଛି’
– ବିଜେପି ଆଗାମୀ ଦିନରେ ଓଡିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବ
– ରାଜ୍ୟରେ କଂଗ୍ରେସ ଏବଂ ବିଜେଡି ଦଳ ସୀମିତ ଏବଂ ଅବକ୍ଷୟ ହେବାକୁ ଯାଉଛନ୍ତି

ଭୁବନେଶ୍ୱର, ତା.୨୦/୦୫ (ଓଡ଼ିଆ ପୁଅ) :ରାଜ୍ୟର ସମସ୍ତ ଲୋକସଭା ଏବଂ ବିଧାନସଭା ବିଜେପି ପ୍ରାର୍ଥୀମାନଙ୍କୁ ନେଇ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜିତ ହୋଇଛି। ଏହି କର୍ମଶାଳାରେ ନିର୍ବାଚନ ଗଣତି ପଦ୍ଧତିର ବୈଷୟିକ ଦିଗ ଏବଂ ପ୍ରମୁଖ ବିନ୍ଦୁ ଉପରେ ଆଲୋଚନା ହୋଇଥିଲା। ରାଜ୍ୟ ବିଜେପି ନିର୍ବାଚନ ପ୍ରକୋଷ୍ଠ ଆବାହକ ସୁଦର୍ଶନ ନାୟକ ଭୋଟ ଗଣତିର ବିଭିନ୍ନ ନିୟମ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ନିର୍ବାଚନ ପରିଚାଳନାର ଆର୍ଥୀକ ଦିଗ ନିର୍ବାଚନ ଗଣତି ବୁଥ ଏଜେଂଟ ପରିଚାଳନା ସଂପର୍କରେ ଆଲୋକପାତ କରିଥିଲେ।

ରାଜ୍ୟ ସଭାପତି ବସନ୍ତ ପଣ୍ଡା ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ବିଜେପିର ଭୋଟ ଗଣତି ପକ୍ରିୟା ଏବଂ ଫଳାଫଳର ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଥିଲା। ଭୋଟ ଗଣନା ପ୍ରକ୍ରିୟାରେ ବିଜେପିର କାର୍ଯକର୍ତାମାନଙ୍କର କଣ କଣ ଭୂମିକା ରହିଛି ଏବଂ ସଠିକ୍ ଖର୍ଚ୍ଚ ହିସାବ ବିଷୟରେ ଚର୍ଚ୍ଚା ଆଲୋଚନା ସହ କାର୍ଯ୍ୟକର୍ତାମାନଙ୍କୁ ପ୍ରଶିକ୍ଷିତ କରାଯାଇଥିଲା।

ସମସ୍ତ ଏଗ୍ଜିଟ୍ ପୋଲ ଅନୁସାରେ ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଗାମୀ ଦିନରେ ସରକାର ଗଢିବ। ଇଣ୍ଡିଆ ଟୁଡେ ଏବଂ ଟୁଡେ ଚାଣକ୍ୟ ଅନୁମାନ ଯଦି ସତ ହୁଏ ତେବେ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ସରକାର ଗଠନ କରିବ। ଆଗାମୀ ୨୩ ତାରିଖ ଦିନ ‘ଫିର୍ ଏକବାର ମୋଦି ସରକାର’ ନାରା ସଫଳ ହେବାକୁ ଯାଉଛି। ଓଡିଶାରେ ଥିବା ସ୍ଥାଣୁ ଅପାରଗ ସରକାର ବଦଳିବାର ଅନୁଭବ କରାଯାଉଛି। ଓଡିଶାରେ ଭାରତୀୟ ଜନତା ପାର୍ଟି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିବ। ‘ବିଜେପି ବଢୁଛି, କଂଗ୍ରେସ ଓ ବିଜେଡି ଛିଡୁଛି’। ଏଥି ସହ ଓଡିଶାରେ ଧୀରେ ଧୀରେ କଂଗ୍ରେସ ଏବଂ ବିଜେଡି ଦଳ ସୀମିତ ଏବଂ ଅବକ୍ଷୟ ହେବାକୁ ଯାଉଛନ୍ତି। ବିଜେପି ଆଗାମୀ ଦିନରେ ଓଡିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବ ବୋଲି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଏହି ରାଜ୍ୟ ସ୍ତରୀୟ କର୍ମଶାଳାରେ ଦୁଇ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ, ରାଷ୍ଟ୍ରୀୟ ଉପସଭାପତି ଓ ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ପ୍ରତାପ ଷଡଙ୍ଗୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସୁରମା ପାଢୀ, ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ କୁମାର ମହାନ୍ତିଙ୍କ ସମେତ ବିଜେପିର ସମସ୍ତ ଲୋକସଭା ଏବଂ ବିଧାନସଭାର ପ୍ରାର୍ଥୀ ଏବଂ ରାଜ୍ୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।