Odiapua.com

ବିଜେପିର ମିଶ୍ରଣ ପର୍ବ ଭିତରେ ବିଛେଦ !

★ପଦ୍ମ ଧରିଲେ ପଦ୍ମଲୋଚନ:ଅସନ୍ତୋଷ କୁହୁଳୁଛି
★ବାଲେଶ୍ୱର ବିଜେପିରେ ଲାଗିଲା ନିଆଁ
ଭୁବନେଶ୍ୱର;୨୨,ଅକ୍ଟୋବର:ନିର୍ବାଚନ ଯେତେ ପାଖେଇ ପାଖେଇ ଆସୁଛି ବିଭିର୍ଣ୍ଣ ଦଳ ଭିତରେ ମିଶ୍ରଣ ପର୍ବ ସେତେସେତେ ବଢ଼ିଚାଲିଛି।ଜଣେ ଗୋଟେ ଦଳ ଛାଡ଼ି ଆଉ ଏକ ଦଳକୁ ଯାଉଛି।ମାନେ ଦଳବଦଳ ଚାଲିଛି।ମିଶାଣ ଫେଡ଼ାଣ ଲାଗିରହିଛି।ସେହି କ୍ରମରେ ରବିବାର ଦିନ ବାଲେଶ୍ଵର ଜିଲ୍ଲା ସିମୁଳିଆ/ଖଇରିଆଠାରେ ଆୟୋଜିତ ହୋଇଛି ମିଶ୍ରଣ ପର୍ବ।ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ କଂଗ୍ରେସର ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ପଦ୍ମ ଧରିଛନ୍ତି।ତାଙ୍କ ସମେତ ଶୁଭଙ୍କର ମହାପାତ୍ର ଆଦି କିଛି ନେତା ଏବଂ ପଦ୍ମଲୋଚନଙ୍କ ଅନେକ ସମର୍ଥକ ବିଜେପିରେ ଯୋଗ ଦେଇଛନ୍ତି।ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଷଡ଼ଙ୍ଗୀ,ରାଜ୍ୟ ଉପସଭାପତି ସମୀର ମହାନ୍ତି,ବିଷ୍ଣୁ ସେଠୀ,ରାଜ୍ୟ ସମ୍ପାଦିକା ଶୋଭନା ମହାନ୍ତି,ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ,ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୂର ରଞ୍ଜିତ ଦାସ,ଜିଲ୍ଲା ସଭାପତି ମଦନ ମୋହନ ଦତ୍ତ,ଅଭିନେତା/ନେତା ମିହିର ଦାସ ଆଦି ଉପସ୍ଥିତ ରହି ଆଗନ୍ତୁକଙ୍କୁ ସ୍ୱାଗତ କରିଛନ୍ତି।

ତେବେ ଏହି ମିଶ୍ରଣ ପର୍ବ ଫଳରେ ସିମୁଳିଆ/ଖଇରିଆରେ ଦଳର ଶକ୍ତି ବୃଦ୍ଧି ଘଟିଛି ନାଁ ମିଶ୍ରଣ ମଧ୍ୟରେ ଭିତରେ ଭିତରେ ଦଳ ଭିତରେ ବିଛେଦ ଘଟୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।କାରଣ ଏହି ମିଶ୍ରଣ ପର୍ବ ବେଳେ ସ୍ଥାନୀୟ ନେତା ତଥା ଗତ ଥରର ବିଜେପି ପାର୍ଥି ଶଶୀ କୁମାର ସାହୁ ଅନୁପସ୍ଥିତ ଥିଲେ।ଶଶୀ ସାହୁ,ତାଙ୍କ ସମର୍ଥକ ଏବଂ ସ୍ଥାନୀୟ ଅନେକ ନେତା/କର୍ମୀ ପଦ୍ମଲୋଚନଙ୍କ ସାମିଲକୁ ଖୋଲାଖୋଲି ବିରୋଧ କରି ଆସୁଥିଲେ।ଏନେଇ ପୂର୍ବରୁ ବିରୋଧ ଯୋଗୁଁ ପଦ୍ମଲୋଚନଙ୍କ ମିଶ୍ରଣ ବାତିଲ ହୋଇଥିବା ଜଣାପଡ଼ିଛି।ତେବେ ପଦ୍ମଲୋଚନ ଏବେ କିନ୍ତୁ ଦଳରେ ସାମିଲ ହେଲେ।ପଦ୍ମଲୋଚନଙ୍କ ସାମିଲକୁ ବିରୋଧ ହେଉଥିବା କଥା ନିଜେ କେନ୍ଦ୍ର ମନ୍ତ୍ରୀ ତାଙ୍କ ଭାଷଣରେ ଉଲେଖ କରିଛନ୍ତି।ଧର୍ମେନ୍ଦ୍ର କହିଥିଲେ ଯେ,ସେ କାର୍ଯ୍ୟକ୍ରମ ସ୍ଥଳୀକୁ ଆସିବା ପୂର୍ବରୁ ପ୍ରତାପ ଷଡ଼ଙ୍ଗୀ ତାଙ୍କୁ ଫୋନ କରି ଶଶୀ ଅସନ୍ତୋଷ ଥିବା କଥା କହିଥିଲେ।ତେବେ ଧର୍ମେନ୍ଦ୍ର କହିଥିଲେ କି ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ।ଯିଏ ଦଳକୁ ଆସିବାକୁ ଚାହିଁବ ଦଳ ତାକୁ ସ୍ୱୀକାର କରିବ।କିନ୍ତୁ ଟିକେଟ କିଏ ପାଇବ,ତାହା ଦଳ ପରେ ନିଷ୍ପତି ନେବ।ଭଲ କଥା।ଏହା ହିଁ ଶୃଙ୍ଖଳା।କିନ୍ତୁ ବାସ୍ତବରେ କ’ଣ ମିଶ୍ରଣ ପରେ ଏହି ଶୃଙ୍ଖଳା ରହୁଛି?ପୁରୁଣା ନେତାଙ୍କୁ ତ’ ଏହି ଶୃଙ୍ଖଳା ଜ୍ଞାନ ଦିଆଯାଉଛି।କିନ୍ତୁ ମିଶ୍ରଣ ପର୍ବରେ ନୂଆ ଯୋଗ ଦେଉଥିବା ନେତା ସେହି ଶୃଙ୍ଖଳାକୁ କେତେଦୂର ମାନୁଛନ୍ତି?କାରଣ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମିଶ୍ରଣ ପର୍ବରେ ନୂଆ ଯୋଗ ଦେଇଥିବା ନେତା ସେମାନଙ୍କର ସମର୍ଥକଙ୍କ ମାଧ୍ୟମରେ ନିଜକୁ ବିଧାୟକ ପାର୍ଥି ଭାବରେ ଉପସ୍ଥାପନ କରାଉଛନ୍ତି,ସୋସିଆଲ ମିଡିଆରେ ପ୍ରଚାର କରାଉଛନ୍ତି।ଏପରିକି କେତେକ ସ୍ଥାନରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପି ନାମରେ ସୋସିଆଲ ମିଡିଆରେ ପେଜ ଖୋଲି ସେଥିରେ ନିଜ ଫଟୋ ଚପେଇ ଦେଉଛନ୍ତି।ଏହାକୁ ନେଇ ରାଜ୍ୟର ଅନେକ ସ୍ଥାନରେ ଅସନ୍ତୋଷ ଭିତରେ ଭିତରେ କୁହୁଳୁଛି।କେତେବେଳେ ଯେ କେଉଁଠି ନିଆଁ ଲାଗିଯାଇ ପାରେ କହିହେଉ ନାହିଁ।ଯେପରି ଏବେ ବାଲେଶ୍ୱର,ସିମୁଳିଆ/ଖଇରିଆରେ ନିଆଁ ଲାଗି କୁହୁଳିବା ଆରମ୍ଭ ହୋଇଯାଇଛି।

 

ଏଇ ମିଶ୍ରଣ ପର୍ବ ପୂର୍ବରୁ ଶଶୀ ଆୟୋଜନ କରିଥିଲେ ଏକ କର୍ମୀ ସମ୍ମିଳନୀ।ଯେଉଁଠାରେ ଅନେକ କର୍ମୀ ସମାବେଶ ମଧ୍ୟ ଘଟିଥିଲା।ଏହାକୁ ବିଜେପି ଭିତରେ ସମାନ୍ତରାଳ ସମାବେଶ ବୋଲି କୁହାଯାଉଛି।ଅନେକ କାର୍ଯ୍ୟକର୍ତ୍ତାଙ୍କ ମନରେ ଅସନ୍ତୋଷ ଭରି ରହିଛି,ଯାହା ବି ସେହି ସମ୍ମିଳନୀରେ ପ୍ରକାଶ ପାଇଥିଲା।ନିଜେ ଶଶୀ କୁମାର ଏହାକୁ ନେଇ ତାଙ୍କ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

ବାସ୍ତବରେ ସିମୁଳିଆ/ଖଇରିଆରେ ବିଜେପିର ସ୍ଥିତି ଆଦୌ ଭଲ ନଥିଲା।୨୦୦୯ରେ ସିମୁଳିଆରୁ ବିଜେପିର ପାର୍ଥି ଥିଲେ ତନୁଜା ପଣ୍ଡା।ସେ ମାତ୍ର ୫୦୨୩ଟି ଭୋଟ ପାଇଥିଲେ।ତାଙ୍କର ଭୋଟ ହାର ଥିଲା ୩.୭୯%।୪ର୍ଥ ସ୍ଥାନରେ ଥିଲା ବିଜେପି।ବିଜେଡି,କଂଗ୍ରେସ କଥା ଛାଡ଼ନ୍ତୁ,ସ୍ୱାଧୀନ ପାର୍ଥି ମଧ୍ୟ ଥିଲେ ବିଜେପିଠାରୁ ଆଗରେ,୩ୟ ସ୍ଥାନରେ।ତେବେ,ଏହାପରେ ୨୦୧୪ରେ ସିମୁଳିଆ/ଖଇରିଆରେ ଯେତେବେଳେ ବିଜେପି ନିଜର ଅସ୍ତିତ୍ୱ ଖୋଜୁଥିଲା,ସେତେବେଳେ ବିଜେଡିରୁ ଆସି ବିଜେପିରେ ଯୋଗ ଦେଇଥିଲେ ଶଶୀ କୁମାର ସାହୁ।ଏବଂ ସେ ହୋଇଥିଲେ ବିଜେପିରୁ ପାର୍ଥି।ତୃତୀୟ ସ୍ଥାନରେ ରହିଥିଲେ ମଧ୍ୟ ଶଶୀ ଭଲ ଲଢ଼ିଥିଲେ।୨୦୧୪ ନିର୍ବାଚନରେ ବିଜେଡିର ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଜୟୀ ହୋଇଥିଲେ।ସେ ସର୍ବମୋଟ ୬୫,୮୫୪ ଭୋଟ ପାଇଥିଲେ।ତାଙ୍କର ଭୋଟ ହାର ଥିଲା ୪୨.୨୪%।୨୦୦୯ ତୁଳନାରେ ବିଜେଡିର ଭୋଟ ହାର ୫.୬୩% କମିଥିଲା।ଯେତେବେଳେ କି କଂଗ୍ରେସ ପକ୍ଷରୁ ପଦ୍ମଲୋଚନ ପଣ୍ଡା ପାଇଥିଲେ ୫୭,୯୧୯ ଭୋଟ।ସେ ଦୂତୀୟ ସ୍ଥାନରେ ଥିଲେ।ଭୋଟ ହାର ତାଙ୍କର ଥିଲା ୩୭.୧୫%।୨୦୦୯ ତୁଳନାରେ ତାଙ୍କର ଭୋଟ ହାରରେ ୨.୪୮% କମିଥିଲା।ଏବଂ ବିଜେପିର ଶଶୀ କୁମାର ସାହୁ ୨୮,୦୧୧ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ।ଭୋଟ ହାର ତାଙ୍କର ଥିଲା ୧୭.୯୭%।୨୦୦୯ ତୁଳନାରେ ବିଜେପିର ଭୋଟ ହାର ୧୪.୧୮% ଅଭିବୃଦ୍ଧି ଘଟିଥିଲା।

ତେବେ ଦଳର ସ୍ଥାନୀୟ ପ୍ରମୁଖ ନେତା/କାର୍ଯ୍ୟକର୍ତ୍ତା ମାନଙ୍କ ସହମତି ନନେଇ ବିଜେପି ପକ୍ଷରୁ ଏଯେଉଁ ବିକଳରେ ମିଶ୍ରଣ ପର୍ବ ମାଧ୍ୟମରେ ନେତା ଗୋଟିଆ ଚାଲିଛି,ତାହା ଦଳ ପାଇଁ ଘାତକ ହୋଇପାରେ।ଏହି ସମସ୍ୟା ରାଜ୍ୟର ଅନେକ ସ୍ଥାନରେ ରହିଛି।ସମାନ୍ତରାଳ ସଙ୍ଗଠନ ଅନେକ ସ୍ଥାନରେ ଚାଲିଛି।କେଉଁଠି କେଉଁଠି ଗଣ୍ଡଗୋଳ,ମୁଣ୍ଡ ଫଟାଫଟି ହେଇ ସାରିଲାଣି।କେଉଁଠି କେଉଁଠି ହେବାକୁ ବାକି ଅଛି।ଅନେକ ସ୍ଥାନରେ ଅସନ୍ତୋଷ ଭିତରେ ଭିତରେ କୁହୁଳୁଛି।ବିଜେପୁର ନିର୍ବାଚନରେ ଏହି ପଦକ୍ଷେପ ଦଳକୁ ଶିକ୍ଷା ଦେଇସାରିଛି।କିନ୍ତୁ,ବୋଧହୁଏ ରାଜ୍ୟ ବିଜେପିର ନେତା ଏବଂ ଅସହାୟ ସଭାପତି ବସନ୍ତ ପଣ୍ଡା ଏଥିରୁ ଶିକ୍ଷା ପାଇପାରି ନାହାଁନ୍ତି!/ଦେବଦତ୍ତ