Odiapua.com

ବିଜେପିର ମିଶ୍ରଣ ପର୍ବ : ବିଜେପିରେ ସାମିଲ ହେଲେ ବରିଷ୍ଠ ବିଜେଡି ନେତା ଜ୍ୟୋର୍ତିମୟ ମହାନ୍ତି

ଭୁବନେଶ୍ୱର, ୧୯/୦୪ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଶ୍ରୀ ଗିରିଧାରୀ ଗମାଙ୍ଗଙ୍କ ଉପସ୍ଥିତିରେ ବରିଷ୍ଠ ବିଜେଡି ନେତା ଜ୍ୟୋର୍ତିମୟ ମହାନ୍ତି ବିଜେପିରେ ସାମିଲ ହୋଇଛନ୍ତି। ଶ୍ରୀ ମହାନ୍ତି ଜଣେ ଛାତ୍ର ନେତା ଭାବେ ବେଶ ଜଣାଶୁଣା। ଶ୍ରୀ ମହାନ୍ତି ସମାଜବାଦୀ ଆନ୍ଦୋଳନ ସହ ଜଡିତ ଥିବା ସହ କଂଗ୍ରେସ ଦଳ ଏବଂ ପରେ ବିଜେଡି ଦଳରେ ରହି କାର୍ଯ୍ୟ କରୁଥିଲେ। ଦୀର୍ଘ ୪୦ ବର୍ଷ ଧରି ସାଧାରଣ, ଖଟିକିଆ, ଦଳିତ ଲୋକମାନଙ୍କ ପାଇଁ ସେ କାର୍ଯ୍ୟ କରିଆସୁଛନ୍ତି।

ସେହିପରି ବିଜୟ କୁମାର ସ୍ୱାଇଁ, ରାଜେଶ ମହାନ୍ତି, ପ୍ରଫୁଲ ଦାସ, ରଶ୍ମୀରଂଜନ ପରିଡା, ବିଜେନ୍ଦ୍ର ସ୍ୱାଇଁ, ଶ୍ୟାମସୁନ୍ଦର ସ୍ୱାଇଁ, ପପୁ ଦାସ, ଦିନେଶ୍ୱର କର୍ମା, ସ୍ମୃତିରଂଜନ ମହାନ୍ତି, ଆରତକ୍ଷଣ ବାରିକ, ଗଣେଶ ମେହେତା, ସର୍ବେଶ୍ୱର ଭୂଆଁ, ଇମକେତ ରାଓ ଏବଂ ଦିବାକର ପଲେଇଙ୍କ ସମେତ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।

ଶ୍ରୀ ଗମାଙ୍ଗ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି। ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି। ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ମିଶ୍ରଣ ପର୍ବରେ ଯୁବ ମୋର୍ଚ୍ଚା ରଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ଉପସ୍ଥିତ ଥିଲେ।