Odiapua.com

ବିଜେପିର ବିଧାନସଭା ସ୍ତରୀୟ ଜନ ସମ୍ବାଦ ରାଲି : ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଜ୍ୟ ସଭାପତି ସମୀର ମହାନ୍ତି

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ବିଧାନସଭା ସ୍ତରୀୟ ଜନ ସମ୍ବାଦ ରାଲି ଅନୁଷ୍ଠିତ ହେଉଅଛି । ଏହି କ୍ରମରେ ଭଣ୍ଡାରିପୋଖରୀ ବିଧାନସଭା ସ୍ତରୀୟ ଜନ ସମ୍ବାଦ ରାଲି ବିଧାନସଭା ନେତା ବଦ୍ରୀନାରାୟଣ ଧଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁରୁବାର ସନ୍ଧ୍ୟା ୭ ଘଟିକା ସମୟରେ ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଯୋଗ ଦେଇ କରୋନା ସଂକଟ ସମୟରେ ଗରିବ ଜନସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନଭେମ୍ବର ମାସ ଯାଏ ମାଗଣାରେ ରାସନ ଯୋଗାଇବା ପାଇଁ ଘୋଷଣା କରିଛନ୍ତି ବୋଲି କହିବା ସହ ଫନି ଠାରୁ ଅମ୍ଫାନ ପର୍ଯ୍ୟନ୍ତ ସବୁ ସଂକଟରେ ଓଡ଼ିଶାକୁ ସହାୟତାର ହାତ ବଢାଇଛନ୍ତି । ସେହିପରି ମୋଦି ସରକାରଙ୍କ ଭାରତ ବିକାଶର ପ୍ରୟାସକୁ ନିଜ ଅଞ୍ଚଳର ଲୋକମାନଙ୍କ ନିକଟରେ ପହଞ୍ଚାଇବା ସହ ସଂଗଠନକୁ ମଜବୁତ କରିବାକୁ ଉଦ୍ୟମ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ । ପ୍ରାକ୍ତନ ମନ୍ତ୍ରୀ ମନମୋହନ ସାମଲ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାନସଭା କ୍ଷେତ୍ରର ନେତା ଡାକ୍ତର ପ୍ରଦୀପ ନାୟକ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ମୋଦି ସରକାରଙ୍କ ଜନ କଲ୍ୟାଣକାରୀ ପଦକ୍ଷେପ ଗୁଡିକ କିଭଳି ଜନସାଧାଣଙ୍କ ପାଖରେ ପହଞ୍ଚିବ ସେ ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ । ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଗରିବ କଲ୍ୟାଣ ଯୋଜନାରେ ଭଦ୍ରକ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିଥିବାରୁ ଜିଲ୍ଲାବାସୀଙ୍କ ପକ୍ଷରୁ ଶ୍ରୀ ଧଳ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତା, ଶୁଭେଚ୍ଛୁ ଓ ସାଧାରଣ ଜନତାଙ୍କୁ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଯୋଡା ଯାଇଥିଲା । ମଣ୍ଡଳ ସଭାପତି ଗିରୀଶ ସାମଲ, ମୁକୁନ୍ଦ ମଲ୍ଲିକ, ପ୍ରଫୁଲ୍ଲ ସାହୁ, ନବକିଶୋର ବଳ, ଖଗେଶ୍ୱର ବେହେରା, ଗୋପାଳକୃଷ୍ଣ ଦାଶ ଏବଂ ସଂଯୋଜକ ଭାବେ ରବି ନାରାୟଣ ସାହୁ, ଶିବାନନ୍ଦ ସାହୁ, ଶିବାନୀ ଶଙ୍କର ସ୍ୱାଇଁ, ପ୍ରବୀଣ ରାଉତ, ମନୋଜ ବିଶ୍ୱାଳ, ରାଜୀବ ଲୋଚନ ସାହୁ, ଅମୂଲ୍ୟ ନନ୍ଦ, ପ୍ରତୀକ ଗୋଛାୟତ, ସତ୍ୟବ୍ରତ ଦାସ, ଶିବ ନାରାୟଣ ସିଂହ, ମାନସ ପରିଡା, ଶ୍ରୀକାନ୍ତ ଖଡିରତ୍ନ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଯୁବନେତା ବିକାଶ ଶ୍ରେଷ୍ଠା ସହଯୋଗ କରିଥିଲେ ।