Odiapua.com

ବିଜେପିର ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବିଜେପିକୁ ଅôଧକରୁ ଅଧିକ ସକ୍ରିୟ କରି ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଭାଗବତ କଲ୍ୟାଣ ମଣ୍ଡପଠାରେ ଭଦ୍ରକ ଜିଲ୍ଲା ସ୍ତରୀୟ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀ ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ କୁମାର ପାଢୀଙ୍କ ସଭାପତିତ୍ୱରେ ହୋଇଥିଲା । ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ଭଦ୍ରକ ଜିଲ୍ଲା ପ୍ରଭାରୀ କାଳନ୍ଦୀ ସାମଲ, ରାଜ୍ୟ ବିରୋଧୀ ଦଳ ନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ତଥା ଚାନ୍ଦବାଲି ନେତା ମନମୋହନ ସାମଲ, ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ନେତା ଡା. ପ୍ରଦିପ କୁମାର ନାୟକ, ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ନେତା ବଦ୍ରିନାରାୟଣ ଧଳ, ବାସୁଦେବପୁର ନିର୍ବାଚନ ମଣ୍ଡଳୀ ନେତା ମାଧବାନନ୍ଦ ମଲ୍ଲିକ, ଲୋକସଭା ପ୍ରାର୍ଥୀ ତଥା ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଜିଲ୍ଲା ସାଧାରଣ ମନୋରଞ୍ଜନ ମଲ୍ଲିକ, ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସଦସ୍ୟା, ଜିଲ୍ଲାର ଉପସଭାପତିଗଣ, ସାଧାରଣ ସମ୍ପାଦକ, ଜିଲ୍ଲା ଯୁବ ସଭାପତି, ସଭାନେତ୍ରୀ ଯୋଗଦେଇଥିଲେ ।

ଏହି ସମ୍ମିଳନୀରେ ସମସ୍ତେ ତାଙ୍କର ବକ୍ତବ୍ୟରେ ବିଜେଡି ସରକାରଙ୍କ ଦୁର୍ନୀତି ଚରମ ସୀମାରେ ପହଞ୍ଚି ଯାଇଛି । ଯାହା ବରଦାସ୍ତ କରାଯାଇ ପାରିବ ନାହିଁ । ବିଜେଡି ସରକାରର ମହା ଦୁର୍ନୀତି (ରେସନ କାର୍ଡ, ପାଇଖାନା, ପ୍ରଧାନମନ୍ତ୍ରୀ ଆବସ ଯୋଜନା, ଧାନ କିଣା) ବିରୋଧରେ ବିଜେପି ଗ୍ରାମକୁ ଯିବ ଏବଂ ସେମାନଙ୍କର ମୁଖା ଖୋଲାଯିବ, ସମସ୍ତ ବିଷୟରେ ଆର.ଟି.ଆଇ. ମଗାଯିବ ବୋଲି କହିଥିଲେ । ବିଜେପିକୁ ତୃଣମୂଳ ସ୍ତରରୁ ସୁଦୃଢ କରି କିପରି ଗ୍ରାମ ପଞ୍ଚାୟତ ଦଖଲ କରିବ ସେ ବିଷୟରେ ସୂଚୀ ପ୍ରସ୍ତୁତ କରାଯାଇଥିଲା । ପ୍ରତ୍ୟେକ ବୁଥ୍‌ରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଏବଂ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଦିନ ପାଳନ କରାଯିବାର ନିଷ୍ପତି ଗ୍ରହଣ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନା ଗୁଡ଼ିକ ଲୋକମାନଙ୍କପାଖରେ ପହଞ୍ଚାଇବାକୁ କର୍ମୀଙ୍କୁ ପରାମର୍ଶ ଦିଆ ଯାଇଥିଲା । ଏହି ସମ୍ମିଳନୀରେ ଶତାଧିକ ଯୁବକ ଅନ୍ୟଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ ।