Odiapua.com

ବିଜେପିର ଜନ ଆକ୍ରୋଶ କାର୍ଯ୍ୟକ୍ରମ, ୧୭ରେ ଭଣ୍ଡାରିପୋଖରୀ ବ୍ଲକ୍ ଘେରାଉ

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ଦୁର୍ନୀତିରେ ବୁଡିଛନ୍ତି । ଚିଟଫଣ୍ଡ ଦୁର୍ନୀତି ଠାରୁ ଆରମ୍ଭ କରି ନରେଗା କାର୍ଯ୍ୟ ଓ ୫ଟି କାର୍ଯ୍ରକ୍ରମରେ ଖୋଲାଖୋଲି ଅର୍ଥ ଲୁଟ୍ ହେଉଛି । ରାଜ୍ୟରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇପଡିଛି । ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଲୋକମାନେ ସନ୍ତୁଷ୍ଟ ହୋଇପାରୁନାହାଁନ୍ତି । ଜନସାଧାରଣ ମଧ୍ୟରେ ଅସନ୍ତୋଷ ଓ ଆକ୍ରୋଶ ବଢୁଛି ବୋଲି ଅଭିଯୋଗ କରାଯାଇ ବିଜେପି ପକ୍ଷରୁ ସାରା ରାଜ୍ୟରେ ଆସନ୍ତା ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ ଜନ ଆକ୍ରୋଶ କାର୍ଯ୍ୟକ୍ରମ ଆଧାରରେ ବ୍ଲକ୍ ଘେରାଉ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ୧୫ ତାରିଖରେ ବନ୍ତ ବ୍ଲକ୍‌ରେ ଓ ୧୭ ତାରିଖରେ ଭଣ୍ଡାରିପୋଖରୀ ବ୍ଲକ୍‌ରେ ବିଜେପି ପକ୍ଷରୁ ବ୍ଲକ୍ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତି ପାଇଁ ଉଭୟ ବ୍ଲକ୍‌ରେ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଦିନ ବନ୍ତ ଠାରେ ଓ ଶନିବାର ଦିନ ଭଣ୍ଡାରିପୋଖରୀସ୍ଥିତ ବିଜେପି କାର୍ଯ୍ୟାଳୟ ପରିସରରେ ଏଥିନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉଭୟ ବୈଠକରେ ଦଳର ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀ ନାରାୟଣ ଧଳ, ପଞ୍ଚାନନ ରାଉତ, ଡଃ ସୁଧାଂଶୁ ଶେଖର ନାୟକ, ବିଧାନସଭା ସଂଯୋଜକ ପ୍ରକାଶ ମହାପାତ୍ରଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ଓ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ପ୍ରସ୍ତୁତି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।