Odiapua.com

ବିଜେପିର ଅଭିଯୋଗ ପରେ ଜିଲ୍ଲା ଡାକ୍ତରୀ ଦଳର କିଡ଼ନୀ ଆକ୍ରାନ୍ତ ଅଞ୍ଚଳ ପରିଦର୍ଶନ

ସମ୍ବଲପୁର, ୬/୮ – (ଓଡ଼ିଆ ପୁଅ) ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ବିଭନ୍ନ ଗ୍ରାମରେ କିଡ଼ନୀ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ବର୍ତ୍ତମାନ ସେହି ଅଞ୍ଚଳରେ କିଡ଼ନୀ ରୋଗ ମହାମାରି ରୂପ ନେବାକୁ ବସିଲାଣି। ଫଳରେ ଅଞ୍ଚଳବାସୀ ଭୟଭୀତ ରହୁଛନ୍ତି। ସେମିତି ବି ରାଜ୍ୟ ସଙ୍ଗେ ସଙ୍ଗେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କଥା କହିଲେ ନ ସରେ। ସାଧାରଣ ଜ୍ୱର, ଝାଡ଼ା, ବାନ୍ତି ପାଇଁ ବି ଲୋକେ ପ୍ରାଇଭେଟ ନର୍ସିଂହୋମ ଓ ଡାକ୍ତରଖାନାର ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି ଓ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। ସେଥିରେ ପୁଣି ଏହି ଅସାଧ୍ୟ ରୋଗର ଚିକିତ୍ସା କଥା ଚିନ୍ତା କଲାବେଳକୁ ଲୋକେ ଆତଙ୍କିତ ହେଉଛନ୍ତି।

ଗତ ଦୁଇ ଦିନ ପୂର୍ବରୁ ବିଜେପି ରାଜ୍ୟ ପ୍ରବକ୍ତା ଗୋବିନ୍ଦ ଅଗ୍ରୱାଲଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟି ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ପ୍ରତିନିଧି ଦଳ ପକ୍ଷରୁ ଦାବି କରାଯାଇଥିଲା ଯେ, ଏକ ଡାକ୍ତରୀ ଦଳ ସଂପୃକ୍ତ ଅଞ୍ଚଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ରୋଗ ହେବାର କାରଣ ଓ ନିରାକରଣ ବିଷୟରେ ଚିନ୍ତା କରନ୍ତୁ।

ଏହି ମର୍ମରେ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଡା. ମହନ୍ତଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଯୁଯୁମୁରା ବ୍ଲକ ଅଧୀନସ୍ଥ ଧୋଦଲୋମୁଣ୍ଡା, ଖଇରମାଲ, ବଡ଼ମାଲ, ଜରମୁଣ୍ଡା ଓ ଆଉ କିଛି ଗ୍ରାମକୁ ଯାଇ ଲୋକଙ୍କୁ ସାକ୍ଷାତ କରିଥିଲେ। ଭିନ୍ନ ଭିନ୍ନ ସ୍ଥାନରୁ ୨୮ ଜଣ କିଡ଼ନୀ ରୋଗ ଆକ୍ରାନ୍ତକାରୀଙ୍କ ରକ୍ତ ଓ ପରିଶ୍ରା ନମୁନା ସଙ୍ଗେ ସଙ୍ଗେ ପାନୀୟ ଜଳର ନମୂନା ମଧ୍ୟ ସଂଗ୍ରହ କରି ଆଣିଥିଲେ। ଅଞ୍ଚଳବାସୀଙ୍କୁ ମାଦକ ଦ୍ରବ୍ୟ ସେବନ ନ କରିବା, ପାଣିକୁ ଫୁଟାଇ ପିଇବା ଭଳି ପରାମର୍ଶ ଦେବା ସହ ରୋଗର ପ୍ରାରମ୍ଭିକ ଲକ୍ଷଣ ସମ୍ପର୍କରେ ଅବଗତ କରାଇଥିଲେ। ରୋଗର ଲକ୍ଷଣ ଅନୁଭବ କଲା କ୍ଷଣି ନିକଟସ୍ଥ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ଅନୁରୋଧ କରିଥିଲେ।

ଏହି ଡାକ୍ତରୀ ପ୍ରତିନିଧି ଦଳରେ ଡା. ରାଜେନ୍ଦ୍ର ମୁଣ୍ଡା, ଡା. ଚିନ୍ତାମଣି ମେହେର, ଡା. ସରୋଜ ଧଳ, ଡା ମାନସ ସାହୁ ଓ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀଙ୍କ ସଙ୍ଗେ ବିଜେପିର ରାଜ୍ୟ ପ୍ରବକ୍ତା ଗୋବିନ୍ଦ ଅଗ୍ରୱାଲ, ହିମାଂଶୁ ପୁରୋହିତ, ଜୟନ୍ତ ପ୍ରଧାନ, କିଶୋର ପ୍ରଧାନ ପ୍ରମୁଖ ସାମିଲ ଥିଲେ।