Odiapua.com

ବିଜେପିକୁ ବାହୁଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ

ବାଲେଶ୍ୱର, ୧୪ା୧ (ଓଡ଼ିଆ ପୁଅ/ଅଭୟ ଦାସ): ବିଜେଡିରୁ ନିଲମ୍ବିତ ହେବା ଓ ପରବର୍ତ୍ତୀ ସମୟରେ ନିଜେ ଦଳତ୍ୟାଗ କରିଥିବା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଶେଷରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦାନ କରିଛନ୍ତି। ବିଜେପିର ମିଶ୍ରଣ ତାଙ୍କର ଘରବାହୁଡ଼ା ବୋଲି ଦଳୀୟ ନେତାମାନେ ଅଭିହିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଆତିଥ୍ୟ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କୁ ଆନୁଷ୍ଠାନିକ ଭାବେ ଦଳକୁ ସ୍ୱାଗତ କରିଛନ୍ତି। ପୁଷ୍ପଗୁଚ୍ଛ ସହ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ମହାସଗରରୁ କିଛିଦିନ ପାଇଁ ଏକ ପଙ୍କିଳ ହ୍ରଦକୁ ଚାଲିଯାଇଥିବା ଶ୍ରୀ ଦାଶ ପୁଣି ମହାସାଗରରେ ଲୀନ ହୋଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ଶ୍ରୀ ଦାଶଙ୍କର ବିଜେପିକୁ ପ୍ରତ୍ୟାବର୍ତ୍ତନ ଦଳକୁ ମଜବୁତ କରିବା ସହ ଆଗାମୀ ପୌର ନିର୍ବାଚନ, ପଞ୍ଚାୟତ ନିର୍ବାଚନ ସମେତ ସାଧାରଣ ନିର୍ବାଚନରେ ଅଦ୍ଭୁତପୂର୍ବ ସଫଳତା ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଦଳର କିଛି କିଛି ମତ ମତାନ୍ତର ଥାଏ। ତେବେ ନିଜ ପୈତୃକ ଘରେ ଜୀବନର ଶେଷ ସମୟ କଟାଇବା ସମସ୍ତଙ୍କର ଇଚ୍ଛା ରହିଥିବା ବେଳେ ମଧ୍ୟ ସେହିଭଳି ଶେଷ ସମୟ ପର୍ଯ୍ୟନ୍ତ ବିଜେପିରେ ରହିବା ପାଇଁ ଆସିଛି ବୋଲି ପୂର୍ବତନ ବିଧାୟକ ଶ୍ରୀ ଦାଶ ପ୍ରକାଶ କରିଛନ୍ତି। ତାଙ୍କର କୌଣସି ପଦ ପଦବୀର ଲାଳସା ନଥିବା ବେଳେ କେବଳ ବିଜେପିର ଜଣେ ଅନୁଗତ କର୍ମୀ ଭଳି ଦଳୀୟ ସଂଗଠନକୁ ସୁଦୃଢ଼ କରିବାକୁ ସେ କାର୍ଯ୍ୟ କରିବେ ବୋଲି ଶ୍ରୀ ଦାଶ କହିଛନ୍ତି। ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ବିଧାୟକ ଗୋବିନ୍ଦ ଦାସ, ସଦର ବିଜେପି ନେତା ମାନସ ଦତ୍ତ, ଶୋଭନା ମହାନ୍ତି, ରାଜେଶ ମଲ୍ଲିକ, ଶୁଭଙ୍ଗକର ମହାପାତ୍ର, ଅଂଶୁମାନ ଦାସ, ସିପ୍ରା ବାଜପେୟୀ ପ୍ରମୁଖ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।