Odiapua.com

ବିଜେଡି ବିଧାୟକ ସରୋଜ ମେହେରଙ୍କୁ ଗିରଫ କରାଯାଉ:ବିଜେପି

ପାଟଣାଗଡର ବିଧାୟକ ଜଣେ ଜୁନିୟର ଇଂଜିନିୟରଙ୍କୁ ଜନସାଧାରଣଙ୍କ ଆଗରେ କାନ ଧରି ଉଠ୍ ବସ୍ କରାଇବା ପ୍ରସଙ୍ଗରେ

ଭୁବନେଶ୍ୱର, ୦୭/୦୬ (ଓଡ଼ିଆ ପୁଅ) : ଗତକାଲି ପାଟଣାଗଡର ବିଜେଡି ବିଧାୟକ ସରୋଜ ମେହେର ଜଣେ ଆଦିବାସୀ ବର୍ଗର ସରାକରୀ ଅଫିସର ଜୟକାନ୍ତ ଶବରଙ୍କୁ ଯେଉଁଭଳି ଭାବରେ ଜନସାଧାରଣଙ୍କ ଆଗରେ କାନ ଧରି ଉଠ୍ବସ କରାଇଛନ୍ତି। ସେଥିରୁ ସ୍ପଷ୍ଟ ଜଣାପାଡୁଛି ଯେ, ନବୀନବାବୁଙ୍କ ଶାସନରେ ଗଣତାନ୍ତ୍ରିକ ଶୈଳୀରେ ଶାସନ ଚାଲିବ ନାହିଁ ବରଂ ନକ୍ସଲମାନଙ୍କର ପ୍ରଜାକୋର୍ଟ ଶୈଳୀରେ ଶାସନ ଚାଲିବ। ଏହି ଘଟଣାକୁ ଭାରତୀୟ ଜନତା ପାର୍ଟି ଅତ୍ୟନ୍ତ ନିନ୍ଦା କରିବା ସହ ଜଣେ ଆଦିବାସୀ ବର୍ଗର ସରାକାରୀ ଅଫିସରଙ୍କୁ ଯେଉଁଭଳି ଭାବେ ଶାରିରୀକ ଏବଂ ମାନସିକ ନିର୍ଯାତନା ଦିଆଗଲା ତାହାର ତଦନ୍ତ କରି ଦୋଷ କରିଥିବା ସରୋଜ ମେହେରଙ୍କୁ ଗିରଫ କରାଯାଉ। ଜଣେ ଆଦିବାସୀ ଯୁବକଙ୍କୁ ଏପରି ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବା ବିରୋଧରେ ଏବେ ଯାଏଁ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।

ଅତୀତରେ ଶାସକ ଦଳର ଅଂହକାର ଓଡିଶାବାସୀ ଅବଗତ ଥିବା ବେଳେ ଗୁଣ୍ଡାଗର୍ଦ୍ଦି ଏବଂ ଦାଦାଗିରି କରି ରାସ୍ତାରେ ଲୋକମାନଙ୍କୁ ମାଡ ମାରିବାର ଅନେକ ଘଟଣା ଘଟାଇଛନ୍ତି। ଜୁନିୟର ଇଜିଂନିୟର ଜୟକାନ୍ତ ଶବରଙ୍କ ପତ୍ନୀ ପୋଲିସରେ ଏତେଲା ଦେଇଥିବା ସତ୍ୱେ ପାଟଣାଗଡର ବିଧାୟକ ସରୋଜ ମେହେରଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ବିଧାୟକ ନିଜେ ନିଜର କ୍ରିମିନାଲ ଅଫେନସକୁ ଗଣମାଧ୍ୟମର କ୍ୟାମେରା ସାମନାରେ ସ୍ୱିକାର କରିଛନ୍ତି। ତାହା ହେଲେ ପୋଲିସକୁ ଆଉ କେଉଁ ବଡ ପ୍ରମାଣ ଦରକାର ? ପୋଲିସ କାହିଁକି ବିଧାୟକ ସରୋଜ ମେହେରଙ୍କୁ ଗିରଫ କରୁନାହିଁ ? ବିଜେଡି ମୁଖିଆ ନବୀନବାବୁ ଏଥିରେ ନୀରବଦ୍ରଷ୍ଟା ସାଜିଛନ୍ତି। ପୂର୍ବରୁ ପ୍ରଦୀପ ମହାରଥୀ, ସୁଶାନ୍ତ ସିଂ, ଆୟୁବ ଖାନ୍, ପ୍ରଶାନ୍ତ ଜଗଦେବ, ସମୀର ଦାଶଙ୍କ ଭଳି ଅନେକ ବିଜେଡି ଦଳର ନେତା, ମନ୍ତ୍ରୀ, ବିଧାୟକ ଏବଂ ସାଂସଦମାନେ ସରକାରୀ ଅଫିସରମାନଙ୍କୁ ମାଡ ମାରିବା ଏବଂ ଆତଙ୍କିତ ଆଚରଣ କରିଛନ୍ତି। ଶ୍ରୀ ଶବରଙ୍କ ପରିବାର ଲୋକ ଅତ୍ୟନ୍ତ ଭୟଭୀତ ଥିବାରୁ ତାଙ୍କୁ ତୁରନ୍ତ ସୁରକ୍ଷା ଦିଆଯାଉ ବୋଲି ଡ. ସାମନ୍ତସିଂହାର କହିଛନ୍ତି।

ଯେଉଁଭଳି ଢଙ୍ଗରେ ଜଣେ ବିଧାୟକ ଜଣେ ସରକାରୀ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ବସଉଠ କରାଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଯଦି କାମ ନିମ୍ନମାନର ହୋଇଛି ତାହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା କଥା। ତାହା ନକରି ସର୍ବସାଧାରଣରେ ଜଣେ ଆଦିବାସୀ ଯୁବକଙ୍କୁ ଜଣେ ବିଧାୟକ ମାଡ ମାରିଲେ କାହିଁକି ? ଜଣେ ନିର୍ବାଚିତ ପ୍ରତିନିଧି ଖୋଲା ଖୋଲି ଭାବେ ଆଇନ ଶୃଙ୍ଖଳା ହାତକୁ ନେବା ଅଗଣତାନ୍ତ୍ରିକ। ଏହି ଘଟଣାକୁ ବିଜେପି ପକ୍ଷରୁ ଅତ୍ୟନ୍ତ ନିନ୍ଦା କରାଯିବା ସହ ଭାରତୀୟ ପିଙ୍ଗଲ କୋଡ୍ ଅନୁଯାୟୀ ବିଧାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ଏବଂ ରାଜ୍ୟ ମୁଖପାତ୍ର ଶ୍ରୀ ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ।