Odiapua.com

ବିଜେଡି ବିଦ୍ରୋହୀ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଙ୍କ ‘ନୌକା’ ତାଙ୍କୁ ନିର୍ବାଚନ ବୈତରଣୀ ପାର କରାଇବାର ସଫଳ ହେବ ତ!, ମୁଖ୍ୟମନ୍ତ୍ରୀ ନବୀନଙ୍କ ଟିମ୍‌ର ବିଗ୍ ଷ୍ଟାର କ୍ୟାମ୍ପେନ ଆଗରେ ଅଭିନବ କାର୍ଡ ଖେଳିଲେ ରାଜେନ୍ଦ୍ର

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଓଡ଼ିଶାର ବହୁ ଚର୍ଚ୍ଚିତ ଧାମନଗର ଉପନିର୍ବାଚନ ନେଇ ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାରର ଅନ୍ତିମ ଦିବସ ହୋଇଥିବାବେଳେ ପ୍ରମୁଖ ଚାରି ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରୁ ଆଶା କରାଯାଉଥିବାର ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ସ୍ୱାଧୀନ ଭାବେ ନୌକା ଚିହ୍ନରେ ଲଢିବେ ବୋଲି ଜଣାପଡିଛି। ଏଠାରେ ସୂଚନାଯୋଗ୍ୟ ଧାମନଗରର ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ପରେ ଏହି ଆସନ ପାଇଁ ଉପନିର୍ବାଚନର ବିଗୁଲ ବାଜିଥିଲା। ତେବେ ଏଥିନେଇ ବିଜେପି ପକ୍ଷରୁ ସ୍ୱର୍ଗତଃ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୁରଜଙ୍କ ନାମ ଦଳ ପକ୍ଷରୁ ସର୍ବାଗ୍ରେ ଘୋଷଣା ହୋଇଥିବାବେଳେ ପରବର୍ତ୍ତୀ ସମୟରେ କଂଗ୍ରେସର ପ୍ରାର୍ଥୀ ଭାବେ ବାବା ହରେକୃଷ୍ଣ ସେଠୀ ଉଭା ହୋଇଥିଲେ। କିନ୍ତୁ ନାମାଙ୍କନ ପତ୍ର ଦାଖଲର ଦୁଇଦିନ ପର୍ଯ୍ୟନ୍ତ ବିଜେଡିର କୌଣସି ପ୍ରାର୍ଥୀ ତାଲିକା ଘୋଷଣା ହୋଇନଥିଲା। ତେବେ ମାଳ ମାଳ ଆଶାୟୀଙ୍କ ମଧ୍ୟରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ନାମ ସର୍ବାଗ୍ରେ ରହିଥିଲା। କାରଣ ସେ ପୂର୍ବରୁ ଏହି ଆସନରୁ ଥରେ ବିଧାୟକ ଥାଇ ଗତ ତ୍ରିସ୍ତରୀୟ ନିର୍ବାଚନରେ ଦଳୀୟ ଷଡଯନ୍ତ୍ରର ଶୀକାର ହୋଇ ସ୍ୱର୍ଗତଃ ସେଠୀଙ୍କ ଠାରୁ କମ୍ ବ୍ୟବଧାନରେ ପରାଜିତ ହୋଇଥିଲେ। ଏଣୁ ରାଜନୈତିକ ବିଶାରଦଙ୍କ ସମେତ ବହୁ ସ୍ଥାନୀୟ ନେତା ଓ ଜନସାଧାରଣଙ୍କ ମଧ୍ୟରେ ରାଜେନ୍ଦ୍ରଙ୍କ ନାମ ଘୋଷଣା ହୋଇପାରେ ବୋଲି ସମସ୍ତେ ଆଶା ରଖିଥିଲେ। କିନ୍ତୁ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷ ମୁହୂର୍ତ୍ତରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳା କାର୍ଡ ଖେଳିଥିଲେ। ଫଳରେ ଏକଦା ତିହିଡି ବ୍ଲକ୍ ଚେୟାରମେନ୍ କରାଇବାରେ ମୁଖ୍ୟ ଭୂମିକା ନେଇଥିବା ରାଜେନ୍ଦ୍ର ଦାସଙ୍କ ଏକାନ୍ତ ଅନୁଗତ ଅବନ୍ତୀ ଦାସଙ୍କୁ ପ୍ରାର୍ଥିନୀ ଭାବେ ଦଳ ଘୋଷଣା କରିଥିଲା।

ଯେଉଁଥିପାଇଁ ଶ୍ରୀ ଦାସ ଧାମନଗର ସ୍ୱାଭିମାନ ରକ୍ଷା ଦିଗରେ ତାଙ୍କର ବହୁ ହିତୈଷୀ ଓ ଅନୁଗତଙ୍କ ପରାମର୍ଶ କ୍ରମେ ସ୍ୱାଧୀନ ଭାବେ ପ୍ରାର୍ଥିୀପତ୍ର ଦାଖଲ କରିଥିଲେ। ତେବେ ବିଜେଡି ପକ୍ଷରୁ ଆଗଧାଡିର ନେତା ତାଙ୍କୁ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଭଦ୍ରକ ସଂସଦୀୟ କ୍ଷେତ୍ରରୁ ଟିକେଟ୍ ଦିଆଯିବା ଲୋଭନୀୟ ପ୍ରଲୋଭନ ଦେଖାଇଥିଲେ ମଧ୍ୟ ସେ ତାଙ୍କର ପ୍ରଭୁ ଜନତା ଜନାର୍ଦ୍ଦନ ବୋଲି ସିଧାସିଧା ଉତ୍ତର ରଖି ଚଳିତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏବେ ଅବନ୍ତୀଙ୍କୁ ଜିତାଇବା ପାଇଁ ଦଳର ସୁପ୍ରିମୋ ନବୀନଙ୍କ ନିର୍ଦ୍ଦେଶ କ୍ରମେ ୪୦ ଜଣିଆ ମନ୍ତ୍ରୀ ଓ ନେତା ଧାମନଗରରେ ଡେରା ପକାଇ ଆଜିଠାରୁ ମେଗା ଷ୍ଟାର କ୍ୟାମ୍ପେନିଂ ଆରମ୍ଭ କରିଛନ୍ତି। ମାତ୍ର ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ଶ୍ରୀ ଦାସଙ୍କୁ ଆଜି ସ୍ୱାଧୀନ ଚିହ୍ନ ଭାବେ ଭାସମାନ ନୌକା ମିଳିବା ପରେ ଆସନ୍ତାକାଲି ଠାରୁ ତାଙ୍କର ଷ୍ଟାର କ୍ୟାମ୍ପେନ ଆରମ୍ଭ ହେବ ବୋଲି ସେ ତାଙ୍କ ଭଦ୍ରକସ୍ଥିତ ବାସଭବନରେ ଗଣମାଧ୍ୟମକୁ କହିଛନ୍ତି। ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ସେ ଧାମନଗର ନିର୍ବାଚନ ମଣ୍ଡଳୀ ପାଇଁ ଷ୍ଟାର ପ୍ରଚାରକ ଭାବେ ଯେଉଁ ତାଲିକା ପ୍ରସ୍ତୁତ କରିଛନ୍ତି, ସେଥିରେ ସର୍ବାଗ୍ରେ ମା’, ବାପା, ଗୁରୁଜନ, ବୁର୍ଜୁଗ, ଚାଚା, ଚାଚୀ, ଗରିବ ଖଟିଖିଆ, କୃଷକ ଭାଇ, ଭାଇ ଓ ଭଉଣୀ ଓ ସାଧାରଣ ଜନତାଙ୍କୁ ତାଙ୍କର ହର୍ତ୍ତାକର୍ତ୍ତା ଦୈବ ବିଧାତା ବୋଲି ଘୋଷଣା କରିଛନ୍ତି। ସେହିଭଳି ବିଜେପିର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ମଧ୍ୟରେ କେନ୍ଦ୍ରୀୟ ମନ୍ତ୍ରୀ ସମେତ ରାଜ୍ୟର ବହୁ ମନ୍ତ୍ରୀ ଓ ନେତା ସାମିଲ ଅଛନ୍ତି। ତେଣୁ ଆସନ୍ତା ଦିନରେ ବିଜେଡି ଦୁଇଭାଗ ହୋଇ ହାତି କାହା ମୁଣ୍ଡରେ ସୁନାକଳସ ଢାଳିବ, ସେଥିନେଇ ଏବେଠାରୁ ଚର୍ଚ୍ଚା ଜୋର ଧରିଛି। ତେବେ ବିଜେଡିର ବହୁ ପ୍ରମୁଖ ନେତା ରାଜେନ୍ଦ୍ରଙ୍କ ବିଦ୍ରୋହ ଅବନ୍ତୀଙ୍କ ବିଜୟଯାତ୍ରାରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରୁଥିଲେ ମଧ୍ୟ ରାଜନୈତିକ ତଥ୍ୟାବିଜ୍ଞଙ୍କ ସମୀକ୍ଷା ଅନୁସାରେ ଦୁଇ ବିଲେଇଙ୍କ କଳିରେ ତୃତୀୟର ଲାଭ ଭଳି ଧାମନଗରରେ ପୁନର୍ବାର ପଦ୍ମ ଫୁଟିବାର ସମ୍ଭାବନା ରହିଥିବା ନେଇ ମତ ପ୍ରକାଶ ପାଇଛି।