Odiapua.com

ବିଜେଡିର ଉପ-ନିର୍ବାଚନ ପ୍ରାର୍ଥୀ ଚୟନ ବିବାଦ ଜିଲ୍ଲା ସଭାପତିଙ୍କ ହସ୍ତକ୍ଷେପରେ ଶାନ୍ତ ଉତ୍ତେଜିତ କର୍ମୀ

ବାଲେଶ୍ୱର, ୧୩ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଉପ-ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ପରେ ଦଳୀୟ କର୍ମୀ ମହଲରେ ଗତକାଲିଠାରୁ ଦେଖା ଦେଇଥିବା ଅସନ୍ତୋଷ ଓ ଉତ୍ତେଜନା ଆଜି ଆପାତତଃ ଶାନ୍ତ ପଡ଼ିଥିବା ଲକ୍ଷ୍ୟ କରାଯାଇଛି। ଗତକାଲି ଅପରାହ୍ନରେ ବିଜେଡି ପକ୍ଷରୁ ପୂର୍ବତନ ପୌର ସଦସ୍ୟ ସ୍ୱରୂପ ଦାସଙ୍କ ନାମ ଘୋଷଣା କରାଯିବା ପରେ ଦଳୀୟ କର୍ମୀମାନେ ଏହାକୁ ବିରୋଧ କରିଥିଲେ। ଏମିତିକି ବିଜେଡିର ଓଟିରୋଡ଼୍‌ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ଶହ ଶହ କର୍ମୀ ଉପସ୍ଥିତ ରହି ପ୍ରତିବାଦ କରିଥିଲେ। ତେବେ ଜିଲ୍ଲା ସଭାପତି ପୂର୍ବତନ ସାଂସଦ ଶ୍ରୀ ଜେନା ଭୁବନେଶ୍ୱରରୁ ପହଞ୍ଚିବା ପରେ ଉତ୍ତଜିତ କର୍ମୀମାନଙ୍କୁ ବୁଝାସୁଝା କରିଥିଲେ। ଦଳୀୟ ମୁଖ୍ୟଙ୍କ ନିଷ୍ପତିକୁ ସମ୍ମାନ ଦେବା ସହ କାର୍ଯ୍ୟକାରୀ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ସେ କର୍ମୀମାନଙ୍କୁ କହିଥିଲେ। ଏହା ସତ୍ତ୍ୱେ ବି କର୍ମୀମାନେ ବୁଝି ନଥିଲେ। ଗତକାଲି ଉତ୍ତେଜିତ କର୍ମୀମାନେ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କୁ ଘେରିଥିବା ବେଳେ ଆଜି ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପ୍ରତାପ ଦେବଙ୍କୁ ପ୍ରାର୍ଥୀ ଚୟନ ବାବଦରେ ପ୍ରତିବାଦ ଜଣାଇବା ସହ ଏହାର ପୁନର୍ବିଚାର ପାଇଁ ଦାବି କରିଥିଲେ। ମାତ୍ର ଜିଲ୍ଲା ସଭାପତି ଶ୍ରୀ ଜେନା କର୍ମୀମାନଙ୍କୁ ବୁଝାଇବା ସହ ଦଳୀୟ ନିଷ୍ପତିକୁ କାର୍ଯ୍ୟକାରୀ କରିବା ଓ ଦଳର ସ୍ୱାର୍ଥ ପାଇଁ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ଚଳିତ ଉପ-ନିର୍ବାଚନରେ ଜିତାଇବାକୁ କହିଥିଲେ। ଶୃଙ୍ଖଳିତ ରାଜନୈତିକ ଦଳ ଭାବେ ବିଜେଡିର ଆଦର୍ଶକୁ ଅକ୍ଷୁର୍ଣ୍ଣ ରଖିବା ଓ ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ କିପରି ବିଜୟୀ କରିବା, ସେନେଇ ସବୁ ପ୍ରକାର ଭେଦଭାବ ଭୁଲି ସମସ୍ତେ କାର୍ଯ୍ୟ କରିବାକୁ ଶ୍ରୀ ଜେନା ପରାମର୍ଶ ଦେଇଥିଲେ। ପରେ କର୍ମୀ ମହଲରେ ଉଠିଥିବା ବିବାଦ ଓ ଉତ୍ତେଜନା ପ୍ରଶମିତ ହୋଇଥିବା ଦେଖିବାକୁ ମିଳିଥିଲା।