Odiapua.com

ବିଜେଡିରେ ଯୋଗ ଦେଲେ କଂଗ୍ରେସ ନେତା ମାନସ ଦାସପଟ୍ଟନାୟକ

ବାଲେଶ୍ୱର, ୨୧ା୧୦(ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱର ସଦର ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ପ୍ରଚାର କାର୍ଯ୍ୟ ଜମି ଆସୁଥିବା ବେଳେ ଛାମୁଆ କର୍ମୀ ଓ ନେତାଙ୍କ ଦଳ ବଦଳ ଏବେ ବି ଜାରି ରହିଥିବା ଲକ୍ଷ୍ୟ କରାଯାଇଛି। ସବୁ ଦଳ ପକ୍ଷରୁ ଜିତିବା ପାଇଁ ଚାଲିଛି ରୀତିମତ୍ ଉଦ୍ୟମ। ଏହି ପରିପ୍ରେକ୍ଷୀରେ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ମାନସ ଦାସପଟ୍ଟନାୟକ ଆଜି ବିଜେଡିରେ ବିଧିବଦ୍ଧ ଯୋଗଦାନ କରିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା ଅଧ୍ୟକ୍ଷତା କରିବା ସହିତ ମାନସ ଦାସପଟ୍ଟନାୟକଙ୍କ ଯୋଗଦାନ ଦଳର ଶକ୍ତିବୃଦ୍ଧିରେ ସହାୟକ ହୋଇଛି ବୋଲ କହିଥିଲେ। ଆଇନମନ୍ତ୍ରୀ ପ୍ରତାପ ଜେନା, ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର ପ୍ରମୁଖ ଏଥିିରେ ଯୋଗଦେଇ ଶ୍ରୀ ଦାସପଟ୍ଟନାୟକଙ୍କୁ ଦଳୀୟ ଉତ୍ତରରୀୟ ପିନ୍ଧାଇ ଆନୁଷ୍ଠାନିକ ଭାବେ ଦଳକୁ ସ୍ୱାଗତ କରିଥିଲେ। ଶ୍ରୀ ଦାସପଟ୍ଟନାୟକଙ୍କ ଆଗମନ ବିଜେଡି ପ୍ରାର୍ଥୀଙ୍କ ବିଜୟକୁ ନିଶ୍ଚିତ କରିପାରିଛି ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଲୋକମାନଙ୍କର ସେବା କରିବା ସାଙ୍ଗକୁ ବାଲେଶ୍ୱରର ବିକାଶକୁ ଆଗେଇ ନେବାର ଥିବା ସୁଯୋଗକୁ ଦୃଷ୍ଟିରେ ରଖି ସେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦାନ କରିଛନ୍ତି ବୋଲି ମାନସ ପ୍ରକାଶ କରିଛନ୍ତି। ବିଜେଡି ପ୍ରାର୍ଥୀଙ୍କ ବିଜୟ ପାଇଁ ଜଣେ ଶୃଙ୍ଖଳିତ କର୍ମୀ ଭାବେ ସେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆଜିର ଏହି ମିଶ୍ରଣ ପର୍ବରେ ଜିଲ୍ଲା ବିଜେଡିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।